ଗେଣ୍ଡୁଫୁଲ ଚାଷ ଦେଖାଇଛି ଏବେ ରୋଜଗାରର ବାଟ । ଯେଉଁଥିପାଇଁ ଆର୍ଥିକ ଅନଗ୍ରସର ଲୋକେ ଏବେ ସ୍ୱାବଲମ୍ବୀ ହେବା ସହ ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଫଳରେ ଆଦିବାସୀ ଅଂଚଳର ଫୁଲଚାଷୀଙ୍କ ମୁହଁରେ ଏବେ ହସ ଫୁଟିଛି । ସରକାରଙ୍କ ପ୍ରୋତ୍ସାହନ ମିଳିବା ପରେ ସେମାନଙ୍କ ଜୀବନ ଜୀବିକାରେ ମଧ୍ୟ ଉନ୍ନତି ଘଟିଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ ଗ୍ରାମର ଚାଷୀ ଭାଇ ଭଉଣୀମାନେ ଗେଣ୍ଡୁଫୁଲ ଚାଷ କରି ସଫଳ ହୋଇଛନ୍ତି ।
ଆଗରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀମାନେ କେବଳ ଧାନଚାଷ ଉପରେ ଗୁରୁତ୍ୱ ଦେଉଥିଲେ । ପରେ ଧିରେ ଧିରେ ପନିପରିବା ଚାଷ ଆଡକୁ ମନ ବଳାଇଲେ । ଗତ କିଛି ବର୍ଷ ହେଲା ପନିପରିବା ଚାଷ କରି ଆସୁଛନ୍ତି । ଅନେକ ସମୟରେ ଏଥିଲେ ବଜାର ଦର ଭଲ ମିଳୁନାହିଁ । ତେଣୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ ଗାଁର ଚାଷୀ ଭାଇ ଭଉଣୀମାନେ ନିଜର କ୍ଷେତରେ ପ୍ରଥମ ଥର ଲାଗି ଗେଣ୍ଡୁଫୁଲ ଚାଷ କରିଛନ୍ତି । ଏହି ଚାଷରେ ବେଶ୍ ଲାଭବାନ ବି ହୋଇ ପାରିଛନ୍ତି । କେବଳ ଟଙ୍କା ବା ରୋଜଗାର ନୁହେଁ, ପ୍ରଥମ ଥର ଚାଷ କରି ବେଶ୍ ଖୁସି ହୋଇଛନ୍ତି । କାହିଁକି ନା କ୍ଷେତରେ ଖିଲି ଖିଲି ହୋଇ ହସୁଛି ହଳଦିଆ ରଙ୍ଗର ଗେଣ୍ଡୁଫୁଲ । ଆଉ ସେଇ କ୍ଷେତରେ ପଶି ଆନନ୍ଦ ମନରେ ଫୁଲ ତୋଳୁଛନ୍ତି ଚାଷୀ । ଆଉ କେହି କେହି ତ କ୍ଷେତରେ ବୁଲି ନିଜର ପରିଶ୍ରମ ସାର୍ଥକ ହୋଇଥିବାରୁ ଆତ୍ମସନ୍ତୋଷ ଲାଭ କରୁଛନ୍ତି ।
ଅଧିକ ପଢ଼ନ୍ତୁ : କ୍ଷେତରେ ଫଳାଇଲେ ସୁନା ! ଦେଖିବାକୁ ଆସିଲେ କୃଷି ବିଜ୍ଞାନୀ
ପୂର୍ବାପେକ୍ଷା କମ୍ ପରିଶ୍ରମରେ ଅଧିକ ଲାଭ ମିଳୁଥିବା ଯୋଗୁଁ ସେମାନଙ୍କ ମୁହଁରେ ଏବେ ହସ ଫୁଟିଛି । ପୂର୍ବରୁ ଚାଷୀ ଭାଇଭଉଣୀ ପନିପରିବା ଚାଷ କରିବା ସହ ଅଧିକ କଷ୍ଟ କରୁଥିଲେ । ହେଲେ ପରିଶ୍ରମ ତୁଳନାରେ ସେମାନଙ୍କୁ ସେତିକି ଲାଭ ମିଳୁନଥିଲା । ହେଲେ ଏବେ ତିନି ମାସରେ କମ୍ ପରିଶ୍ରମରେ ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା କି ଏହି ଫୁଲ ଚାଷ ଏବେ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି ।
ଆଦିବାସୀ ଅଂଚଳର ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ବାଲିଗୁଡା ଆଇଟିଡିଏ ତରଫରୁ ଗେଣ୍ଡୁଫୁଲ ଚାଷ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ଚାଷୀଙ୍କୁ ଚାରା ଓ ଜୈବିକ ସାର ଯୋଗାଇ ଦିଆଯିବା ସହିତ ଫୁଲ ଚାଷ କିଭଳି କରିବେ ସେ ନେଇ ଜ୍ଞାନକୌଶଳ ମଧ୍ୟ ପ୍ରଦାନ କରାଯାଇଛି । ବାଲିଗୁଡା ସମେତ ରାଇକିଆ, କେ.ନୂଆଗାଁ, ଦାରିଙ୍ଗବାଡି, ଚକାପାଦ, ତୁମୁଡିବନ୍ଧ ଓ ଟିକାବାଲି ଆଦି ୭ଟି ବ୍ଲକରେ ଏହି ଫୁଲଚାଷ କରାଯାଇଛି ବୋଲି ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସୂଚନା ଦେଇଛନ୍ତି । ବଜାରରେ ଗେଣ୍ଡୁଫୁଲର ଚାହିଦା ଅଧିକ ରହୁଥିବା ନେଇ ଚାଷୀ ବ୍ରହ୍ମପୁର ଓ ଭୂବନେଶ୍ୱର ଭଳି ସହରକୁ ମଧ୍ୟ ବିକ୍ରିବଟା ପାଇଁ ପଠାଉଛନ୍ତି ।
ବିଶେଷ କରି ମୁଣ୍ଡିଗଡ ଗାଁରେ ପାଖାପାଖି ଚାଷୀ ନିଜର ୨୦ ଏକର ଜମିରେ ଫୁଲ ଚାଷ କରିବା ସହ ବର୍ତ୍ତମାନ ସୁଦ୍ଧା ଅଳ୍ପ ଦିନରେ ୧୦ କ୍ୱିଣ୍ଟାଲ୍ ଫୁଲ ବିକ୍ରି କରି ସାରିଲେଣି । ଆଗାମୀ ଦିନରେ ୫୦ କ୍ୱିଣ୍ଟାଲ୍ ଫୁଲ ବିକ୍ରି କରାଯିବାର ଲକ୍ଷ୍ୟ ରହିଥିବା ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ : ମହିଳାଙ୍କୁ ରୋଜଗାରର ପନ୍ଥା ଯୋଗାଇଛି ଷ୍ଟ୍ରବେରୀ; ଲାଭ ସହ ଦେଇଛି ନୂଆ ପରିଚୟ
- Reported by:
- Ajit Kumar Nayak