Advertisment

Samir Dey: ପରଲୋକରେ ସମୀର ଦେ, କଟକରୁ ୩ ଥରର ବିଧାୟକ

ଚିକିତ୍ସାଧୀନ ଅବସ୍ଥାରେ କଟକର ଘରୋଇ ହସ୍ପିଟାଲରେ ଦେହାନ୍ତ । ସମୀରଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

ଆଉ ନାହାଁନ୍ତି ସମୀର ଦେ ।

ପରଲୋକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଫୁସଫୁସ୍‌ରେ ସଂକ୍ରମଣ ଯୋଗୁଁ କିଛି ଦିନ ହେଲା ତାଙ୍କର ଆଇସିୟୁରେ ଚିକତ୍ସା କରାଯାଉଥିଲା। ପୂର୍ବରୁ ତାଙ୍କର କିଡନି ପ୍ରତିରୋପଣ ବି ହୋଇଥିଲା।

Advertisment

ହସ ହସ ଚେହେରା.. ମିଷ୍ଟଭାଷୀ ବ୍ୟକ୍ତିତ୍ୱ.. ପରୋପକାରୀ ସ୍ୱଭାବ.. ସ୍ନେହୀ ମଣିଷ.. ସମୀର ଦେ। ଅଫେରା ପଥରେ ବିଜେପିର ଏହି ଭେଟେରାନ। ଭାଇଚାରାର ସହରରେ ଭାଇ ଭଳି ସ୍ନେହ ବାଣ୍ଟୁଥିବା ସମୀରଙ୍କର ଆଜି ୬୭ ବର୍ଷରେ ଦେହାନ୍ତ ହୋଇଛି। ଫୁସଫୁସରେ ସଂକ୍ରମଣ, କିଡନୀ ସମସ୍ୟା ଓ ଉଚ୍ଚ ରକ୍ତଚାପ ସହ ଜୁଝୁଥିଲେ ସମୀର। ୧୦ ଦିନ ହେଲା କଟକର ଏକ ଘରୋଇ ହସପିଟାଲ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରି ଚିକିତ୍ସା ଜାରି ରଖିଥିଲେ। ହେଲେ ଶେଷରେ ଆଖି ବୁଜିଛନ୍ତି ସମୀର ।

୧୯୯୦ରେ ପଲିଟିକାଲ୍ ଡେବ୍ୟୁ କରିଥିଲେ ସମୀର। ବିଜେପି ଟିକେଟରେ କଟକ ବିଧାନସଭା ଆସନରୁ ଲଢିଥିଲେ ନିର୍ବାଚନ। ହେଲେ ପ୍ରଥମରୁ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ତେବେ ପଛକୁ ହଟିନଥିଲେ। ଲାଗିପଡିଥିଲେ ସଂଗଠନ ଗଢିବାରେ। ୧୯୯୫ରେ ମିଳିଥିଲା ପ୍ରଥମ ସଫଳତା। କଟକ ସିଟି ଆସନରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର। ପରେ ୨୦୦୦ ଏବଂ ୨୦୦୪ରେ ଲଗାତର ଭାବେ ନିର୍ବାଚନ ଜିତି ବିଧାୟକ ଭାବେ କରିଥିଲେ ହ୍ୟାଟ୍ରିକ।

Advertisment

ଏହା ସହ ପଢ଼ନ୍ତୁ: ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କେଜି ସୁନା, ନଗଦ ୧୩ ଲକ୍ଷ ଟଙ୍କା

୨୦୦୦ରେ ମେଣ୍ଟ ସରକାରରେ ସେ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ବନିଥିଲେ। ୨୦୦୪ରେ ତାଙ୍କୁ ମିଳିଥିଲା ଉଚ୍ଚଶିକ୍ଷା, ସାଧାରଣ ଅଭିଯୋଗ ଓ ପେନସନ୍ ବିଭାଗର ମନ୍ତ୍ରୀ ପଦ। ଏହା ସହ ସେ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟି ଦାୟିତ୍ୱରେ ବି ଥିଲେ।

୧୦ ଜାନୁଆରୀ ୧୯୫୭। ଜଗତସିଂହପୁର ଜିଲ୍ଲା ପୁନଙ୍ଗ ଗାଁରେ ସମୀରଙ୍କ ଜନ୍ମ। କଟକରେ ଉଚ୍ଚଶିକ୍ଷା ଲାଭ ପରେ ଆଇନଜୀବୀ ଭାବେ ପେଶା ଗ୍ରହଣ କରିଥିଲେ। ପରେ ସେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ। ସଂଘ ପରିବାରରେ ଶ୍ରେଷ୍ଠ ସେବକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ସମୀର। ଏହାପରେ ସେ ସାମିଲ ହୋଇଥିଲେ ବିଜେପିରେ। ଉପକୂଳ ଓଡ଼ିଶାରେ ବିଜେପିର ଅଭ୍ୟୁଦୟ ପଛରେ ଥିଲା ସମୀରଙ୍କ ପ୍ରମୁଖ ଭୂମିକା।

କେବଳ କଟକ କାହିଁକି ସାରା ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ରହିଥିଲା। ସେ ଓଡ଼ିଶା ଆଥଲେଟିକ୍ ଆସୋସିଏସନର ସଭାପତି ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ମଧ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।

ଲୋକପ୍ରିୟ ଓ ଦକ୍ଷ ରାଜନେତା, ଦୃଢ ସଙ୍ଗଠକ। ଏସବୁ ବାଦ୍ ଜଣେ ସ୍ନେହୀ ମଣିଷ ଏବଂ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ପାଇଁ ସବୁ ବର୍ଗର ଲୋକଙ୍କର ପ୍ରିୟ ଥିଲେ ସମୀର। ତାଙ୍କର ଅବର୍ତ୍ତମାନରେ ସବୁଠି ଖେଳିଯାଇଛି ଶୋକ। ସମସ୍ତେ ମନେ ପକାଉଛନ୍ତି ସମୀର ଛାଡିଯାଇଥିବା ସ୍ମୃତିକୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟନ୍ତ୍ରୀ କେଭି ଓ ପ୍ରଭାତୀ ପରିଡ଼ା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସମୀରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ଏହା ସହ ପଢ଼ନ୍ତୁ:  ଇଣ୍ଡିଆ ଫୋର୍ବସ ସିଲେକ୍ଟ-200ରେ ସ୍ଥାନ ପାଇଥିବାରୁ ଗର୍ବିତ କହିଲେ MD ଜଗି ମଙ୍ଗତ ପଣ୍ଡା

BJD BJP Congress Odisha Politics
Advertisment
Advertisment