Advertisment

EOW Raid: ଅମାପ ସଂପତ୍ତି, ବିଶାଳ ସାମ୍ରାଜ୍ୟ: ଯେତେ ଖୋଳିଲେ, ସେତେ ବାହାରୁଛି ବେହିସାବ ସଂପତ୍ତିର ଅସରନ୍ତି ଚିଠା...

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଘୋଟାଲାର ଚେର ଖୋଜୁଥିବା କ୍ରାଇମବ୍ରଞ୍ଚ୍ EOW ଆଜି ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ସଂପତ୍ତି ତାଲିକା ଦେଖି ତାଜୁବ୍ ହୋଇଛି।

author-image
Sujit kumar Swain
EOW raid on BJD’s Raja Chakra

EOW raid on BJD’s Raja Chakra

ଯେତେ ଖୋଳିଲେ, ସେତେ ବାହାରୁଛି କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କ ସଂପତ୍ତି। କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କା ଘୋଟାଲାରେ ଘାଣ୍ଟୁଥିବା EOW ଆଜି ଦ୍ବିତୀୟ ଦିନ ପାଇଁ ରାଜା ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି। ରେଡ୍ ବେଳେ ହାର୍ଲି ଡାଭିଡସନ୍ ବାଇକ୍, ଫର୍ଚୁନର କାର, ବହୁ ସଂଖ୍ୟାରେ ୧୮ ଚକିଆ ଟ୍ରକ୍ ସାଙ୍ଗକୁ ଏକ ଆଲିସାନ ଫାର୍ମ ହାଉସର ଠିକଣା ପାଇଛି। ଖାଲି ସେତିକି ନୁହେଁ, ବିଜେଡି କ୍ଷମତା କେନ୍ଦ୍ରର ପାଖଲୋକ ଥିବା ରାଜା ଆହୁରି ଅନେକ ବେନାମୀ ସଂପତ୍ତିର ମାଲିକ ବୋଲି ବି ଚର୍ଚ୍ଚା ହେଉଛି।

Advertisment

ଅମାପ ସଂପତ୍ତି, ବିଶାଳ ସାମ୍ରାଜ୍ୟ। ଯେତେ ଖୋଳିଲେ, ସେତେ ବାହାରୁଛି ବେହିସାବ ସଂପତ୍ତିର ଅସରନ୍ତି ଚିଠା। କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଘୋଟାଲାର ଚେର ଖୋଜୁଥିବା କ୍ରାଇମବ୍ରଞ୍ଚ୍ EOW ଆଜି ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ସଂପତ୍ତି ତାଲିକା ଦେଖି ତାଜୁବ୍ ହୋଇଛି। ଇମ୍ପୋର୍ଟେଡ୍ ହାର୍ଲି ଡାଭିଡସନ୍ ବ୍ରାଣ୍ଡ। ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା। କେନ୍ଦୁଝର ଜଗନ୍ନାଥପୁର ବାସଭବନରେ ଚଢାଉ ବେଳେ ମିଳିଛି ଆଉ ଏକ ଟୟୋଟା ଫର୍ଚୁନର ଗାଡ଼ି। ଖାଲି ସେତିକି ନୁହେଁ, ଖଣିଜ ପରିବହନରେ ନିୟୋଜିତ ୨୪ଟି ହାଇୱା ଗାଡ଼ିକୁ ବି ସିଜ୍ କରିଛି କ୍ରାଇମବ୍ରାଞ୍ଚ୍। 

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

କୁହାଯାଉଛି, ରାଜାଙ୍କ ମାଲିକାନାରେ ଥିବା ସବୁ ଗାଡ଼ିର ଶେଷ ନମ୍ବର ରହୁଥିଲା ୨୧। ଚଏସ୍ ନମ୍ବରରେ ରୁଚି ରଖୁଥିବା ରାଜାଙ୍କ ଆହୁରି ଅନେକ ଗାଡ଼ି ଅନ୍ୟମାନଙ୍କ ନାଁରେ ଥିବା କୁହାଯାଉଛି। ଏପଟେ କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତରେ ଥିବା ରାଜାଙ୍କ ବିଶାଳ ଫାର୍ମ ହାଉସର ବି ଠିକଣା ପାଇଛି EOW। ଫାର୍ମ ହାଉସରେ ପହଞ୍ଚିବା ପରେ ପରିପାଟି ଦେଖି ଟେରା ହୋଇଯାଇଥିଲେ EOW ଅଧିକାରୀ।

