Astrospeak
  • Live TV
  • Read In English

Jagannath Devotees: ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଦଶା ଭୋଗୁଛନ୍ତି ଦିବ୍ୟାଙ୍ଗ ଭକ୍ତ

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍‌ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Jagannath Temple Puri
କେବେ ସରିବ ଏ ଯନ୍ତ୍ରଣା ?

ବଦଳିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବର କାୟାକଳ୍ପ । କିନ୍ତୁ, ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥାରେ ଆସିପାରିଲାନି ସୁଧାର । ନା କେହି ଶାନ୍ତିର ସହ ବଡ଼ଦେଉଳ ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଛନ୍ତି ନା ଆତ୍ମ ସନ୍ତୁଷ୍ଟି ଲାଭ କରୁଛନ୍ତି । ବରଂ ଦୂରଦୂରାନ୍ତରୁ ଆସୁଥିବା ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ଖରା ତାତି ଭିତରେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ।

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍‌ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

କେତେ ଆଶା, କେତେ ଆବେଗ ନେଇ ମହାପ୍ରଭୁଙ୍କ ଦର୍ଶନ ଟିକେ ପାଇବା ପାଇଁ କେତେ ପ୍ରତିବନ୍ଧକ ଡେଇଁ ଶ୍ରୀମନ୍ଦିର ସିଂହଦ୍ବାରରେ ଦିବ୍ୟାଙ୍ଗ ଭକ୍ତ ପହଞ୍ଚୁଛନ୍ତି । କିଏ ବୁହା ହୋଇଯାଉଛନ୍ତି ତ ଆଉ କିଏ ଲୋଟି ଲୋଟି ବଡ଼ ଦେଉଳ ଭିତରକୁ ଯାଉଛନ୍ତି । ଦୃଶ୍ୟ ଦେଖିଲେ ଲାଗୁଛି, ଏହି କାଳିଆ ପ୍ରେମୀଙ୍କୁ ବୟସର ବୋଝ ଆଗରେ ବ୍ୟବସ୍ଥାର ବୋଝ ବଳି ପଡ଼ିଯାଇଛି । କାରଣ ଆଜି ଯାଏଁ ଜଗତଠାକୁରଙ୍କୁ ଦର୍ଶନ ପାଇଁ ଆସିଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନା ରହିଛି ସ୍ବତନ୍ତ୍ର ବ୍ୟବସ୍ଥା ନା ବରିଷ୍ଠ ନାଗରିକ ପାଇଁ ଦିଆଯାଇଛି ସ୍ବତନ୍ତ୍ର ଧ୍ୟାନ ।

ଅଧିକ ପଢ଼ନ୍ତୁ: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍‌ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ

ବିକଳ୍ପ ନଥିବାରୁ ହ୍ବିଲ୍ ଚେୟାର ଯୋଗେ ଦିବ୍ୟାଙ୍ଗ ଭକ୍ତ ଶ୍ରୀମନ୍ଦିର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ଆଉ ନିବେଦନ କରିଛନ୍ତି, ଉତ୍ତର ଦୁଆରରେ ରାଂପ୍ ବ୍ୟବସ୍ଥା କରି ରାଜ୍ୟ ସରକାର ଜଗାଦର୍ଶନର ସୁଯୋଗ ଦିଅନ୍ତୁ । ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଦିବ୍ୟାଙ୍ଗମାନେ କିପରି ହ୍ବିଲ୍ ଚେୟାରରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ, ସେଥିପାଇଁ ଅନେକ କାର୍ଯ୍ୟ ଶେଷ ହୋଇଛି । ବଳକା କାର୍ଯ୍ୟ ସାରିବା ପାଇଁ ଆଉ ୪ ମାସ ଆବଶ୍ୟକ । ୪ ମାସ ମଧ୍ୟରେ ହ୍ବିଲ୍ ଚେୟାରରେ ଭିନ୍ନକ୍ଷମମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିବା ସୂଚନା ମିଳିଛି ।

ଏପଟେ ନାଟମଣ୍ଡପର ଧାଡ଼ି ଦର୍ଶନ ବ୍ୟବସ୍ଥା ବି ଅଧାରେ ଅଟକିଛି । କାଠର ବ୍ୟାରିକେଡ ନିର୍ମାଣ ସରିଛି ସତ, କିନ୍ତୁ ବ୍ୟବସ୍ଥା କରାଯାଇପାରୁନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ରାଂପ୍ ତିଆରି ଚାଲିଛି ଓ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ । ଆଗାମୀ ଦିନରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ନୂଆ SOP ଲାଗୁ ହେବ । ଛତିଶା ନିଯୋଗ ଏବଂ ନୂତନ ପରିଚାଳନା କମିଟି ଗଠନ ପରେ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ିଛୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ ରାଜସ୍ବ ମନ୍ତ୍ରୀ; ଖୁବ୍‌ଶୀଘ୍ର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା