ଦାଦନ ଯିବାକୁ ସରକାରଙ୍କୁ ଟେକି ଦେଲେ ଝିଅ । ବଲାଙ୍ଗିରରେ ଗରିବୀର ସାଂଘାତିକ ଦାଉ । ସାନଗୁରଜୀଭଟା ଗାଁର ଶିଶୁବିକ୍ରି ଘଟଣାରେ ନୂଆ ଟ୍ୱିଷ୍ଟ | ଉଦ୍ଧାର ଦୁଇ ମାସର ଶିଶୁ କନ୍ୟାକୁ ସରକାରଙ୍କ ହାତକୁ ଟେକିଦେଲେ ଗରିବ ଦମ୍ପତି । ଗତକାଲି ସଂଧ୍ୟାରେ ଉଭୟ ଦମ୍ପତି ବଲାଙ୍ଗିର ଶିଶୁମଙ୍ଗଳ ସମିତିରେ ଶିଶୁକନ୍ୟାକୁ ସମର୍ପି ଦେଇଛନ୍ତି । ଆଉ ଏବେ ଗରିବ ବାପା ମା, ପୁଣି ଥରେ ଦାଦନ ଖଟିବାକୁ ଯିବେ ବୋଲି କହିଛନ୍ତି ।
ଗରିବୀ ଯୋଗୁଁ ନବଜନ୍ମିତ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକି ଦେଇଥିଲେ । ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବା ଚର୍ଚ୍ଚା ହେବା ପରେ ଖୋଦ ଉପ-ମୁଖ୍ୟମନ୍ତ୍ରୀ ଗାଁକୁ ଯାଇ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ପୋଲିସ ତିନିଜଣଙ୍କୁ ଗିରଫ କରିଥିଲା । ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସପିଟାଲରୁ ଉଦ୍ଧାର କରିଥିଲା । କିନ୍ତୁ ଗରିବୀ ପାଇଁ ଏବେ ପୁଣିଥରେ ଶିଶୁକନ୍ୟାକୁ ସରକାରଙ୍କୁ ଦେଇ ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଦମ୍ପତି ।
ଶାସନ ଅଛି କିନ୍ତୁ ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ଖରାପ । ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ୱେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ । ବରଂ ସାମ୍ନାକୁ ଆସୁଛି ସାମୁହିକ ବିବେକକୁ ଦୋହଲାଇ ଦେବା ଭଳି ଗୋଟିକ ପରେ ଗୋଟିଏ ଅଲୋଡ଼ା କାହାଣୀ । ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ ।
Also Read
ବଲାଙ୍ଗିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ । ଜିଲ୍ଲାର ୧୪ଟି ବ୍ଳକର ବିଡିଓମାନଙ୍କୁ ନେଇ ଜିଲ୍ଲା ବିକାଶର ମାନଚିତ୍ର ଆଙ୍କୁଛି ଜିଲ୍ଲା ପ୍ରଶାସନ । ଶ୍ରମ ବିଭାଗ ବି ସାମିଲ ଅଛି । ଗତକାଲି ଟିଟିଲାଗଡ଼ ଉପଖଣ୍ଡ ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ଗାଁରେ ଦେଖିବାକୁ ମିଳିଛଇ ଅଭାବନୀୟ ଦୃଶ୍ୟ । ବିକାଶର ନକ୍ସା ତଳେ ଆହା ପଦ ବିନା ଆଉ ଜଣେ ଶ୍ରମିକ ଶବ ହୋଇ ଗାଁକୁ ଫେରିଛନ୍ତି । ଦୁଃଖ ଏଠି ମରଣଠୁ ବି ବଳି ।
