Old Age Pension: ବଞ୍ଚି ଥାଉଥାଉ ମାରିଦେଇଛି ପ୍ରଶାସନ, ନିଜକୁ ଜୀବିତା ଦର୍ଶାଇବାକୁ ସଂଘର୍ଷ ଜାରି ରଖିଛନ୍ତି ବୃଦ୍ଧା

ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି ।

ବଞ୍ଚି ଥାଉଥାଉ ମାରିଦେଲା ପ୍ରଶାସନ ।

ସରପଞ୍ଚ ଏବଂ ପିଇଓ ବାବୁଙ୍କ ରାଗ ପାଇଁ ସରକାରୀ ଭତ୍ତାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧା । ବୃଦ୍ଧା ଜଣକ ଜୀବିତ ଥିଲେ ମଧ୍ୟ ସରକାରୀ କାଗଜ ପତ୍ରରେ ମାରିଦେଇଛି ପ୍ରଶାସନ । ଏହାସହ ବନ୍ଦ ହୋଇଯାଇଛି ଭତ୍ତା ଟଙ୍କା । ଆକ୍ରୋଶମୂଳକ ଭାବେ ସରପଞ୍ଚ ଓ ପିଇଓ ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ଭତ୍ତାରୁ ନାଁ କାଟିଦେଇଥିବା ଅଭିଯୋଗ ହୋଇଛି । ଖୋଦ୍ ସରପଞ୍ଚ ଓ ପିଇଓ ବୃଦ୍ଧାଙ୍କୁ ମୃତ ଦର୍ଶାଇ ରିପୋର୍ଟ ଦେଇଛନ୍ତି ।

ଜଣେ ୭୮ ବର୍ଷୀୟା ବୃଦ୍ଧା ମାଳତୀ ସେଠୀ ନିଜକୁ ଜୀବିତ ଦର୍ଶାଇବାକୁ ସଂଘର୍ଷ କରୁଛନ୍ତି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ କରଦା ପଞ୍ଚାୟତର ରାଣୀଗୋଡା ଗ୍ରାମରେ । ବୟସର ସାୟାହ୍ନରେ ଆଖି ନିସ୍ତେଜ ହୋଇଗଲାଣି । ଉଠିବାକୁ ଜୁ ଟିକେ ବି ନାହିଁ । ପାରାଲେସିସ୍ ରୋଗ ଶରୀରକୁ ଅକର୍ମା କରିପକାଇଛି । ନୁଆଣିଆ ଆଜବେଷ୍ଟସ୍ ଛପର ଘରେ ପୁଅବୋହୂଙ୍କ ସହ ବାକି ଜୀବନ ବିତାଉଛନ୍ତି ବୃଦ୍ଧା । କିନ୍ତୁ ଦୁଃଖର ବିଷୟ ବଞ୍ଚିଥିବା ମଣିଷଟାକୁ କାଗଜପତ୍ରରେ ପ୍ରଶାସନ ମାରିଦେଇଛି ।

ଜୀବିତା ମାଳତୀଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି । ଅପରପକ୍ଷେ ମାଳତୀ ନିଜକୁ ଜୀବିତ ବୋଲି ଦର୍ଶାଇବାକୁ ସଂଘର୍ଷ କରୁଛନ୍ତି । ପଞ୍ଚାୟତରରେ ଥିବା ରେଜିଷ୍ଟ୍ରର ଅନୁଯାୟୀ । ହିତାଧିକାରୀଙ୍କ ନାମ ମାଳତୀ ସେଠୀ । କ୍ରମିକ ନମ୍ବର ଓଆରଏସ 04068823 । ସେ କେନ୍ଦ୍ର ସରକାରଙ୍କ ଏନଏସଏପି ଅଧୀନରେ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ । କିନ୍ତୁ ଗତ ଦୁଇ ମାସ ଧରି ଟଙ୍କା ନଆସିବାରୁ ସରପଞ୍ଚଙ୍କୁ ଅଭିଯୋଗ ଜଣାଇଥିଲେ ।

ଏହାପରେ ସେ ବାରମ୍ବାର ପଞ୍ଚାୟତକୁ ଦୌଡ଼ି ନିରାଶ ହୋଇଥିଲେ । ଶେଷରେ ବ୍ଲକ୍ ଅଫିସରୁ ଜାଣିବାକୁ ପାଇଥିଲେ, ୩ ମାସ ହେଲା ମାଳତୀ ସେଠୀଙ୍କର ମୃତ୍ୟୁ ହୋଇସାରିଛି । ଏନେଇ ଖୋଦ୍ ସରପଞ୍ଚ ଓ ତତ୍କାଳୀନ ପିଇଓ ଦେବାଶିଷ ମହାରଣା ଲିଖିତ ଭାବେ ବ୍ଲକକୁ ଜଣାଇଛନ୍ତି । ପରେ ଭତ୍ତା ପୋର୍ଟାଲରୁ ନାଁ ମଧ୍ୟ କାଟି ଦିଆଯାଇଛି । ଏନେଇ ବୃଦ୍ଧାଙ୍କ ପୁଅ ବିଧାୟକ ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ସହ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହାକୁ ନେଇ ତତ୍କାଳୀନ ପିଇଓ ବେଖାତିର ଭାବେ କହିଛନ୍ତି, ଯଦି ବୃଦ୍ଧା ବଞ୍ଚିଛନ୍ତି ତେବେ ପୁଣିଥରେ ଭତ୍ତା ପାଇଁ ଆବେଦନ କରନ୍ତୁ ।

ସବୁ ଠାରୁ ବଡ଼ ପ୍ରଶ୍ନ ବଞ୍ଚି ଥାଉ ଥାଉ କେମିତି ବୃଦ୍ଧାଙ୍କୁ ମାରିଦେଲା ପ୍ରଶାସନ ? କାହା ନିର୍ଦ୍ଦେଶରେ ଜୀବିତ ବୃଦ୍ଧାଙ୍କୁ ମୃତ ଦର୍ଶାଗଲା ? ଭତ୍ତାରୁ ନାଁ କାଟିବା ଆଗରୁ ଯାଞ୍ଚ କରାଯାଇନଥିଲା କାହିଁକି ? ଏସବୁ ଭିତରେ ଦେଖିବାକୁ ବାକି ରହିଲା, କେବେ ନ୍ୟାୟ ପାଉଛନ୍ତି ମାଳତୀ ।

ଅଧିକ ପଢ଼ନ୍ତୁ : ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