ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ। ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଯେମିତି କେହି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି ତାହା ଉଦ୍ଦେଶ୍ୟ । ଠିକ୍ ସେହିପରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଉଛି ।
ଭକ୍ତ କିଭଳି ଶହେ ଟଙ୍କାରେ ମହାପ୍ରସାଦ ପାଇବେ ସେଦିଗରେ ବି ବିଚାର ବିମର୍ଶ ଚାଲିଛି । ସେହିପରି ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତା ୩ ମାସ ଭିତରେ ASIକୁ ରତ୍ନ ଭଣ୍ଡାର ମରାମତି କାମ ସାରିବାକୁ କୁହାଯାଇଛି । ଏହି କାମ ସରିବା କ୍ଷଣି ମହାପ୍ରଭୁଙ୍କ ଅଳଙ୍କାର ଗଣତି ମଣତି କରାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।
ସେପଟେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ଶ୍ରୀମନ୍ଦିର ଉପରେ ଉଡ଼ାଇଛନ୍ତି ଡ୍ରୋନ୍ । ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ୍ । ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ସୁଟ୍ କରାଯାଇଛି । ଗତ ରବିବାର, ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍...ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ ।
Also Read
ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ
ଆଉ ଠିକ୍ ଏହି ସମୟରେ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଲା ଡ୍ରୋନ । ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ସୁଟ୍ କରିଥିଲା । ଏମିତିକି ବେଶ୍ ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି । ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ ।
ପ୍ରାୟ ଅଧ ଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ ହେଲେ ନା ପୋଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି । ତେବେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା କିଛି ନୂଆ କଥା ନୁହେଁ । ଗତବର୍ଷ ଆକାଶ ମାର୍ଗରୁ ଭିଡିଓ ଉଠାଇ ଏହାକୁ ନିଜ ୟୁଟ୍ୟୁବ୍ ପେଜରେ ଅପଲୋଡ୍ କରି ବିବାଦକୁ ଆସିଥିଲେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ।
୨୦୧୮ ମସିହାରେ ବି ଏମାର ମଠ ଉପରେ ରହି ଡ୍ରୋନ୍ ସାହାଯ୍ୟରେ ଶ୍ରୀମନ୍ଦିରର ଭିଜୁଆଲ୍ ନିଆଯାଇଥିଲା । ତା ପୂର୍ବରୁ ୨୦୧୭ରେ ରାଧାବଲ୍ଲଭ ମଠରୁ ଡ୍ରୋନ୍ ଉଡ଼ାଇ ଧରାପଡ଼ିଥିଲେ ୪ ବିଦେଶୀ ପର୍ଯ୍ୟଟକ । କେତେବେଳେ ଡ୍ରୋନ୍ ଉଡ଼ୁଛି ପୁଣି କେତେବେଳେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ଭାଇରାଲ୍ ହୋଇଛି । ଏକାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଧରିଛି ପୋଲିସ୍ ।
ଏହା ସତ୍ତ୍ୱେ ବି ନା ପ୍ରଶାସନ ଚେତୁଛି ନା ଏଥିରେ ସଂପୂର୍ଣ୍ଣ ରୋକ୍ ଲଗାଯାଇ ପାରୁଛି । ପରିସ୍ଥିତି ଏମିତି ହେଲାଣି କି ଶ୍ରୀମନ୍ଦିର ଉପରେ ଧ୍ୱଜା ବାନ୍ଧିବାକୁ ଯାଇଥିବା ସେବାୟତ ବି ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଡ୍ରୋନ୍ ପାଇଁ ।