ପୋଲିସ୍ କଲର ଧରିଲେ ଧମକ ଦେଲେ
ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ ପ୍ରତିବାଦରେ ଦଳର ନେତା ଓ କର୍ମୀଙ୍କ ଉଗ୍ର ଆଚରଣ । ଆଜି ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମବେଳେ ସେମାନଙ୍କୁ ଅଟକାଇବାରୁ ପୋଲିସକୁ ଠେଲାପେଲା କରିବା ସହ ନାଲି ଆଖି ଦେଖାଇବାକୁ ବି ପଛାଇ ନଥିଲେ । କ୍ୟାମେରାରେ ସବୁ ଚିତ୍ର କଏଦ ହୋଇଥିବାବେଳେ କିନ୍ତୁ ସବୁ କଥାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଓ ପୋଲିସ ପ୍ରତି ନୂଆ ଆକ୍ଷେପ ଆଣିଛନ୍ତି କଂଗ୍ରେସ ନେତା, ଯାହାର କଡ଼ା ପ୍ରତି ଜବାବ ଦେଇଛି ବିଜେପି ।
ଆଚରଣ- ଉଗ୍ର, ଅଶୋଭନୀୟ । କ୍ୟାମେରାରେ କଏଦ୍ ସାରା କାରନାମା । ପୋଲିସକୁ ଧକ୍କାପେଲା କଲେ, ଧମକାଇଲେ । ବ୍ୟାରିକେଡ୍ ବି ଭାଙ୍ଗିଲେ । ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ । ମୁଣ୍ଡରୁ ଟୋପି ଖସାଇ ଦେଲେ, କାନ୍ଧରୁ ଷ୍ଟାର୍ ଭିଡ଼ି ଧରିଲେ । ବିଶୃଙ୍ଖଳା ପାଇଁ ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ ପ୍ରତିବାଦରେ ଆଜି ବିଧାନସଭା ଆଗରେ କଂଗ୍ରେସ ନେତା ଓ କର୍ମୀଙ୍କର ଏମିତି ଥିଲା ହିଂସାତ୍ମକ ଆଭିମୁଖ୍ୟ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇ ଥିଲା ପୋଲିସ । କଂଗ୍ରେସ କର୍ମୀଙ୍କୁ ବାରମ୍ବାର ବୁଝାଇ ଅଟକାଉଥିଲେ ନିଜେ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ । ଏପିରିକି ଏହି ସମୟରେ କଂଗ୍ରେସ ବିଧାୟକ ରମେଶ ଜେନା ବି ଧସେଇ ପଶିବାକୁ ଉଦ୍ୟମ କରିବାରୁ ତାଙ୍କୁ ବୁଝାଇଥିଲେ, ହେଲେ ସେତେବେଳେ ହଠାତ୍ କେତେକ କଂଗ୍ରେସ କର୍ମୀ ନରସିଂହଙ୍କ କଲର ଭିଡି ଧରିଥିଲେ ଓ ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ
ଖାଲି ସେତିକି ନୁହେଁ ହାତ ମାରିଲେ, କାନ୍ଧରୁ ତାରା ଖସାଇଦେବାକୁ ବି ଧମକାଇ ଥିଲେ । ସବୁ ଦୃଶ୍ୟ ଟିକନିଖ୍ ଭାବେ ସେତେବେଳେ ବିଭିନ୍ନ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଛି । ଖାଲି ସେତିକି ନୁହେଁ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ କେମିତି ଜଣେ ପୁରୁଷ ପୋଲିସ କର୍ମଚାରୀଙ୍କୁ ଜଣେ ମହିଳା କଂଗ୍ରେସ କର୍ମୀ କଲର ଟାଣି ଧମକାଉଛନ୍ତି ସେ କଥା ବି ଶୁଣନ୍ତୁ। ତେବେ ପ୍ରତିବାଦ ସ୍ଥଳରୁ କଂଗ୍ରେସ କର୍ମୀଙ୍କୁ ଉଠାଇନେବା ବେଳେ ଡିସିପିଙ୍କୁ ଖୋଲାଖୋଲି ଧମକ ଦେବାକୁ ବି ପଛାଇ ନଥିଲେ ଦଳର ନେତା ମାନସ ଚୌଧୁରୀ ।
ତେବେ ଅତିରିକ୍ତ ସିପିଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ରମେଶ ଜେନା କିନ୍ତୁ ରଖିଛନ୍ତି ଅଜବ ଯୁକ୍ତି । କହିଛନ୍ତି ଆଜି ସେଭଳି କୌଣସି ଦୃଶ୍ୟ ମୁଁ ଦେଖିନି, ଏହା କେବଳ ଏକ ବାହାନାବାଜି । ଆମର ବି ସାର୍ଟ ଚିରିଛି, ଠେଲାପେଲା ଭିତରେ ଯାହା ଘଟିଲା ସେଥିରେ କେହି ଦାୟୀ ନୁହନ୍ତି ।
ତେବେ କଂଗ୍ରେସର ଆରୋପ କି ଆକ୍ଷେପ ଏଇଠି ସରିନି, ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି- କାଲି ବିଧାନସଭା ଭିତରେ ଧାରଣାବେଳେ ଆମକୁ ଦେଖିବାକୁ ଆସିଥିବା ପୂର୍ବତନ ବିଧାୟକମାନଙ୍କୁ ଭିତରକୁ ଛଡ଼ାଗଲାନି । ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ, ମୋ ବେକରୁ ଜଣେ ସୁରକ୍ଷା ଅଧିକାରୀ ଚେନ୍ ଛଡ଼ାଇ ନେଲେ। ନାରୀ ନିର୍ଯାତନା ମାମଲାରେ ହାଉସ୍ କମିଟି ଦାବିରେ ମରିଯିବୁ ପଛେ ଡରିବୁନି ବୋଲି କହିଛନ୍ତି ତାରା। ତେଣେ ପୁରା ଘଟଣାରେ କଡ଼ା ପ୍ରତି ଜବାବ ରଖି ବିଜେପି କହିଛି- କୌଣସି କଂଗ୍ରେସ ବିଧାୟକଙ୍କ ଉପରେ ପୋଲିସ ବଳ ପ୍ରୟୋଗ କରିନାହିଁ। ଏହି ଦଳର ସଭ୍ୟମାନେ ଜଣେ ବାହାର ବ୍ୟକ୍ତି ଇଶାରାରେ ପରିଚାଳିତ ହେଉଛନ୍ତି ।
ପୋଲିସ ଉପରେ କଂଗ୍ରେସର ଆକ୍ରମଣ ନୂଆ ନୁହେଁ, ୨୦୧୨ ସେପଟେମ୍ବର ୬ ତାରିଖରେ ଲୋୟର ପିଏମଜିରେ ତତ୍କାଳୀନ ବିଜେଡି ସରକାର ବିରୋଧରେ ଆନ୍ଦୋଳନବେଳେ ଡ୍ୟୁଟିରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ସେତେବେଳେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ କଂଗ୍ରେସ କର୍ମୀ, ଏବେ ପୁଣି ଅନୁରୂପ ଦୃଶ୍ୟର ପୁନରାବୃତ୍ତି ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743006075.jpg)