• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଇରାନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ 'ଅପରେସନ ସିନ୍ଧୁ' ଆରମ୍ଭ କରିଛି ଭାରତ । ବିଭିନ୍ନ ପର୍ଯ୍ୟାୟରେ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯାଉଛି । ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ବି ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟଙ୍କୁ ସ୍ବଦେଶ ଫେରାଇଅଣାଯାଇଥିଲା । ଏବେ ପୁଣି ଥରେ ପ୍ରଶ୍ନ ଉଠିଛି ଏତେ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ କଣ ପାଇଁ ଇରାନ ପାଠ ପଢିବାକୁ ଯାଉଛନ୍ତି ।

ବିଶେଷତଃ ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡିକାଲ୍ ଓ ଅନ୍ୟ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇଥାନ୍ତି । କମ୍ ଖର୍ଚ୍ଚରେ ପାଠପଢ଼ା  ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମୀର ଛାତ୍ରଛାତ୍ରୀ ଇରାନୀର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିଥାନ୍ତି । ତେହେରାନ୍, ସିରାଜ୍ ଓ କୋମ୍ ଆଦି ସହରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ।

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ; ଖସିଲା ୫୦୦ପଏଣ୍ଟ ସେନସେକ୍ସ

ବିଦେଶ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୨୨ରେ ଇରାନରେ ପାଖାପାଖି ୨ହଜାର ୫୦ ଜଣ ଭାରତୀୟ ଛାତ୍ର ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ତେହରାନ ୟୁନିଭର୍ସିଟି ଅଫ୍ ମେଡିକାଲ ସାଇନସେସ୍ , ଶାହିଦ ବେହେଷ୍ଟି ୟୁନିଭର୍ସିଟି ଓ ଇସଲାମିକ ଆଜାଦ ୟୁନିଭର୍ସିଟି ଭଳି ମେଡିକାଲ କଲେଜରେ ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ।

ଇରାନକୁ ପାଠ ପଢିବା ପାଇଁ ସବୁଠୁ ଅଧିକ ଛାତ୍ର କାଶ୍ମୀରରୁ ଯାଆନ୍ତି । ଭାରତରେ ୨୦୧୪ରେ ୫୧ହଜାର ଏମବିବିଏସ ସିଟ ଥିଲା । ୨୦୨୪ରେ ଏମବିବିଏସ ସିଟ ସଂଖ୍ୟା ବଢି ୧.୧୮ ଲକ୍ଷ ହୋଇଛି । ଭାରତରେ ମେଡିକାଲ ସିଟରେ ଉଲ୍ଲେଖନୀୟ ବୃଦ୍ଧି ହେଲାପରେ ବି ହଜାର ହଜାର ଛାତ୍ରଛାତ୍ରୀ ବିଦେଶରେ ମେଡିକାଲ ପଢିବାକୁ ଯାଉଛନ୍ତି ।

ଏଫଏମଜିଇ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରୁ ଏହା ସ୍ପଷ୍ଟ ଜଣାପଡୁଛି । ବିଦେଶରେ ପାଠ ପଢିଲା ପରେ ଭାରତରେ ପ୍ରାକ୍ଟିସ ପାଇଁ ଏଫଏମଜିଇ ( Foreign Graduate Medical Examination) ପାସ ହେବା ନିହାତି ଆବଶ୍ୟକ । ୨୦୨୪ରେ ଏଫଏମଜିଇ ଦେଇଥିଲେ ୭୯ହଜାର ଛାତ୍ରଛାତ୍ରୀ । ୨୦୨୩ରେ ୬୧ହଜାର ୬୧୬, ୨୦୨୨ରେ ୫୨ ହଜାରରୁ ଅଧିକ ଥିଲା ଛାତ୍ରଛାତ୍ରୀ ଏଫଏମଜିଇ ଦେଇଥିଲେ । 

ଏଫଏମଜିଇ ଆୟୋଜନ କରୁଥିବା ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ ଇନ ମେଡିକାଲ ସାଇନସେସର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ପୱନିନ୍ଦ୍ର ଲାଲ କହିଛନ୍ତି ଦେଶରେ ଏମବିବିଏସ ସିଟ ସଂଖ୍ୟା ବଢିଛି । କିନ୍ତୁ ସିଟ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅଧିକ ରହିଛି । ସରକାରୀ କଲେଜରେ ପଢିବା ପାଇଁ ବହୁତ ଭଲ ରାଙ୍କ ଦରକାର ।