Advertisment

୧୦ ଏକରରୁ ଅଧିକ ଜଙ୍ଗଲ ଜମିରେ ଛିଡ଼ା ହୋଇଛି ରାଜାଙ୍କ ଲାଭିସ୍ ଫାର୍ମ ହାଉସ। ଏଠାରେ ଥିବା କଟେଜ୍ କୌଣସି ତାରକା ହୋଟେଲଠୁ ବି କମ୍ ନୁହେଁ। କଟେଜର ବାହାର ଓ ଭିତର ସାଜସଜା ସାମଗ୍ରୀ ଇମ୍ପୋର୍ଟେଡ୍ ବୋଲି କୁହାଯାଉଛି। କାଚ, କାଠ, ଫର୍ଣ୍ଣିଚର, ଟାଇଲ, ଗାଲିଚା ସବୁ କିଛି ବିଦେଶରୁ ଆସିଛି। ଖାଲି ସେତିକି ନୁହେଁ, ଫାର୍ମ ହାଉସ ଭିତରେ ୩ଟି ପୋଖରୀ, ପାର୍କ, ପାର୍ଟି ଲନ୍, ଦାମୀ ପଥର ମୂର୍ତ୍ତି ଦେଖିଲେ ଆଖି ଲାଖିଯିବ। ସେପଟେ ସୁନ୍ଦରଗଡ଼ କୋଇଡାରେ ରାଜା ଚକ୍ରର ହୁକୁମାତି ଚାଲିଥିବା କଥା ଏବେ ସାମ୍ନାକୁ ଆସୁଛି। ଏଠି ବି ଚଢାଉ କରି ରାଜା ଚକ୍ରର ୧୦ଟି ହାଇୱା ଗାଡ଼ିକୁ ଜବତ କରିଛି EOW।

କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟିରେ କୋଟି କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଥିଲେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର। ବର୍ଷ ବର୍ଷ ଧରି ସୋସାଇଟିରେ ଅର୍ଥ ହେରଫେର ସହ ଜାଲ କାଗଜପତ୍ର ଦେଇ ସରକାରଙ୍କୁ ଭୂଆଁ ବୁଲାଯାଉଥିବା ଅଭିଯୋଗରେ EOW ଛାନଭିନ୍ ଆରମ୍ଭ କରିଥିଲା। ସୋମବାର ରାଜାଙ୍କୁ ଦିନ ତମାମ ଝାଳବୁହା ଜେରା ପରେ ରାଜାଙ୍କ ସଂପତ୍ତିର ଖୋଳତାଡ଼ ପାଇଁ ୬ ଜିଲ୍ଲାରେ ଛାନଭିନ୍ କରୁଛନ୍ତି EOW ଓ STFର ମିଳିତ ଟିମ୍। ଗତକାଲି ଚଢାଉ ବେଳେ ରାଜା ଚକ୍ର ସହ କାରବାର ହୋଇଥିବା ୨ ଶହ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି ତଦନ୍ତକାରୀ ଟିମ୍। 

ତଦନ୍ତ ବେଳେ ରାଜା ଚକ୍ର ସହ ୫ରୁ ୬ ଜଣ ପ୍ରଭାବଶାଳୀ ବିଜେଡି ନେତା ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରୁ କୋଟି କୋଟି ଟଙ୍କା ଚଳୁ କରିଥିବା ପ୍ରମାଣ ପାଇଛି ତଦନ୍ତକାରୀ ସଂସ୍ଥା। କୁହାଯାଉଛି, ଆଗକୁ ଏ ମାମଲାରେ ଏକାଧିକ ବିଜେଡି ନେତାଙ୍କୁ ସମନ କରିପାରେ ଇଓଡବ୍ଲୁ।

ଅଧିକ ପଢ଼ନ୍ତୁ: ଅନଲାଇନ୍ ଗେମର ଲୋମଟାଙ୍କୁରା ପରିଣତି, ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

BJD EOW Raid
Advertisment
Advertisment