/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744227847.jpg)
ଚଡ଼କ ମେଳାରେ କାମିନୀ ବିବାହ
ଉତ୍ତର ଓଡ଼ିଶାର ଅନ୍ୟତମ ବୃହତ ମେଳା, ବାବା ଚନ୍ଦନେଶ୍ବରଙ୍କ ଚଡ଼କ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ। ନୀଳପର୍ବ ଓ ପାଟପର୍ବକୁ ଆହୁରି ୨-୩ ଦିନ ବାକି ଥିବା ବେଳେ, ବୁଧବାର କାମିନୀ ବିବାହ ଅବସରରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ । ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜମୁଛି ନିଆରା ପର୍ବ ଗଜମୁହା ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହେଲା ଆଲୋଚନା
ଉଠୁଛି ପଡ଼ୁଛି ଚନ୍ଦନେଶ୍ବର ପୀଠ । ଅଗଣିତ ଉପବିତଧାରୀଙ୍କ ମହାସମାଗମ । ବାଲେଶ୍ବର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବରରେ ମହାସମାରୋହରେ ପାଳିତ ହେଉଛି ଚଡ଼କ ମେଳା । ବୁଧବାର ଚଡ଼କ ମେଳାର ପଞ୍ଚମ ଅର୍ଘ୍ୟ ହୋଇଥିବା ବେଳେ, ସାମପନ ହୋଇଛି କାମିନୀ ବିବାହ ବା ଲୋକମୁଖରେ କାମିନା ବିବାହ । ଦେବ ଦେବ ମହାଦେବ ଏବଂ ରାକ୍ଷସୀ କାମିନାଙ୍କର ଗୁପ୍ତ ବିବାହ ନୀତି ପାଇଁ ଦେଉଳିଆ, ଶ୍ରୀବେକେଡ଼ି ଓ ସେବାୟତମାନେ ମନ୍ଦିରରୁ ମହାଦେବଙ୍କ ଘଟ ନେଇ ଭଟପୁର ସ୍ଥିତ କାମିନା ଘରକୁ ଯାଇଥିଲେ । ବିରାଟ ପଟୁଆରରେ ଢୋଲ, ସାହାନାଇ. ମୃଦଙ୍ଗ ବଜାଇ ବେକଡ଼ା ନୃତ୍ୟ ମାଧ୍ୟମରେ କାମିନାଙ୍କୁ ଅଣାଯାଇଥିଲା । ଏହାପରେ ମନ୍ଦିର ଗର୍ଭଗୃହରେ ଗୁପ୍ତଭାବେ ଅନୁଷ୍ଠିତ ହୋଇଥିଲା ବିବାହ ନୀତି ।
ହିନ୍ଦୁ ରୀତିନୀତିରେ ଚୈତ୍ର ମାସରେ ବିବାହ ନିଷିଦ୍ଧ ହୋଇଥିବା ବେଳେ, ଏହି ମାସରେ ହିଁ ରାକ୍ଷସୀକୁ ବିବାହ କରନ୍ତି ଭୋଳାନାଥ । କିମ୍ବଦନ୍ତୀ କହେ, ରାକ୍ଷସ କୂଳରେ ଜନ୍ମିତ ସୁନ୍ଦରୀ କାମିନା କଠୋର ତପସ୍ୟା କରି ଶିବଙ୍କୁ ତୁଷ୍ଟ କରିଥିଲା ପତି ରୂପରେ ପାଇବା ପାଇଁ । କାମିନା ମର୍ତ୍ତ୍ୟପୁରୀରେ ମାଳାକାର ଘରେ ଜନ୍ମ ନେଲେ ସେ ଚୈତ୍ର ମାସରେ ହିଁ ତାଙ୍କ ବିବାହ କରିବେ ବୋଲି ବର ଦେଇଥିଲେ ବାବା ଚନ୍ଦନେଶ୍ବର। ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଥିବା ଚଡ଼କ ମେଳା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସୁଥିବା ବେଳେ, ୧୨ ତାରିଖରେ ନୀଳ ପର୍ବ ଓ ୧୩ରେ ପାଟପର୍ବ ଅନୁଷ୍ଠିତ ହେବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ବେଳେ, ମୁତୟନ ହୋଇଛନ୍ତି ୨୬ ପ୍ଲାଟୁନ ଫୋର୍ସ ।
ଖାଲି ଚନ୍ଦନେଶ୍ବର ପୀଠ କାହିଁକି, ଏବେ ଚୈତ୍ରମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବ ମୁଖର ପରିବେଶ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ନିଆରା ପର୍ବ ଗଜମୁହା । ଚୈତ୍ରମାସ ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ, ଲିଆ ବା ଖଇ ଓ ଗୁଡ଼ରେ ପ୍ରସ୍ତୁତ ଗଜମୁହା ଏହାର ମୁଖ୍ୟ ଆକର୍ଷଣ। ଏହି ଗଜମୁହାକୁ ବିଭିନ୍ନ କଳାକୃତିରେ ସଜାଇ ପୂଜା କରିବା ପରେ, ଏହାକୁ ମୁଣ୍ଡାଇ ରାତି ସାରା ସହର ପ୍ରରିକ୍ରମା କରିଛନ୍ତି ଯୁବକମାନେ। ବୁଧବାର ସକାଳୁ ଠାକୁରାଣୀ ମନ୍ଦିରରେ ଏହାକୁ ବିସର୍ଜନ କରାଯାଇଛି। ସାହି ସାହିରେ ହେଉଥିବା ଏହି ପର୍ବ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)