ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ ଲକ୍ଷ ଲକ୍ଷ ଭାରତୀୟ କରିଥିବା ତ୍ୟାଗ ଓ ତପସ୍ୟାର କଳନା କରି ହେବନାହିଁ । ରାଜା ଶାସନ ଓ ଫିରିଙ୍ଗି ଶାସନରୁ ଦେଶକୁ ମୁକ୍ତ କରିବାର ଯାତ୍ରା ଏତେ ସହଜ ନଥିଲା । ଅକ୍ଲାନ୍ତ ଶ୍ରମ , ନିରବଚ୍ଛିନ୍ନ ସଂଗ୍ରାମ ଓ ମାଟି ମା’ ପ୍ରତି ତ୍ୟାଗ କରି ଭାରତୀୟଙ୍କୁ ଏ ସ୍ୱାଧୀନତା ମିଳିଛି । ହେଲେ ବିଭାଜନର ଦୁଃଖ ଆଜି ବି ସମସ୍ତଙ୍କ ହୃଦୟକୁ ଖିନଭିନ୍ କରେ । ୧୯୪୭, ଅଗଷ୍ଟ ୧୪ରେ ପ୍ରାୟ ୧୦ ଲକ୍ଷ ନିରୀହ ଜନତାଙ୍କ ମୃତଦେହ ଉପରେ ସୃଷ୍ଟି ହୋଇଥିଲା ପାକିସ୍ତାନ । ବିଭାଜନ ଯୋଗୁଁ ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଦେଢ କୋଟିରୁ ଅଧିକ ନିରୀହ ଜନତା । ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ବି ଯାଇଥିଲା । ଅନିଚ୍ଛା ସତ୍ତ୍ୱେ ଅନେକ ଲୋକ ନିଜ ଜନ୍ମମାଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । କାହାର ପରିବାର ପାକିସ୍ତାନ ତ ଆଉ କାହା ପରିବାର ଭାରତରେ ରହିଗଲା । ହେଲେ ପାକିସ୍ତାନରେ ଜନ୍ମିତ ଜଣେ ସଚ୍ଚା ଦେଶପ୍ରେମୀ ଦେଶ ବିଭାଜନ ପରେ ମଧ୍ୟ ଭାରତରେ ରହିବାକୁ ଶେୟସ୍କର ମଣିଥିଲେ ।
୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟର ଅଦ୍ଭୁତ କାହାଣୀ
Also Read
ଦେଶ ସ୍ୱାଧୀନ ହେବା ପର ଠାରୁ ଭାରତର ଆତ୍ମା କାଶ୍ମୀର ଉପରେ ବାରମ୍ବାର ପ୍ରହାର କରୁଛି ହିଂସା ଓ ଆତଙ୍କବାଦର ଦେଶ ପାକିସ୍ତାନ । ଗୁଜୁରାଟର କଚ୍ଛ କ୍ଷେତ୍ରରେ ନିୟନ୍ତ୍ରଣ ହାସଲ କରିଥିଲା ଭାରତ । ପରେ ୧୯୬୫ ପାକିସ୍ତାନ କଚ୍ଛ ସୀମା କ୍ଷେତ୍ରରେ ହମଲା କରିଥିଲା । ଏଇଠୁ ଆରମ୍ଭ ହୋଇଥିଲା ବିବାଦ । ୫ ଅଗଷ୍ଟ ୧୯୬୫ରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ମୁତୟତ କଲା ନିଜ ସେନାବାହିନୀ । ଏହାପରେ ଅଗଷ୍ଟ ୧୯୬୫ରେ ପାକିସ୍ତାନ ଅପରେସନ ଜିବ୍ରୋଲଟର ଲଞ୍ଚ କରିଥିଲା ଏବଂ ଭାରତୀୟ ରାଜ୍ୟ ଜମ୍ମୁ ଓ କଶ୍ମୀର ଉପରେ ଆକ୍ରମଣ ଆରମ୍ଭ କରିଥିଲା । ୧୭ ଦିନ ଯାଏ ଚାଲିଲା ଏହି ଯୁଦ୍ଧ ଏବଂ ତାସକେଣ୍ଟ ଚୁକ୍ତି ଦ୍ଵାରା ଏହା ଶେଷ ହୋଇଥିଲା । ୧୦ ଜାନୁଆରୀ ୧୯୬୬ରେ ଉଭୟ ରାଷ୍ଟ୍ର ଭିତରେ ଥିବା ସବୁ ବିବାଦର ସମାଧାନ ପାଇଁ ଦୁଇ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଓ ଆୟୁବ ଖାନ୍ ଏଥିରେ ଦସ୍ତଖତ କରିଥିଲେ ।
ଅଧିକ ପଢ଼ନ୍ତୁ: ବ୍ଲାକ ଆଉଟ୍ ବେଳେ ପଡ଼ିଲା ହାତଗଣ୍ଠି, ପଡ଼ୁଥିଲା ମିସାଇଲ୍ ହେଲା ବାହାଘର
ହେଲେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଥିଲା । ଜଣେ ପାକିସ୍ତାନୀ ଅଫିସରଙ୍କ ବାପା ଭାରତର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଦାୟିତ୍ୱରେ ଥିବାରୁ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ କ୍ୟାବିନେଟରେ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଥିଲେ ବାପା ଓ ତାଙ୍କ ନିଜ ପୁଅ ପାକିସ୍ତାନ ସେନାରେ ଜଣେ ବଡ଼ ଅଧିକାରୀ ଥିଲେ । ଏହାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଉପରେ ମଧ୍ୟ ଚାପ ପକାଇଥିଲେ ବିରୋଧୀ । ଅନ୍ୟପକ୍ଷରେ ଏଥିପାଇଁ ଖୋଦ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଥିଲା ।
ଏ କାହାଣୀ ହେଲା ଭାରତରେ ୬୦ ଦଶକର କେନ୍ଦ୍ରମନ୍ତ୍ରୀ ଥିବା ଶାହନୱାଜ ଖାନଙ୍କର, ଯିଏ ଆଜାଦ ହିନ୍ଦ ଫୌଜରେ ମେଜର ଜେନେରାଲ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନେ ଯେଉଁମାନଙ୍କୁ ବନ୍ଦୀ କରି ଦିଲ୍ଲୀର ଲାଲକିଲ୍ଲାରେ ରଖିଥିଲେ, ସେ ସେମାନଙ୍କ ମଧ୍ୟରେ ଥିଲେ। ଏହାପରେ ଶାହନୱାଜଙ୍କ ସମେତ ଛଅ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। ଆଜାଦ ହିନ୍ଦ ଫୌଜର ସମସ୍ତ ଅଧିକାରୀଙ୍କୁ ପରେ ମୁକ୍ତ କରାଯାଇଥିଲା । ୧୯୪୭ ମସିହାରେ ଦେଶ ବିଭାଜନ ପରେ ଶାହନୱାଜ ଭାରତ ଆସିଥିଲେ।
ନେହେରୁ ତାଙ୍କୁ ମନ୍ତ୍ରୀ କରିଥିଲେ
ଶାହନୱାଜ ଭାରତ ଆସିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରଥମେ ତାଙ୍କୁ ରେଳ ଏବଂ ପରିବହନ ଉପମନ୍ତ୍ରୀ କରିଥିଲେ । ତା'ପରେ ସେ ଅନେକ ବିଭାଗର କେନ୍ଦ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସାମଗ୍ରିକ ଭାବରେ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।
ଶାହନୱାଜଙ୍କ ଠାରୁ ଇସ୍ତଫା ଦାବି ହୋଇଥିଲା
