Advertisment

Puri Stampede: ଜଗାଦର୍ଶନ ପାଇଁ ଆସି ଅକାଳରେ ଚାଲିଗଲା ତିନି ଜୀବନ, ଦୀର୍ଘ ସମୟ ଧସ୍ତାଧସ୍ତିରୁ ଭୟଙ୍କର ପରିଣାମ

ଶରଧାବାଲି ଅଘଟଣରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁମାନେ ହେଲେ ଖୋର୍ଦ୍ଧା ବାଲିପାଟଣାର ୫୨ ବର୍ଷୀୟା ପ୍ରଭାତୀ ଦାସ, ଖୋର୍ଦ୍ଧା ଗୋଡ଼ଭଙ୍ଗାର ୪୨ ବର୍ଷିୟା ବାସନ୍ତୀ ସାହୁ ଏବଂ ଭୁବନେଶ୍ବର ନୟାପଲ୍ଲୀର ୭୮ ବର୍ଷିୟ ପ୍ରେମକାନ୍ତ ମହାନ୍ତି।

author-image
Manasranjan Mohanty
Puri Stampede

Puri Stampede

ଅସମ୍ଭାଳ ଭିଡ଼ । ସୋରିଶ ପକାଇବାକୁ ବି ଜାଗା ନାହିଁ। ଶରଧାବାଲିରେ ଠେଲାପେଲା । ଜୀବନ ବଞ୍ଚାଇବାକୁ ଚାଲିଛି କସରତ। ନା ଭିଡ଼ ସମ୍ଭାଳିବାକୁ ଏଠି କିଏ ଅଛନ୍ତି ନା କାହାକୁ ନିୟନ୍ତ୍ରଣ କରାଯାଇପାରୁଛି। ଦୀର୍ଘ ସମୟ ଧସ୍ତାଧସ୍ତିରୁ ଭୟଙ୍କର ପରିଣାମ । କେବଳ ଚିତ୍କାର ଆଉ ଯନ୍ତ୍ରଣା । ଚାରମାଳ ଉପରେ ବିକ୍ଷିପ୍ତ ହୋଇ ପଡ଼ିଥିବା ଜୋତା, ଚପଲ, ପାଣି ବୋତଲ ସବୁ ବଖାଣୁଛି ସ୍ଥିତିର ଭୟାବହତା।

Advertisment

ଶରଧାବାଲିର ଏହି ସଂଘର୍ଷ ଭିତରେ ପତ୍ନୀକୁ ହରାଇବା ପରେ ସ୍ବାମୀ ପାଖରେ ଆଉ ବା କ’ଣ ଅଛି...ଏହି କଅଁଳ ବୟସରେ ମା’ ଚାଲିଯିବା ପରେ ପୁଅ ଆଖିର ଲୁହ ପୋଛିବାକୁ ଆଉ ବା କିଏ ଅଛି। ତିନି ତିନି ଜଣଙ୍କ ବିୟୋଗ ପରେ ଲୁହ ଆଉ କୋହରେ ଭାସୁଛି ପୁରୀ ମେଡ଼ିକାଲ।

ଶରଧାବାଲି ଅଘଟଣରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁମାନେ ହେଲେ ଖୋର୍ଦ୍ଧା ବାଲିପାଟଣାର ୫୨ ବର୍ଷୀୟା ପ୍ରଭାତୀ ଦାସ, ଖୋର୍ଦ୍ଧା ଗୋଡ଼ଭଙ୍ଗାର ୪୨ ବର୍ଷିୟା ବାସନ୍ତୀ ସାହୁ ଏବଂ ଭୁବନେଶ୍ବର ନୟାପଲ୍ଲୀର ୭୮ ବର୍ଷିୟ ପ୍ରେମକାନ୍ତ ମହାନ୍ତି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଭୋର୍ ପ୍ରାୟ ୪ଟା ବେଳେ ତିନି ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ବଢ଼ିଥିଲା। ତାହାରି ଭିତରେ ପଶି ଆସିଥିଲା ଚାରମାଳ ବୋଝେଇ ୨ଟି ଟ୍ରକ୍। ସେହି ସମୟରେ ତଳେ ବସିବା ପାଇଁ ଜଣେ ଶ୍ରଦ୍ଧାଳୁ ଆଣିଥିଲେ ପଲିଥିନ। ତେବେ ବର୍ଷା ଯୋଗୁ ସେହି ପଲିଥିନରେ ଗୋଡ଼ ଖସିଯିବା ପରେ କଚାଡ଼ି ହୋଇପଡ଼ିଥିଲେ ଜଣଙ୍କ ପରେ ଜଣେ ଶ୍ରଦ୍ଧାଳୁ। ହେଲେ ନା କାହାକୁ ତୁରନ୍ତ ଉଦ୍ଧାର କରାଯାଇପାରିଲା ନା କାହାକୁ ଦିଆଯାଇପାରିଲା ସୁରକ୍ଷା।

ଫଳରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଯିବା ସହ ବହୁ ଲୋକ ଆହତ ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଅନ୍ୟ ଏକ କାରଣ ହେଉଛି, ରାତି ୧୨ଟା ୨୦ ମିନିଟରେ ମହାପ୍ରଭୁଙ୍କ ପହୁଡ଼ ପଡ଼ି ଭୋର୍ ୩ଟା ୪୫ରେ ଫିଟିଥିଲା। କିନ୍ତୁ ପହୁଡ଼ ସମ୍ପର୍କରେ କୌଣସି ଘୋଷଣା କରାଯାଇନଥିଲା। ଅନ୍ୟପକ୍ଷରେ ଆଜି ରବିବାର ଥିବାରୁ ଗତକାଲି ସଂଧ୍ୟାରୁ ହିଁ ଶରଧାବାଲିକୁ ଛୁଟିଥିଲା ଅସମ୍ଭାଳ ଭିଡ଼। ହେଲେ ଅଭିଯୋଗ ହୋଇଛି, ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୋଲିସ ନଥିଲେ।

ଅଘଟଣ ପରେ ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେନେଇ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଶରଧାବାଲି ଅଘଟଣରେ ପ୍ରାଣ ହରାଇଥିବା ୩ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଶରଧାବାଲି ଅଘଟଣ: କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏଭଳି ଅବହେଳା ଅକ୍ଷମଣୀୟ

Puri Ratha Yatra Stampede
Advertisment
Related Articles
Advertisment