/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733579910.jpg)
Rented House
ଭୁବନେଶ୍ବରରେ ମାତିଛନ୍ତି ଘର ଭଡ଼ା ଦଲାଲ। ଅନ୍ୟର ଘର ଦେଖାଇ ଲୁଟିନେଉଛନ୍ତି ଟଙ୍କା। ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜ୍ୟୋତିପ୍ରକାଶ ସାହୁ। ଦିଲ୍ଲୀରେ ପଢା ସାରି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଇଣ୍ଟର୍ଣ୍ଣସିପ୍ ପାଇଁ ଆସିଥିଲେ ଜ୍ୟୋତି। ରାସ୍ତା କଡରେ ଟୁ ଲେଟ୍ ପୋଷ୍ଟର ଦେଖି କଣ୍ଟାକ୍ଟ କରିବା ପରେ ଜଣେ ଦଲାଲ ସହ ଯୋଗାଯୋଗ ହୋଇଥିଲା। ଡିଲ୍ ମୁତାବକ ଘର ଦେଖାଇବାକୁ ସେ ନେଇଥିଲେ ୫ଶହ ଟଙ୍କା। ଶ୍ରୀଅଙ୍ଗ କନଷ୍ଟ୍ରକସନ୍ ନାଁ ସହ ଜିଏସଟି ନମ୍ବର, ୟୁପିଆଇ ସ୍କାନର ସବୁ ରହିଛି।
ଶିକ୍ଷିତ ଜ୍ୟୋତିଙ୍କ ପାଇଁ ଭରସା କରିବା ଭୁଲ୍ ନଥିଲା। ଏହାପରେ ଜ୍ୟୋତିଙ୍କୁ ଦେଖାଯାଇଥିଲା ଘର। ନୀଳାଦ୍ରି ବିହାର ଅଂଚଳର ଏହି ଘର ବାବଦକୁ ମାସିକ ସାଢେ ୮ ହଜାର ଲେଖାଏଁ ଦୁଇ ମାସର ୧୭ ହଜାର ଟଙ୍କା ଆଡଭାନ୍ସ ଦେଇଥିଲେ ଜ୍ୟୋତି। ମୋବିକ୍ବିକରେ ଟଙ୍କା ପଠାଯାଇଥିବା ନେଇ ରହିଛି ଇନଭଏସ୍ ମେସେଜ୍। ଟଙ୍କା ଯାଇଛି ଦଲାଲ ଦୁର୍ଯ୍ୟୋଧନ ସାହୁଙ୍କୁ। ହେଲେ ଜିନିଷପତ୍ର ନେଇ ଜ୍ୟୋତି ଯେତେବେଳେ ଘରେ ରହିବାକୁ ଆସିଥିଲେ, ଘର ମାଲିକ କହିଥିଲେ, ସେ କୌଣସି ସଂସ୍ଥା କି ଦଲାଲଙ୍କୁ ଘର ଭଡ଼ା ବାବଦରେ କହିନାହାନ୍ତି।
ସେପଟେ ଶ୍ରୀଅଙ୍ଗ କନଷ୍ଟ୍ରକସନ୍ ପକ୍ଷରୁ କୁହାଯାଇଛି ଯେ, ଦୁର୍ଯ୍ୟୋଧନ ସାହୁ ପୂର୍ବରୁ ସେଠାରେ କାମ କରୁଥିଲା। ହେଲେ ଏବେ ଆଉ ନାହିଁ। ଠକେଇର ଶିକାର ଜ୍ୟୋତି ଇନଫୋସିଟି ଥାନାରେ ଏନେଇ ଅଭିଯୋଗ କରିଥିବା ବେଳେ ଏଯାଏଁ ତାଙ୍କୁ ନା ଘର ମିଳିଛି ନା ଟଙ୍କା।କେବଳ ଜ୍ୟୋତି ନୁହନ୍ତି, ଏଭଳି ଅନେକ ରାଜଧାନୀରେ ଭଡ଼ା ଘର ଖୋଜି ଦଲାଲଙ୍କ ହାବୁଡରେ ପଡୁଛନ୍ତି ଏବଂ ଠକେଇର ଶୀକାର ହେଉଛନ୍ତି।
ଗତ ସେପ୍ଟେମ୍ବର ମାସରେମୈତ୍ରୀ ବିହାର ଥାନା ଅନ୍ତର୍ଗତ ଓମ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଘଟିଥିଲା ସମାନ ଘଟଣା। OLXରେ ଘର ଭଡ଼ା ପାଇଁ ଦଲାଲ ଫଟୋ ପୋଷ୍ଟ କରି ଏକାଧିକ ଯୁବକ-ଯୁବତୀଙ୍କୁ ଲଗାଇଥିଲା ଚୂନ। ଏଭଳି ସ୍ଥିତିରେ ଘର ଖୋଜିବା ବେଳେ ଦଲାଲଙ୍କ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)