/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749097081.jpg)
Bengaluru Tragedy
ଶୋକରେ ବୁଡ଼ିଲା ବିଜୟ ଉତ୍ସବ। IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ପୂର୍ବରୁ ଭୟଙ୍କର ଦଳାଚକଟାରେ ଚାଲିଗଲା ୧୧ ଜଣଙ୍କ ଜୀବନ। ଆହତ ହୋଇଛନ୍ତି ୫୦ରୁ ଅଧିକ। ଗତକାଲି ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ଅଞ୍ଚଳରେ ଘଟିଥିଲା ଏହି ବଡ଼ ଅଘଟଣ।
ଷ୍ଟାଡ଼ିୟମ ବାହାରେ ଲକ୍ଷାଧିକ ଫ୍ୟାନ୍ ରୁଣ୍ଡ ହୋଇଥିଲେ। ଏହାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଥିଲା। ଆଉ ଏହି ଲାଠିମାଡ଼ରୁ ଷ୍ଟାମ୍ପେଡ୍ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଲାଗିରହିଛି ତନାଘନା। ଅଘଟଣ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ତେବେ ଉଦବେଗର କଥା ହେଉଛି, ଏହି ଦଳାଚକଟା ପରେ ବି ଚାଲିଥିଲା ସେଲିବ୍ରେସନ। ଅନେକ ଆହତଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି।
ସେପଟେ ଘଟଣାକୁ ନେଇ ଉପୁଜିଛି ରାଜନୈତିକ ବିବାଦ। କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବି.ୱାଇ.ବିଜୟେନ୍ଦ୍ର ଏହି ଘଟଣା ପାଇଁ ରାଜ୍ୟର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି। ତା’ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିଛନ୍ତି। ଷ୍ଟାଡିୟମର କ୍ଷମତା ୩୫ ହଜାର ରହିଥିବା ବେଳେ କେଉଁ ପରିସ୍ଥିତିରେ ୨ ଲକ୍ଷ ଦର୍ଶକ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଛି। ସେପଟେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ: ଆଜି ଆଇପିଏଲ୍ ମହାସମର; ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ
ପ୍ରଶଂସକଙ୍କ ପ୍ରାଣହାନୀକୁ ନେଇ ଦେଖାଦେଇଛି ତୀବ୍ର ଆଲୋଡ଼ନ। ଦଳାଚକଟା ଘଟଣାକୁ ନେଇ RCB ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସୋସିଆଲ୍ ମିଡ଼ିଆ Xରେ ଆରସିବି ଦର୍ଶାଇଛି, ସମସ୍ତଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘଟଣାକୁ ନେଇ ଆମେ ଗଭୀର ଭାବରେ ମର୍ମାହତ। ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ଜଣାଉଛୁ ବୋଲି ଦର୍ଶାଇଛି ଚାମ୍ପିଅନ୍ ଟିମ୍ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ। ପରିସ୍ଥିତି ବିଷୟରେ ଅବଗତ ହେବା ମାତ୍ରେ ଆମେ ତୁରନ୍ତ ଆମର କାର୍ଯ୍ୟକ୍ରମ ବନ୍ଦ କରିଥିଲୁ। ଏବଂ ପ୍ରଶାସନର ମାର୍ଗଦର୍ଶନ ଓ ପରାମର୍ଶ ମାନିଥିଲୁ। ସମସ୍ତ ସମର୍ଥକଙ୍କୁ ନିରାପଦ ରହିବାକୁ ଅନୁରୋଧ କରିଛି ଆରସିବି। ବିରାଟ କୋହଲି ମଧ୍ୟ ସୋସିଆଲ୍ ମିଡ଼ିଆରେ ସମାନ କଥା ଦର୍ଶାଇଛନ୍ତି। ସେପଟେ ବିସିସିଆଇ କହିଛି, ଆରସିବିର ଆୟୋଜନ ଯୋଜନା ବିହୀନ ଭଳି ମନେ ହେଉଥିଲା । ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ଆବଶ୍ୟକ ଥିଲା । ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)