/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731048843.jpg)
ଦାଦନ ଖଟିବାକୁ ଯାଇ ଝିଅ ନିଖୋଜ
ଦାଦନ ଖଟିବାକୁ ତାମିଲାନାଡ଼ୁ ଯାଇଥିଲେ । ବାପା-ମାଆ ଭାବିଥିଲେ ଝିଅ ତାମିଲନାଡ଼ୁ ଯାଇ ଦି ପଇସା ରୋଜଗାର କରି ପରିବାର ଚଳାଇବ । କିନ୍ତୁ ହୋଇଥିଲା କିଛି ଅଲଗା । ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଗଲେ ଝିଅ । ଦିନେ କି ଦୁଇ ଦିନ ନୁହେଁ ୩ ମାସ ହେବ ଝିଅର କୌଣସି ଖୋଜ ଖବର ନାହିଁ ।
ସେପଟେ ଝିଅକୁ ନପାଇ କାନ୍ଦି କାନ୍ଦି ଲୋଟି ପଡ଼ୁଛି ମାଆ । ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ । ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି । କେବଳ ମାଆ ନୁହେଁ ପୂରା ପରିବାରର ସମାନ ଅବସ୍ଥା । ଗୋଟିଏ ବୋଲି ଅଲିଅଳୀ ଝିଅ ନିଖୋଜ ଥିବାରୁ କାହାରି ଆଖିରୁ ଶୁଖୁନି ଲୁହ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଦେଓଗାଁରେ । ଏହି ଗ୍ରାମର ବିରଧାନ ଟୁଡୁଙ୍କ ଝିଅ ସୁଭଦ୍ରା । ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । କିନ୍ତୁ ସେଠାରେ ହଠାତ କୁଆଡେ ନିଖୋଜ ହୋଇଗଲେ । ଝିଅର କିଛି ଖୋଜ ଖବର ନ ମିଳିବାରୁ ପରିବାରର ଆଜି ଏଇ ଅବସ୍ଥା ।
ଅଧିକ ପଢ଼ନ୍ତୁ: ଦାଦନ ଖଟିବାକୁ ଯାଇଥିଲା ଝିଅ, ହେଲେ ଦୁର୍ଘଟଣା ପରେ...
ବିରଧାନ ଟୁଡୁଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଦିନ ମଜୁରି କରି ସ୍ୱାମୀ-ସ୍ତ୍ରୀ ଯେତିକି ରୋଜଗାର କରନ୍ତି ତାହା ଘର ଖର୍ଚ୍ଚରେ ସରିଯାଏ । ଝିଅ ସୁଭଦ୍ରାର ପାଠପଢାରେ ବେଶ ରୁଚି ଥିଲା । ଭଲ ନମ୍ବର ରଖି ସେ ମ୍ୟାଟ୍ରିକ ମଧ୍ୟ ପାସ କରିଥିଲେ । ମାଟ୍ରିକ୍ ପରେ ଅଧିକ ପଢିବାକୁ ସୁଭଦ୍ରାଙ୍କ ଇଚ୍ଛା ଥିଲେ ମଧ୍ୟ ପଇସା ଅଭାବରୁ ନିଜେ ରୋଜଗାର କରି ପାଠ ପଢିବାକୁ ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ସେହି ଗାଁର ତାଙ୍କ ପିଉସୀ ରିମା ଟୁଡୁଙ୍କ ସହ ତାମିଲନାଡୁ ଯାଇ ସାହାନା ନାମକ ଏକ ସିଲେଇ ସଂସ୍ଥାରେ କାମ କରୁଥିଲେ । କିଛିଦିନ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ହଠାତ ଦିନେ ସକାଳୁ ତାଙ୍କ ଫୋନ ବନ୍ଦ ଦେଖାଇଥିଲା । ବାପା ଏନେଇ ରିମାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ମଧ୍ୟ ଉଠେଇ ନଥିଲେ । ତେବେ କିଛି ଦିନ ପରେ ରିମା ଗାଁକୁ ଆସିଥିଲେ । ହେଲେ ବିରଧାନଙ୍କ ପରିବାର ଝିଅ ବିଷୟରେ ପଚାରିବାରୁ ସେ କିଛି ଜାଣି ନଥିବା କହିଥିଲେ ।
ଯାହାଫଳରେ ବିରଧାନ ଝିଅର ନିଖୋଜ ନେଇ ବାଦାମପାହାଡ଼ ଥାନାରେ ଲିଖିତ ଅଭିଯୋଗ କରଥିଲେ । ବାରିପଦା ଏସପିଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । କିନ୍ତୁ ମାସ ପରେ ମାସ ବିତିଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରଛନ୍ତି ବିରଧାନ ଟୁଡୁ ।
ସେପଟେ ଏହି ଘଟଣା ସମ୍ପର୍କରେ ଆମେ ବାଦାମପାହାଡ଼ IICଙ୍କୁ ପଚାରିବାରୁ ଏଇ ସପ୍ତାହରେ ତାମିଲନାଡୁ ଯାଇ ଖୋଜା ଖୋଜି କରିବୁ ବୋଲି କହିଛନ୍ତି । କିନ୍ତୁ ଏପଟେ ୩ ମାସ ହେଲା ଝିଅକୁ ନ ପାଇ ଅସହାୟ ହୋଇପଡିଛି ପୁରା ପରିବାର। ଏପରିକି ଝିଅ ଚିନ୍ତାରେ ମା’ ନୀଳମଣି ମଧ୍ୟ ରୋଗଗ୍ରସ୍ତ ହୋଇପଡିଛନ୍ତି । ତେଣୁ ଏ ଘଟଣାରେ ସରକାର ହସ୍ତକ୍ଷପ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)