• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୭ ଲକ୍ଷ ଟଙ୍କା ଭିତରେ କି ଆପଣଙ୍କ ବାର୍ଷିକ ଆୟ ? ଯଦି ହଁ, ତେବେ ଦେବାକୁ ପଡ଼ିବନି କୌଣସି ଇନ୍‌କମ୍ ଟ୍ୟାକ୍ସ । ନୂଆ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କାକୁ ବଢ଼ିଲା ଟ୍ୟାକ୍ସ ଛାଡ଼ସୀମା ।  ସାଧାରଣ ବଜେଟ୍‌ରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ଘୋଷଣା ମଧ୍ୟବିତ୍ତଙ୍କୁ ଦେଇଛି ବଡ଼ ଆଶ୍ୱସ୍ତି । ନୂଆ ବ୍ୟବସ୍ଥାରେ ଆୟକର ଛାଡ଼ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବଢ଼ାଇଛନ୍ତି ନିର୍ମଳା । ୭ ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ଟିକସ ଦାତାଙ୍କ ପାଇଁ ଟ୍ୟାକ୍ସ ସ୍ଲାବରେ ବି ପକେଟ୍‌କୁ ସୁହାଇଲା ଭଳି ପରିବର୍ତ୍ତନ କରାଯାଇଛି ।

ସ୍ଲାବ୍ ସଂଖ୍ୟା ୬ରୁ ୫କୁ କମିବା ସହିତ, ଆୟକର ଛାଡ଼ସୀମା ୩ ଲକ୍ଷ ଟଙ୍କାକୁ ବଢ଼ିଛି । ଅର୍ଥାତ୍- ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ୍, ୩ରୁ ୬ ଲକ୍ଷ ପାଇଁ ୫ ପ୍ରତିଶତ, ୬ରୁ ୯ ଲକ୍ଷ ପାଇଁ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ପାଇଁ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ପାଇଁ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ ।

ବଜେଟ୍‌ରେ ବ୍ୟକ୍ତିଗତ ଆୟକର ବାବଦରେ ୫ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି ନିର୍ମଳା । ପ୍ରଥମ ୨ଟି ପ୍ରସ୍ତାବ ଆୟକର ଛାଡ଼ସୀମା ଓ ଟ୍ୟାକ୍ସ ସ୍ଲାବ୍ ସଂପର୍କିତ ଥିବା ବେଳେ, ଏଗୁଡ଼ିକ କେବଳ ନୂଆ ଆୟକର ବ୍ୟବସ୍ଥା ବା ନିୟୁ ଇନ୍‌କମ୍ ଟ୍ୟାକ୍ସ ରେଜିମ୍ ଚୟନ କରିଥିବା କରଦାତାଙ୍କ ପାଇଁ ପ୍ରଯୁଜ୍ୟ । ତେବେ ପୁରୁଣା ଆୟକର ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି ।

ଅଧିକ ପଢ଼ନ୍ତୁ: ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ, ମିଳିବ ୩୮,୮୦୦ ଶିକ୍ଷକ ନିଯୁକ୍ତି

ତୃତୀୟ ପ୍ରସ୍ତାବ ଭାବେ, ନୂଆ ଆୟକର ବ୍ୟବସ୍ଥାରେ ଦରମା କିମ୍ବା ପେନ୍‌ସନ ପାଉଥିବା ବର୍ଗଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ବେନିଫିଟ୍ ସୁବିଧା ଆରମ୍ଭ କରାଯାଇଛି । ବାର୍ଷିକ ୧୫ ଲକ୍ଷ ୫୦ ହଜାର କିମ୍ବା ତାଠାରୁ ଅଧିକ ଆୟକାରୀଙ୍କ ପାଇଁ ଅତିରିକ୍ତ ୫୨ହଜାର ୫ଶହ ଟଙ୍କା ରିହାତି ସୁବିଧା ମିଳିବ । ଚତୁର୍ଥ ପ୍ରସ୍ତାବରେ, ବିତ୍ତଶାଳୀଙ୍କ ପାଇଁ ପ୍ରଯୁଜ୍ୟ ସର୍ବୋଚ୍ଚ ଟିକସ ହାର ୪୨.୪୭ ପ୍ରତିଶତରୁ ୩୯ ପ୍ରତିଶତକୁ କମିଛି । ସର୍ବୋଚ୍ଚ ସର୍‌ଚାର୍ଜ ହାର ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ ପାଇବା ଫଳରେ ସେମାନଙ୍କୁ ଏହି ସୁବିଧା ମିଳିବ । ନିର୍ମଳାଙ୍କ ପଞ୍ଚମ ତଥା ଶେଷ ପ୍ରସ୍ତାବ ବେସରକାରୀ ଦରମାଭୁକ୍ତ ଚାକିରିଆଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । ଲିଭ୍ ଏନ୍‌କ୍ୟାସ୍‌ମେଣ୍ଟ ଅନ୍ ରିଟାୟାର୍ମେଣ୍ଟ ଅର୍ଥାତ ଅବସର ବେଳେ ଛୁଟି ବାବଦ ଅର୍ଥ ଉପରେ ଟିକସ ଛାଡ଼ସୀମା ୩ ଲକ୍ଷରୁ ଏକାଥରେ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।