କାହିଁକିନା ଦାନା ପାଇଁ ସପରିବାର ତେଲେଙ୍ଗାନାର ସିକନ୍ଦରାବାଦକୁ ଦାଦନ ଖଟି ଯାଇଥିବା ୩୦ ବର୍ଷୀୟ ଭେଣ୍ଡିଆ କିଶୋର ମାଝୀଙ୍କ ଶବକୁ ଗାଁ ମାଟିକୁ ଆଣିବାକୁ ବି ଧାର କରଜର ଚକ୍ରବ୍ୟୂହରେ ପଡ଼ିଛନ୍ତି ପରିବାର । ସିକନ୍ଦରାବାଦରୁ ସ୍ୱାମୀର ଶବ ଆଣିବାକୁ ଶବ ବାହକ ଗାଡ଼ି ୪୨ ହଜାର ଟଙ୍କା ନେବ ବୋଲି କହିବାରୁ ପାଖରେ ଅର୍ଥ ନଥିବାରୁ ଗାଁ ଲୋକଙ୍କୁ ଖବର ଦେଇ ସ୍ତ୍ରୀ ଦେବକୀ ସେଇଠି ଶବ ଧରି ବସି ରହିଲେ ।
ଗାଁ ଲୋକେ ଧାର କରଜ କରି ଅର୍ଥ ଯୋଗାଡ଼ କରିବାରୁ ଶେଷରେ କଣ୍ଡିସନରେ ଶବ ଆସିଲା । ଗାଡ଼ିରେ ଶବ ଥିଲା । ଆଉ ଗଣି ଗଣି ଟଙ୍କା ଦିଆଯିବା ପରେ, ଗାଡିରୁ ଶବ ଓହ୍ଲାଗଲା । ହେଲେ ବିଡ଼ମ୍ବନା- ଏତେ ପରେ ବି ସାହାଯ୍ୟ ସହଯୋଗ ତ ଦୂର କଥା ଆହା ପଦେ ଟିକେ ଦେବା ପାଇଁ ନା ସ୍ଥାନୀୟ ଅଧିକାରୀ ନା ଜନ ପ୍ରତିନିଧି କେହି ପାଖ ମାଡ଼ି ନଥିଲେ।
ଟିଟିଲାଗଡ ବ୍ଲକ ସିଆଲଝୁଡୁଙ୍ଗି ଗାଁର ୨୫ ବର୍ଷିୟ ଭୀମ ବାଗ । କାମଧନ୍ଦା ଅଭାବରୁ ଅନ୍ୟ ଦୁଇ ଭାଇଙ୍କ ସହ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ ଭୀମ । ସେଇଠି ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହେବା ପରେ ଦୁଇଦିନ ତଳେ ଗାଁକୁ ଶବ ଆସିଲା । ସତ୍କାର ହେଲା । କିନ୍ତୁ ଶୋକ ପାଳିବାକୁ ବି ଯେମିତି ତର ନାହିଁ । ଲୁହକୁ ପିଇ କୋହକୁ ଛାତିରେ ଚାପି ପୁଅ ମୃତ୍ୟୁର ତିନିଦିନ ପର ବିଲରେ ମୂଲ ଲାଗିଲାଣି ବୁଢ଼ା ବାପ । ଆଉ ଚାରା ବା କଣ ? ଯିଏ ତ ମଲା, ଗଲା ।
ଦିନଟିଏ ଏଠି ହାତ ବନ୍ଦ ହେଇଗଲେ ପେଟକୁ ଦାନା ଯିବ କେମିତି...ତେଣୁ ପୁଅ ଜୁଇର ନିଆଁ ନ ଲିଭୁଣୁ ଭୋକର ନିଆଁକୁ ପ୍ରଶମିତ କରିବାକୁ କାମକୁ ଓହ୍ଲାଇଛି ବାପ । ହେଲେ ବିଡ଼ମ୍ବନା,ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବି ଶ୍ରମ ଅଧିକାରୀଙ୍କ ପାଖରେ ଏନେଇ ପ୍ରତିକ୍ରିୟା ଦେବାକୁ ସମୟ ନାହିଁ । ଆଉ ଜିଲ୍ଲା ମନରେଗା ଦାୟିତ୍ୱରେ ଥିବା ସାହେବ କହୁଛନ୍ତି, ବର୍ଷକ ତିନିଶହ ଦିନର କାମ କଲା ପରେ ବି, କୁଆଡ଼େ ଖୁସିରେ ଶ୍ରମିକ ଦାଦନ ଯାଉଛନ୍ତି ।