୧୯୬୫ ମସିହାରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଲୋକମାନେ ଜାଣିବାକୁ ପାଇଥିଲେ, ତାଙ୍କ ବଡ଼ ପୁଅ ମହମୁଦ ନୱାଜ ଅଲି ପାକିସ୍ତାନୀ ସେନାରେ ଜଣେ ବଡ଼ ଅଧିକାରୀ। ଏହାକୁ ନେଇ ହଙ୍ଗାମା ହୋଇଥିଲା । ବିରୋଧୀ ଦଳଗୁଡ଼ିକ ତାଙ୍କ ଇସ୍ତଫା ଦାବି କରିଥିଲେ। ଶାହନୱାଜ ସେତେବେଳେ କେନ୍ଦ୍ର କୃଷି ମନ୍ତ୍ରୀ ଥିଲେ। ସେ ରାଜନୈତିକ ଦଳ ଏବଂ ସଂଗଠନର ଟାର୍ଗେଟରେ ପଡ଼ିଲେ। ଶାହନୱାଜ ଚାପରେ ପଡ଼ି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ।
ବଡ଼ ନିଷ୍ପତ୍ତି ନେଇଥିଲେ ଲାଲ ବାହାଦୁର ଶାସ୍ତ୍ରୀ
ସେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ କେବଳ ତାଙ୍କୁ ରକ୍ଷା କରିନଥିଲେ ବରଂ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ମଧ୍ୟ ମନା କରିଥିଲେ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ବିରୋଧୀଙ୍କୁ କହିଥିଲେ ଯେ ସେ ଆଦୌ ଇସ୍ତଫା ଦେବେ ନାହିଁ। ଯଦି ତାଙ୍କ ପୁଅ ଶତ୍ରୁ ଦେଶର ସେନାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ, ତେବେ ଏଥିରେ ତାଙ୍କର ଦୋଷ କ'ଣ? ଆଜି ମଧ୍ୟ ଶାହନୱାଜଙ୍କ ପୁଅ ଏବଂ ପରିବାରର ସଦସ୍ୟମାନେ ପାକିସ୍ତାନରେ ଉଚ୍ଚ ପଦବୀରେ ଅଛନ୍ତି।
କିଏ ଥିଲେ ଶାହନୱାଜ
ଶାହ ନୱାଜ ଖାନଙ୍କ କାହାଣୀ ମଧ୍ୟ ସାଧାରଣ ନଥିଲା। ସେ ଆଜି ପାକିସ୍ତାନରେ ଥିବା ରାୱଲପିଣ୍ଡିର ମାଟୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ପାଠପଢ଼ା ମଧ୍ୟ ସେଠାରେ ସମାପ୍ତ କରିଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ ଯୋଗଦେବା ପୂର୍ବରୁ ସେ ବ୍ରିଟିଶ ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ। ସେ ମେଜର ଜେନେରାଲ ପଦବୀରେ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଲାଲକିଲ୍ଲାରେ ବ୍ରିଟିଶମାନଙ୍କ ସହିତ ଏକ ଐତିହାସିକ ସଂଘର୍ଷରେ ସାମିଲ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ, ଯାହା ଜାତୀୟତାବାଦୀ ଉତ୍ସାହକୁ ବୃଦ୍ଧି କରିଥିଲା।
ପରିବାରକୁ ଛାଡି ଭାରତ ଚାଲି ଆସିଥିଲେ
ସ୍ୱାଧୀନତା ପରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ବିଭାଜନ ହୋଇଥିଲା, ସେ ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିଲେ । ଏଥିପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ପାକିସ୍ତାନରେ ହିଁ ଛାଡ଼ି ଦେଇଥିଲେ। ତାଙ୍କ ପରିବାରରେ ଥିଲେ ସ୍ତ୍ରୀ, ତିନି ପୁଅ, ତିନି ଝିଅ । ପରେ ସେ ପ୍ରସିଦ୍ଧ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ମାଆ ଲତିଫ ଫାତିମାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ। ଶାହରୁଖଙ୍କ ବାପା, ଶାହନୱାଜ ଖାନଙ୍କ ସହିତ ପାକିସ୍ତାନରୁ ଭାରତ ଆସିଥିଲେ । ପରେ ଦୁହିଁଙ୍କର ବିବାହ ମଧ୍ୟ କରାଇଦେଲେ ଶାହନୱାଜ ଖାନ।
ମିରଟରୁ ଚାରି ଥର ସାଂସଦ ଥିଲେ
ସ୍ୱାଧୀନ ଭାରତରେ ସେ ଚାରିଥର ମିରଟରୁ ସାଂସଦ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ ମିରଟ ଭଳି ସମ୍ବେଦନଶୀଳ ସହରରେ କେବେ କୌଣସି ଦଙ୍ଗା କିମ୍ବା ଅଶାନ୍ତି ହୋଇନଥିଲା । ଶାହନୱାଜ ୧୯୫୨ ମସିହାରେ କଂଗ୍ରେସ ଟିକେଟରେ ମିରଟରୁ ପ୍ରଥମ ଲୋକସଭା ନିର୍ବାଚନ ଜିତିଥିଲେ। ଏହା ପରେ ସେ ୧୯୫୭, ୧୯୬୨ ଏବଂ ୧୯୭୧ ରେ ମିରଟରୁ ଜିତି ଚାଲିଥିଲେ। ସେ ୨୩ ବର୍ଷ ଧରି କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ।
ନେତାଜୀ ତଦନ୍ତ କମିଶନର ଅଧ୍ୟକ୍ଷ
୧୯୫୬ ମସିହାରେ ଶାହ ନୱାଜ ଖାନଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରହସ୍ୟମୟ ନିଖୋଜ ଘଟଣାର ତଦନ୍ତ ପାଇଁ ଭାରତର ପ୍ରଥମ ତଦନ୍ତ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା, ଯାହାଙ୍କ ନେତୃତ୍ୱରେ ସେ ସ୍ୱାଧୀନତା ପାଇଁ ଲଢ଼ିଥିଲେ। ତାଙ୍କର ନିଯୁକ୍ତି ତାଙ୍କର ସଚ୍ଚୋଟତା ଏବଂ ଜାତୀୟତା ଉପରେ ବିଶ୍ୱାସର ଏକ ପ୍ରତୀକ ଥିଲା।
ପୁତୁରା ଆଇଏସଆଇର ମୁଖ୍ୟ ଥିଲା
ଶାହନୱାଜ ଖାନଙ୍କ ନିକଟତମ ବନ୍ଧୁ ଏବଂ ସମ୍ପର୍କୀୟମାନେ ଏବେ ବି ପାକିସ୍ତାନରେ ଉଚ୍ଚ ପଦବୀରେ ଅଛନ୍ତି। ତାଙ୍କ ପରିବାରର ଅନେକ ସଦସ୍ୟ ପାକିସ୍ତାନୀ ସେନାରେ ଉଚ୍ଚ ପଦବୀରେ ଅଛନ୍ତି । ଶାହନୱାଜ ଖାନଙ୍କ ପୁତୁରା ଲେଫ୍ଟନାଣ୍ଟ ଜେନେରାଲ ଜାହିର ଉଲ ଇସଲାମ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଥିଲେ। ବର୍ତ୍ତମାନ ଶାହନୱାଜ ଖାନଙ୍କ ପରିବାର ଭାରତରେ କୌଣସି ଉଲ୍ଲେଖନୀୟ ରାଜନୈତିକ କିମ୍ବା ସାର୍ବଜନୀନ ପଦବୀରେ ନାହାନ୍ତି ।
ଜେନେରାଲ ଶାହନାୱାଜ ଖାନଙ୍କ ସମ୍ପତ୍ତି ହରିଦ୍ୱାର ନିକଟ ଉତ୍ତରାଖଣ୍ଡର ଲକ୍ଷ୍ମ ତହସିଲର ଆଥାଲ ଗ୍ରାମରେ ଥିବା ସୂଚନା ରହିଛି। ଚାଷ ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ନେଇ ତାଙ୍କ ପରିବାରରେ ବିବାଦ ଥିବା ଶୁଣିବାକୁ ମିଳେ ।