/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748876370.jpg)
ଭୁବନେଶ୍ୱରରୁ ଜଗା ପାଇଁ ଗଲା ସେନାପଟା
ଆସନ୍ତା ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ର । ରଥଯାତ୍ରାରେ ଶ୍ରୀଜିଉଙ୍କ ସେନାପଟା ଓ ବାହୁଟ ପାଇଁ ଭୁବନେଶ୍ୱର ଜୟଦେବ ବିହାରରୁ ପୁରୀକୁ ଗଲା ବଉଳ କାଠ । ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି ମାନେ ଆସି ରୀତିନୀତି ଅନୁଯାୟୀ ବଉଳ ଗଛକୁ କାଟି ନେଇଛନ୍ତି ।
ଜୟ ଜଗନ୍ନାଥ ଧ୍ବନି ଓ ମନ୍ତ୍ରପାଠରେ ମୁଖରିତ ପରିବେଶ। ବଉଳ ଗଛରେ ବନ୍ଧା ହୋଇଛି ଶ୍ରୀଜିଉଙ୍କ ଆଜ୍ଞା ମାଳ। ଅର୍ପଣ କରାଯାଇଛି ନୂଆ ବସ୍ତ୍ର, ଶୋଭା ପାଉଛି ତୁଳସୀ ମାଳା । ଆଉ ଗଛ ମୂଳରେ ବସି ଜଗନ୍ନାଥଙ୍କ ସହସ୍ର ନାମ, ନୃସିଂହ ସହସ୍ର ନାମ ଗାଇବା ସହ ସଙ୍କୀର୍ତ୍ତନ କରୁଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ଏ ଦୃଶ୍ୟ । ଏଠାକାର ବାସିନ୍ଦା ଗଣେଶ ପଣ୍ଡାଙ୍କ ଘର ପରିସରରେ ଥିବା ଏ ବଉଳ ଗଛଟି ଆଜି ଶ୍ରୀଜିଉଙ୍କ ସେବାରେ ଲାଗିବାକୁ ଯାଉଛି । ଖାସ୍ ଏଇଥି ଲାଗି ତାଙ୍କ ଘର ପରିସରରେ ଏ ଗହଳି, ଏଭଳି ଭକ୍ତିମୟ ପରିବେଶ। ଆଉ ପରିବାର ସଦସ୍ୟଙ୍କ ଖୁସି କହିଲେ ନସରେ ।
ଗଣେଶଙ୍କ କହିବା କଥା ତାଙ୍କ ଘର ପ୍ରାଙ୍ଗଣରେ ୧୯୯୩ ମସିହାରେ ଏହି ଗଛଟି ଉଠିଥିଲା । ଏବେ ଏହା ଶ୍ରୀଜିଉଙ୍କ କାମରେ ଆସିବ ଜାଣି ସେ ଅତ୍ୟନ୍ତ ଆନନ୍ଦିତ। ପ୍ରାୟ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ବଉଳ ଗଛଟିକୁ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିମାନେ ଆସି ରୀତିନୀତି ଅନୁଯାୟୀ କାଟି ନେଇଛନ୍ତି । ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସେନାପଟା ଓ ବାହୁଟ ପାଇଁ ବଉଳ ଗଛ ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୭ ତାରିଖରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ବିଜ୍ଞାପନ ଆଧାରରେ ଗଣେଶ ପଣ୍ଡା ଶ୍ରୀମନ୍ଦିର ପ୍ରଶାସନକୁ ନିଜ ବାଡ଼ିରେ ଥିବା ବଉଳ ଗଛର ଉଚ୍ଚତା, ମୋଟେଇ ସମ୍ପର୍କରେ ଜଣାଇଥିଲେ। ତାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସେବକ ସର୍ଦ୍ଦାର ରବି ଭୋଇଙ୍କ ସମେତ ୫ ଜଣିଆ ଟିମ୍ ଆସି ଗଛକୁ ଚିହ୍ନଟ କରି ମନୋନୀତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)