Advertisment

ଶୋଇଛି ଶୀତଳ ଭଣ୍ଡାର; ଅମଳ ବେଳେ ଅଭାବକୁ ନେଇ ଚିନ୍ତାରେ ଚାଷୀ...

ଯେଉଁ ପରିବାର ଦର ୩୦ରୁ ୪୦ ଟଙ୍କା ଥିଲା ତାହା ଏବେ ୮୦ରୁ ୧୦୦ ଟଙ୍କା। ଅମଳ ବେଳେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ପନିପରିବାକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Farmers Forced to Sell Their Vegetables Due to Lack of Cold Storage During Harvest in Jeypore

Lack of Cold Storage

କିଛି ଦିନ ତଳେ ଯେଉଁ ପରିବାର ଦର ୩୦ରୁ ୪୦ ଟଙ୍କା ଥିଲା ତାହା ଏବେ ୮୦ରୁ ୧୦୦ ଟଙ୍କା। ଅମଳ ବେଳେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ପନିପରିବାକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ। ତେଣୁ ନିଜ ଅଂଚଳରେ ଶୀତଳ ଭଣ୍ଡାରଟିଏ କରିବାକୁ ସବୁଠି ଉଠୁଛି ଦାବି। ନୂଆ ସରକାର ମଧ୍ୟ ରାଜ୍ୟର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ, ରାଜ୍ୟରେ ଯେଉଁ କେତୋଟି କୋଲ୍ଡ ଷ୍ଟୋରେଜ ରହିଛି, ତାର ସ୍ଥିତି କଣ, ଆସନ୍ତୁ ଜାଣିବା...

Advertisment

ଶୀତଳ ଭଣ୍ଡାରର ସୁପ୍ତ ସ୍ଥିତି। କୁଲ ଚାମ୍ବର ଉପରେ ମାଡିଗଲାଣି ଅନାବନା ଗଛ। ପରିତ୍ୟକ୍ତ ହୋଇପଡିଲାଣି ପରିସର। ଆଦିବାସୀ ପ୍ରବଣ ଉମରକୋଟର ଶୀତଳ ଭଣ୍ଡାର ଖୋଲାଯାଇଥିଲା ୨୦୧୬ରେ। ଆଇଟିଡିଏ ଓ ଉଦ୍ୟାନ ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଥିଲା ୧୫ ଲକ୍ଷରୁ ଅଧିକ ଟଙ୍କା। ହେଲେ ଦିନଟିଏ ବି ଚାଷୀଙ୍କ କାମରେ ଲାଗିପାରିଲାନି। ରକ୍ଷଣାବେକ୍ଷଣରେ ପୂର୍ବ ସରକାରଙ୍କ ଅବହେଳା ଏବଂ ଚାଷୀଙ୍କ ସଚେତନତାର ଅଭାବ ଯୋଗୁଁ ପାଣିରେ ପଡିଲା ଲକ୍ଷାଧିକ ସରକାରୀ ରାଜସ୍ବ। ଏବେ ଅଂଚଳରେ ବୃହତ ଶୀତଳ ଭଣ୍ଡାରଟିଏ କରିବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ: ଲାଭ ଦାୟକ ଫସଲରୁ ମୁହଁ ମୋଡୁଛନ୍ତି ଚାଷୀ; କାଜୁ ଛାଡ଼ି କରୁଛନ୍ତି ମକା ଓ ପନି ପରିବା ଚାଷ 

Advertisment

ଉପାନ୍ତ ଅଂଚଳ ପରେ ଉପକୂଳର କଥା ନକହିବା ଭଲ । ବାଲେଶ୍ବରର ସୋରରେ ମଧ୍ୟ ଅବସ୍ଥା ଅନୁରୂପ। ଶୀତଳ ଭଣ୍ଡାରରେ ମାଡିଯାଇଛି ଗଛଲତା। ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ଘର। ଶୀତଳ ଭଣ୍ଡାର ଭିତରେ ଥିବା ବ୍ୟବସ୍ଥା ଠିକରେ କାମ ନକରିବାରୁ ଚାଷୀ ରଖିଥିବା ଆଳୁ ନଷ୍ଟ ହୋଇଯାଇଥିଲା, ଫଳରେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି ଚାଷୀ। ଏମିତି ପରିସ୍ଥିତି ପରେ ଶୀତଳ ଭଣ୍ଡାରରେ ତାଲା ପଡ଼ିଗଲା। ଏବେ ଅମଳ ବେଳେ ପନିପରିବା ରଖିବାକୁ ଜାଗା ନଥିବାରୁ ଅଳ୍ପ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ। ଶୀତଳଭଣ୍ଡାରକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। 

ସୂଚନାଯୋଗ୍ୟଯେ, ଶୀତଳ ଭଣ୍ଡାର ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ହେଲେ ବ୍ୟବହାର ଉପଯୋଗୀ ହେଉନି। ଜୟପୁର ସହରର ମେଘମାଲ ତୋଟା ନିକଟରେ ସମବାୟ ବିଭାଗ ପକ୍ଷରୁ ନିର୍ମିତ ହୋଇଛି ଏକ ଶୀତଳ ଭଣ୍ଡାର। ୧୯୬୪ରେ ଏକରରୁ ଅଧିକ ଜାଗାରେ ତିଆରି ହୋଇଥିଲା ୬ ଶହ ମେଟ୍ରିକ୍ ଟନ୍ ବିଶିଷ୍ଟ ଶୀତଳ ଭଣ୍ଡାର। ୧୯୯୬ ଯାଏ କାମ କରୁଥିଲା। ଏବେ ୨୮ବର୍ଷ ହେଲାଣି ବନ୍ଦ। ମରାମତି ହେଉନି କି ଚାଷୀଙ୍କ କାମରେ ଲାଗିପାରୁନି। ୨୦୦୪ରେ ଶୀତଳ ଭଣ୍ଡାରର ଯନ୍ତ୍ରପାତିକୁ ୨ଲକ୍ଷ ୫୨ହଜାର ଟଙ୍କାରେ ଅକ୍ସନ କରି ବିକ୍ରି କରିଦିଆଗଲା। କେବଳ ଏହି ଶୀତଳ ଭଣ୍ଡାର ନୁହେଁ, ୨୦୦୬ରେ ଜୟପୁରର ଦୈନିକ ବଜାରରେ ନିୟନ୍ତ୍ରିତ ବଜାର କମିଟି ଦ୍ବାରା ନିର୍ମିତ କୁଲିଂ ଚାମ୍ବର ବି ଖତ ଖାଉଛି। 

ଆଗକୁ ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଶୀତଳ ଭଣ୍ଡାର। ଏନେଇ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଏବଂ ନୂଆ ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାକୁ କେମିତି କାର୍ଯ୍ୟକାରୀ କରାଯିବ ସେନେଇ ପ୍ରଥମେ କୃଷି ବିଭାଗ ଏବଂ ପରେ କ୍ୟାବିନେଟ ବୈଠକରେ ଆଲୋଚନା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। 

Farmers Vegetable Cold Storage
Advertisment
Advertisment