କୂଳଲଂଘି ମାଡ଼ି ଆସୁଛି ସମୁଦ୍ର। ଖାଇ ଯାଉଛି ଗାଁ ଗଣ୍ଡା, ଘର ଦ୍ବାର। ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ପାରୁନଥିବା ଶହ ଶହ ମତ୍ସଜୀବୀ ହେଉଛନ୍ତି ଦହଗଞ୍ଜ। ଭଙ୍ଗାଦଦରା ଘରେ ବାଧ୍ୟହୋଇ ପଡ଼ି ରହିଛନ୍ତି। ଗାଁ ବଞ୍ଚାଇବାକୁ ପ୍ରଶାସନ ଗାର୍ଡ ୱାଲ୍ ନିର୍ମାଣ କରିଛି, ହେଲେ ତାହା କି ସୁରକ୍ଷା ଦେବ ବୋଲି ଲୋକେ ପାଲଟା ପ୍ରଶ୍ନ କରୁଛନ୍ତି।
ସମୁଦ୍ର ଆଁରେ ଗାଁ। ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର। ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମାୟାପାଟଣା ଗାଁର କାହାଣୀ...ଅଶାନ୍ତ ସମୁଦ୍ରର ଢେଉ ହେଉ କି ବତାସ ମାଡ଼, କେମିତି କଙ୍କାଳ ସମ ହୋଇଛି ମୁଣ୍ଡ ଗୁଞ୍ଜୁ ଥିବା ମତ୍ସଜୀବୀଙ୍କ ବାସ, ଚିତ୍ର ବଖାଣିବା ଦରକାର ନାହିଁ। ତଥାପି ପେଟପାଟଣା ପାଇଁ ଗାଁ ଛାଡ଼ି ଯିବାକୁ ଲୋକଙ୍କ ମନ ନାହିଁ କି ଭଙ୍ଗା ଦଦରା ଘର ସଜାଡ଼ିବାକୁ ଜୁ ବି ନାହିଁ। ୨୦୧୫ ବେଳକୁ ପାଖାପାଖି ୧୭୦ରୁ ଅଧିକ ଘରକୁ ନେଇ ହସୁଥିଲା ରମୟାପାଟଣା। ହେଲେ ଏବେ ଅଛି ହାତ ଗଣତି କେତୋଟି ଘର। ଯେଉଁଥିରୁ ୮୦ ଭାଗର ସ୍ଥିତି ବିପଦ ସଙ୍କୁଳ। ରହିବା ଭଳି ସ୍ଥିତି ନାହିଁ, ତେଣୁ ଯେଉଁ କିଛି ଘର ଭଲ ଅବସ୍ଥାରେ ଅଛି-ସେଠି ଅତି ଦୟନୀୟ ଅବସ୍ଥାରେ ଗୋଟିଏ ଗୋଟିଏ ଘରେ ୩ରୁ ୪ଟି ପରିବାର ମିଶିକି ଚଳୁଛନ୍ତି। ମାତ୍ର ୫୦ ମିଟର ଦୂରରେ ରହିଥିବା ସମୁଦ୍ର କୋପରୁ ଗାଁକୁ ସୁରକ୍ଷା ଦେବାକୁ ସରକାର ଗାର୍ଡ ୱାଲ୍ ନିର୍ମାଣ କରିଛନ୍ତି, ହେଲେ ତାହା ଏତେ କମ୍ ଉଚ୍ଚତାର ଯେ, କୋଉ କାମକୁ ବୋଲି ଲୋକେ ପ୍ରଶାସନକୁ ପ୍ରଶ୍ନ କରୁଛନ୍ତି।
Also Read
ଅଧିକ ପଢ଼ନ୍ତୁ: ଏଣିକି ସୁଭଦ୍ରା ପୋର୍ଟାଲରେ ଯୋଡ଼ିହେବ ନାଁ; ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍
ତେବେ ଖାଲି ରମୟାପାଟଣା ନୁହେଁ, ବଙ୍ଗୋପ ସାଗର ଉପକୂଳରେ ପ୍ରାୟ ୬୦ କିଲୋମିଟର ବ୍ୟାପ୍ତ ଗଂଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ସନ୍ନିକଟ ୩୦ରୁ ଅଧିକ ଗାଁରେ ସ୍ଥିତି ଉଣା ଅଧିକେ ସମାନ। ଗଂଜାମ ବ୍ଲକର ପୋଡ଼ମପେଟା ହେଉ କି କଣ୍ଟିଆଗଡ଼ ଅବା ମୟୂରପଦା। ସବୁଠି ଲୋକେ ଆତଙ୍କରେ, ଅସହାୟ ଅବସ୍ଥାରେ। ଛତ୍ରପୁର ବ୍ଲକର ଅର୍ଜିପାଲି ଗାଁ ପାଖକୁ ମାଡ଼ି ଆସିଲାଣି ସମୁଦ୍ର। ସବୁଠି ଲୋକେ ବହୁବାର ପଥର ଫେନସିଂ ଓ ଗାର୍ଡ ୱାଲ୍ ପାଇଁ ଦାବି କରି ଥକି ଗଲେଣି। ହେଲେ ନେତା କି ପ୍ରଶାସନ କେହି ଶୁଣୁନଥିବା ଅଭିଯୋଗ ହେଉଛି। ସେପଟେ ଜଳମାନବ ଭାବେ ପରିଚିତ ବିଶିଷ୍ଟ ପରିବେଶବିତ୍ ଡକ୍ଟର ରାଜେନ୍ଦ୍ର ସିଂ ମଧ୍ୟ ନିକଟରେ ଗଂଜାମ ଜିଲ୍ଲା ଗସ୍ତରେ ଆସି ଏଭଳି ସ୍ଥିତି ପାଇଁ ଉଦବେଗ ପ୍ରକାଶ କରିବା ସହ ସିଆରଜେଡ୍ ନିୟମ ପାଳନ ନକଲେ ଆଗକୁ ସ୍ଥିତି ଅଣାୟତ୍ତ ହେବ ବୋଲି ଚେତାଇଛନ୍ତି। ଆଉ ଏଣେ ଗଂଜାମ ଜିଲ୍ଲାପାଳ କହିଛନ୍ତି- ରାମାୟାପଟଣାରେ ଗାର୍ଡ ୱାଲ୍ ନିର୍ମାଣ ହୋଇଛି, ଅନ୍ୟ ସ୍ଥାନରେ ନିର୍ମାଣ ପାଇଁ ବି ନିର୍ମାଣ ଯୋଜନା ରହିଛି।
କୂଳଲଂଘି ସମୁଦ୍ର ମାଡ଼ି ଆସୁଛି, ହେଲେ ପ୍ରଶାସନ ନିଦରେ ଶୋଇଛି। ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲାର ୩୦ରୁ ଅଧିକ ଉପକୂଳିଆ ଗାଁ ଲୋକଙ୍କୁ କେମିତି ସୁରକ୍ଷା ଦେଉଛନ୍ତି ସରକାର, ଏବେ ଦେଖିବାର କଥା।