/odishatv-khabar/media/post_attachments/uploadimage/library/16_9/16_9_0/Diarrhea__1749894856.jpg)
Diarrhea
ରାଜଧାନୀକୁ ବି ଡାଇରିଆ ଭୟ । ଯାଜପୁର, ଭଦ୍ରକ ପରେ ଏବେ ଭୁବନେଶ୍ୱର ପାଳି । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ୱରେଜ ଜଳ ଓ ପାନୀୟ ଜଳ ମିଶିଯିବାରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଆପାର୍ଟମେଣ୍ଟକୁ ପାନୀୟ ଜଳ ସଂଯୋଗ ନଥିବା ଏବଂ ଭୂତଳ ଜଳ ପିଉଥିବାରୁ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।
#ରାଜଧାନୀକୁ_ଡାଇରିଆ_ଡର
ଯାଜପୁର, ଭଦ୍ରକ ପରେ ଏବେ ସିଧାସଳଖ ରାଜଧାନୀ ଭୁବନେଶ୍ବର ପାଳି। ଭୁବନେଶ୍ବରକୁ ବି ବ୍ୟାପିଲାଣି ଡାଇରିଆ । ରାଜଧାନୀବାସୀଙ୍କୁ ଘାରିଲାଣି ଡାଇରିଆ ଡର। #Bhubaneswar#WaterContamination#DiarrhoeaOutbreak#DrinkingWaterCrisis#OTVpic.twitter.com/bUDeEhAaIG— ଓଟିଭି (@otvkhabar) June 14, 2025
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦୁଇରୁ ତିନି ମାସ ହେଲା ଆପାର୍ଟମେଣ୍ଟର ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହେଲେଣି ଏବଂ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରୁଛନ୍ତି । ପାନୀୟ ଜଳରେ ସ୍ୱରେଜ ଜଳ ମିଶୁଥିବାରୁ ଜଳ ଦୂଷିତ ହେଉଛି । ଏହାକୁ ପିଇ ଝାଡ଼ାବାନ୍ତିରେ ପଡୁଛନ୍ତି । ଏହି ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଆସି ବିଭିନ୍ନ ପରାମର୍ଶ ଦେଇଥିଲେ ହେଁ ଝାଡାବାନ୍ତି ଲାଗି ରହିଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ରହିଛି । ଝାଡ଼ାବାନ୍ତିରେ ମୋଟ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ୫୦୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଦାନଗଦି, ଧର୍ମଶାଳାରେ ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ରହିଛି । ଏହାସହ ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର ।
ଅଧିକ ପଢ଼ନ୍ତୁ: ଯାଜପୁରରେ ରଜ ପର୍ବରେ ଭୋଜି ମନା, କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ
ଏଥିପାଇଁ ଲୋକମାନଙ୍କୁ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ପରାମର୍ଶ ଦିଆଯାଇଛି । ସର୍ବଦା ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ କୁହାଯାଇଛି । ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରୁ ସହାୟତା ନେବାକୁ ପରାମର୍ଶ ଦିଆଯାଉଛି । ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ।
ତେବେ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି । ଚିକିତ୍ସିତ ଆକ୍ରାନ୍ତମାନେ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜଣେ ଆକ୍ରାନ୍ତ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧୀନ ଦାଣ୍ଡକୁଳ ଓ ତିଖିଲିଆରେ ଝାଡ଼ାବାନ୍ତି ବ୍ୟାପିଥିଲା । ୭ରୁ ଅଧିକ ଆକ୍ରାନ୍ତଙ୍କୁ ଯାଜପୁର ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ଏବେ ପର୍ଯ୍ୟନ୍ତ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)