୨୦୨୪ରେ ୨୨.୭ଲକ୍ଷ ଛାତ୍ରଛାତ୍ରୀ ମାତ୍ର ଏକ ଲକ୍ଷ ସିଟ ପାଇଁ ନିଟ-ୟୁଜି ପରୀକ୍ଷା ଦେଇଥିଲେ । ଏଥିରେ ଅଧା ସିଟ୍ ସରକାରୀ ମେଡିକାଲ କଲେଜରେ ରହିଛି । ବାକି ସବୁ ସିଟ୍ ବେସରକାରୀ କଲେଜରେ ରହିଛି ଯେଉଁଠି ପଢିବା ପାଇଁ ଖର୍ଚ୍ଚ ଅଧିକ ହେବ । ୫୦ହଜାର ରାଙ୍କ ରଖିଥିବା ପିଲାଟି ଏକ ଭଲ ମେଡିକାଲ କଲେଜରେ ପାଠ ପଢିପାରିବ କିନ୍ତୁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହେବ । ଦେଶର କେତେ ଲୋକ ଏହି ଖର୍ଚ୍ଚ କରିପାରିବେ ତାହା ବଡ଼ ପ୍ରଶ୍ନ ? 

ସେଥିପାଇଁ କମ ଖର୍ଚ୍ଚରେ ମେଡିକାଲ ପଢିବା ପାଇଁ ଆମ ଦେଶରୁ ଅନେକ ଛାତ୍ରଛାତ୍ରୀ ଅନ୍ୟ ଦେଶକୁ ଯାଉଛନ୍ତି । ତେବେ ଏତେ ସଂଖ୍ୟକ କାଶ୍ମୀର ଛାତ୍ର ଇରାନ କଣ ପାଇଁ ପାଠ ପଢିବାକୁ ଯାଉଛନ୍ତି ତାହା ପଛରେ ବଡ଼ କାରଣ ରହିଛି । କଶ୍ମୀର ଲୋକଙ୍କ ପାଇଁ ଇରାନ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ । କାଶ୍ମୀରର ସାଂସ୍କୃତିକ ଓ ଐତିହାସିକ ସଂପର୍କ ଓ ଅନେକ ସାମଞ୍ଜସ୍ୟ ଇରାନ ସହ ରହିଛି । 

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର ସୟଦ ଅଖତର ହୁସେନ କହିଛନ୍ତି କାଶ୍ମୀରକୁ ଲମ୍ବା ସମୟରୁ ଇରାନ- ଏ- ସଗିର ବା ଇରାନ ମାଇନର କୁହାଯାଏ । କାଶ୍ମୀରର ଭୌଗୋଳିକ ସ୍ଥିତି ଓ ସଂସ୍କୃତି ଇରାନ ସହ ମିଶିଥାଏ । 

ତ୍ରୟୋଦଶ ଶତାବ୍ଦୀରେ ମିର ସୟଦ ଅହମ୍ମଦ ଅଲ୍ଲୀ ହମଦାନି ଇରାନରୁ କାଶ୍ମୀର ଆସିଥିଲେ । ତାଙ୍କ ସହ ପାଖାପାଖି ୨୦୦ ସେୟଦ କାଶ୍ମୀର ଆସିଥିଲେ । କୁହାଯାଏ, ସେମାନେ ଇରାନରୁ କାର୍ପେଟ, ଡ୍ରାଏ ଫ୍ରୁଟସ୍ ଓ କେଶର ଆଣିଥିଲେ କାଶ୍ମୀରକୁ । ଇତିହାସରେ ଏଭଳି ସଂପର୍କ ରହିଛି ଇରାନ ଓ କାଶ୍ମୀରର ।

ଧାର୍ମିକ ଭାବନା ବି ଅନ୍ୟ ଏକ କାରଣ । କଶ୍ମୀର ଲୋକଙ୍କ ହୃଦୟରେ ସବୁବେଳେ ଇରାନର ସ୍ବତନ୍ତ୍ର ସ୍ଥାନ ରହିଛି । ଅଧିକାଂଶ କାଶ୍ମୀର ଛାତ୍ର ତେହେରାନରେ ମେଡିକାଲ ପାଠ୍ୟକ୍ରମ ପଢିଥାଆନ୍ତି । ଇରାନ ବି କାଶ୍ମୀର ଛାତ୍ରଙ୍କୁ ପଢିବା ପାଇଁ ସ୍ବତନ୍ତ୍ର ରିହାତି ଦେଇଥାଏ । ଫଳରେ କାଶ୍ମୀର ଲୋକଙ୍କୁ ଇରାନରେ ପଢିବା ପାଇଁ କମ ଖର୍ଚ୍ଚ କରିବାକୁ ପଡିଥାଏ ।

ଅଧିକ ପଢ଼ନ୍ତୁ: ଆମେରିକାର ଅପରେସନ୍ 'ମିଡଲାଇଟ୍ ହାମର୍', ୨୫ ମିନିଟରେ କରିଦେଲା ଛାରଖାର