Advertisment

Boudh To Get Train Service Soon: ବୌଦ୍ଧ ଦେଖିବ ରେଳ ଆଲୁଅ; ଦ୍ରୁତ ଗତିରେ ଚାଲିଛି ୭ ଟନେଲ୍ କାମ...

ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ।

author-image
Sujit kumar Swain
undefined

Boudh to Get Train Service Soon

ରାଜ୍ୟର ସବୁଠୁ ବଡ଼ ଟନେଲ ଭିତର ଦେଇ ବୌଦ୍ଧକୁ ଗଡ଼ିବ ରେଳଗାଡ଼ି। ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ। କେବଳ ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ୪ଟି ଟନେଲ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ୩ଟି ଟନେଲରେ ଉଭୟ ପାଖକୁ ବାଟ ବି ଫିଟିସାରିଲାଣି । ଏପଟେ ଏହା ଭିତରେ ଜିଲ୍ଲାରେ ଟ୍ରେନ ଚଳାଚଳର ଟ୍ରାଏଲ ରନ୍ ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ବି ସରିଛି। 

Advertisment

ମାଟିର ଛାତିଚିରି, ପାତାଳର ଅନ୍ଧାର ଭେଦୀ, ବୌଦ୍ଧ ଦେଖିବ ରେଳ ଆଲୁଅ। ଦଶନ୍ଧି ଦଶନ୍ଧିର ସ୍ବପ୍ନକୁ ଧରି ଛୁକୁଛୁକୁ ହୋଇ ଗଡ଼ିବ ଟ୍ରେନ ଗାଡ଼ି। ଟନେଲ୍ ପ୍ରାୟ ପ୍ରସ୍ତୁତ ହୋଇଗଲାଣି, ଖୁସିର ସୂଚନା ଦେଇ ବେଲୁନ ବି ବନ୍ଧାହେଲାଣି। ଆଉ ଖାଲି ଟ୍ରାକ୍ ବିଛା ହେବାକୁ ଅପେକ୍ଷା। ଟନେଲ ଭିତରର ରୋମାଞ୍ଚକର ଚିତ୍ରକୁ ତୋଳି ଧରିଛି ଓଟିଭି କ୍ୟାମେରା। ମାଟି ତଳେ ଟନେଲ ଭିତରେ କିଲୋମିଟର କିଲୋମିଟର ଧରି ଯାତ୍ରୀ ନେବେ ନିଆରା ରେଳଯାତ୍ରାର ଭିନ୍ନ ଅନୁଭୁତି।

ଅଧିକ ପଢନ୍ତୁ: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା; ଛାତ୍ରଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍

Advertisment

ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ିବାକୁ ଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ । ପ୍ରକଳ୍ପ ପୂରା କରିବାକୁ ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା ବଡ଼ବଡ଼ ପାହାଡ। ଏଥିପାଇଁ କେବଳ ନୟାଗଡ଼ ଓ ବୌଦ୍ଧରେ ରେଲୱେ ନିର୍ମାଣ କରୁଛି ୭ଟି ଟନେଲ। ଯେଉଁଥିରୁ କେବଳ ବୌଦ୍ଧ ଜିଲ୍ଲାରେ ରହୁଛି ୪ଟି। ବୌଦ୍ଧ ଆଡ଼ଣିଗଡରେ ନିର୍ମାଣାଧୀନ ସବୁଠୁ ବଡ଼ ବା ୪ ନମ୍ବର ଟନେଲର ଲମ୍ବ ୪ କିଲୋମିଟର ୧୮୫ ମିଟର । ସେହିଭଳି ମାର୍ଦ୍ଧିଙ୍ଗରେ ତିଆରି ଚାଲିଥିବା ୫ ଓ ୬ ନମ୍ବର ଟନେଲର ଲମ୍ବ ଯଥାକ୍ରମେ ୩୧୭ ମିଟର ଓ ୩୧୩ ମିଟର । ଏହି ଦୁଇ ଟନେଲର ଉଭୟ ପଟକୁ ବାଟ ଫିଟିସାରିଥିବାବେଳେ ପାରିପାର୍ଶ୍ବିକ କାମ ଶେଷ ହେବା ଉପରେ । ଏହାଛଡ଼ା ୧ କିଲୋମିଟର ୯୭୫ ମିଟର ବିଶିଷ୍ଟ ୭ ନମ୍ବର ଟନେଲରେ ଶେଷ ସ୍ପର୍ଶ ଦିଆଯାଉଛି।

୩୧୦ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କେବଳ ବୌଦ୍ଧ ଜିଲ୍ଲାରେ ୧୧୦ କିଲୋମିଟର ଲମ୍ବିଛି। ଏବେ ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ହେଉଛି। ବୌଦ୍ଧରେ ମନମୁଣ୍ଡାର ପୁରୁଣାପାଣି, ଝରମୁଣ୍ଡା ଓ  ସରସରା ରେଳଷ୍ଟେସନକୁ ପରୀକ୍ଷାମୂଳକ ଭାବେ ଟ୍ରେନ ଗଡ଼ିସାରିଛି। ସେଫ୍ଟି କମିଶନର ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଟ୍ରାଏଲ ରନର ଅନୁଧ୍ୟାନ କରିସାରିଛନ୍ତି। ଯାହାକୁ ନେଇ ଜିଲ୍ଲାବାସଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

Boudh Train Train Service
Advertisment
Advertisment