/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745421741.jpg)
‘ସୈଫୁଲା’ ମାଷ୍ଟରମାଇଣ୍ଡ !
କେତେ ଛାତିଥରା ପହଲଗାମ୍ ନରସଂହାର ? ଧର୍ମ ପଚାରି କେମିତି ନିରୀହ ପର୍ଯ୍ୟଟକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ଆତଙ୍କୀ ? ଲଗାତାର ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ରୁମଟାଙ୍କୁରା ଚିତ୍ର । ସେପଟେ ସନ୍ଦୀଗ୍ଧ ଆତଙ୍କୀଙ୍କ ଫଟୋ ଓ ସ୍କେଚ୍ ମଧ୍ୟ ଜାରି କରାଯାଇଛି । TRFର ଏ ପୂରା କାଣ୍ଡ ପଛରେ ଲସ୍କର କମାଣ୍ଡର୍ ସୈଫୁଲ୍ଲା ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ, ଏହାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି। ଏସବୁ ଭିତରେ ସାରା ବିଶ୍ବକୁ ସ୍ତବ୍ଧ କରିଛି, ମୃତ ସ୍ବାମୀଙ୍କ ନିସ୍ତେଜ ଶରୀର ପାଖରେ ନିର୍ବାକ୍ ହୋଇ ବସିଥିବା ନବବିବାହିତା ପତ୍ନୀଙ୍କ ହୃଦୟ ବିଦାରକ ଫଟୋ ।
ଆତଙ୍କବାଦର ଧର୍ମ ନାହିଁ ସିନା...ଏଠି କିନ୍ତୁ ଧର୍ମ ପଚାରିଲା ଆତଙ୍କୀ...ତୁମେ ହିନ୍ଦୁ ନା ମୁସଲିମ୍ ? ଗୁଳିର ଠିକଣା ପଚାରି ବନ୍ଧୁକ ଗର୍ଜିଲା । ମଥାର ସିନ୍ଦୁର ତଳେ ଲୋଟିଥିଲା । ଛାତିରୁ ଲହୁ, ଆଖିରୁ ଲୁହ ଝରୁଥିଲା । ନୀରିହ ରକ୍ତରେ ସବୁଜ ଗାଲିଚା ନାଲି ହେଲା ବେଳେ । ଭାରତର ଭୂସ୍ବର୍ଗ ବି ଗୁମୁରି ଗୁମୁରି କାନ୍ଦୁଥିଲା ।
ଅଧିକ ପଢ଼ନ୍ତୁ: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ
ଏପ୍ରିଲ ୨୨, ମଙ୍ଗଳବାର । ଦିନ ପ୍ରାୟ ୨ଟା । ପହଲଗାମ୍ର ବୈସାରନ୍ ଭ୍ୟାଲି । ଛୁଟି କାଟିବାରେ ମସଗୁଲ ଥିଲେ ପର୍ଯ୍ୟଟକ । କିଏ ଜିପ୍ ଲାଇନିଂ କରୁଥିଲେ, କେଉଁଠି ପିଲାମାନେ ଡିଆଁଡେଇଁ କରୁଥିଲେ । ଠିକ୍ ଏତିକି ବେଳେ ଶୁଭିଲା ଗୁଳିର ଆୱାଜ୍ । ଅଚାନକ ପାଇନ ଜଙ୍ଗଲ ଭିତରୁ ବାହାରିଲେ ସେନା ଓ ପୋଲିସ ବର୍ଦ୍ଦି ପିନ୍ଧିଥିବା ପ୍ରାୟ ୬-୭ ଜଣ ଆତଙ୍କବାଦୀ । ହାତରେ ଥିଲା AK-47 ଓ M4-କାର୍ବାଇନ୍ ବନ୍ଧୁକ । ଅନ୍ଧାଧୁନ୍ ବ୍ଲାଙ୍କ୍ ଫାୟାରିଂ କରିବାରୁ ପ୍ରଥମେ ଚମକି ପଡ଼ି ବାଣ ଫୁଟୁଛି ବୋଲି ଭାବିଥିଲେ ଘାଟିରେ ଥିବା ହଜାରେରୁ ଦେଢ଼ ହଜାର ପର୍ଯ୍ୟଟକ । ଯେତେବେଳେ ବନ୍ଧୁକ ଫୁଟୁଛି ଜାଣିଲେ, ଖେଳିଗଲା ଆତଙ୍କ । ପ୍ରାଣ ବିକଳରେ ଧାଁ ଦୌଡ଼ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବନ୍ଧୁକମୁନରେ ପ୍ରାୟ ୪୦ ଜଣ ପର୍ଯ୍ୟଟକଙ୍କୁ ବନ୍ଧକ ରଖି, ମହିଳା ଓ ଶିଶୁଙ୍କୁ ଦୂରକୁ ହଟିଯିବାକୁ କହିଲେ । ତା ପରେ ଆରମ୍ଭ ହେଲା ଆତଙ୍କୀଙ୍କ ନରସଂହାର । କେବଳ ପୁରୁଷମାନଙ୍କୁ ଧରି ସେମାନଙ୍କ ନାଁ ଓ ଧର୍ମ ପଚାରିଲେ ଆତଙ୍କୀ । କଲମା ଓ ଆଜାନ ପଢ଼ିବାକୁ କହିଲେ । କେହି କେହି କହୁଛନ୍ତି- ପ୍ୟାଣ୍ଟ୍ ଖୋଲି ମୁସଲିମ୍ କି ନୁହେଁ ଯାଞ୍ଚ କଲେ । ଯିଏ ହିନ୍ଦୁ ବୋଲି ଜାଣିଲେ, ତାକୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କଲେ । କାହା ମୁଣ୍ଡରେ, କାହା ଛାତିରେ, ପୁଣି କିଏ ଦୌଡ଼ି ପଳାଇବା ବେଳେ ପଛରୁ ଗୁଳି କରିଥିଲେ ବର୍ବର ଆତଙ୍କୀ । ପ୍ରାୟ ୭୦ ରାଉଣ୍ଡ୍ ଗୁଳିରେ, ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଲା ମୃତଦେହ ।
ଯେଉଁମାନେ ଗତକାଲି ପହଲଗାମରେ ଖେଳିଥିଲେ ରକ୍ତର ହୋଲି, ଆଜି ସେଇ ସନ୍ଦିଗ୍ଧ ଆତଙ୍କୀ ସ୍କେଚ୍ ଜାରି କରାଯାଇଛି । କୁହାଯାଉଛି, ୨ ପାକିସ୍ତାନୀ ଓ ୨ କାଶ୍ମୀର ଆତଙ୍କୀ ଫାୟାରିଂ କରିଥିଲେ, ଆଉ ୩-୪ ଜଣ ହ୍ୟାଣ୍ଡଲର୍ ବାହାରେ ଜଗିଥିଲେ । ସୁଲେମାନ ଶାହ ଓ ଅବୁ ତଲ୍ଲାର ସ୍କେଚ୍ ଜାରି ହୋଇଥିବା ବେଳେ, ଆସିଫ୍ ଫୌଜୀର ସ୍କେଚ୍ ସହ ଫଟୋ ବି ସାମ୍ନାକୁ ଆସିସାରିଛି ।
ଜାତୀୟ ଗଣମାଧ୍ୟମକୁ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ନରସଂହାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି କରିଥିଲେ ଏଇ ଆତଙ୍କୀମାନେ । କର୍ଣ୍ଣାଟକର ମୃତକ ମଞ୍ଜୁନାଥ ରାଓଙ୍କୁ ଆତଙ୍କୀମାନେ ଗୁଳିମାରିବା ପରେ, ତାଙ୍କ ପତ୍ନୀ ପଲ୍ଲବୀ କହିଥିଲେ ମୋ ସ୍ବାମୀକୁ ମାରିଲ, ମୋତେ ବି ମାରିଦିଅ । ହେଲେ ଆତଙ୍କୀ କହିଥିଲା- ତୁମକୁ ମାରିବୁନି, ତୁମେ ଏକଥା ଯାଇ ମୋଦିଙ୍କୁ କୁହ । ଗତକାଲି ପ୍ରାୟ ୨୦ ମିନିଟ୍ ଧରି ଲଗାତାର ଫୁଟିଥିଲା ଗୁଳି । ହେଲେ ଏହାକୁ ଆଖିରେ ଦେଖିଥିବା ଲୋକଙ୍କୁ ଲାଗୁଥିଲା ଗୋଟିଏ ଯୁଗ ଭଳି । ଆତଙ୍କୀମାନେ ସେନା ପୋଷାକ ପିନ୍ଧିଥିବାରୁ, ଘଟଣାସ୍ଥଳରୁ ଅଳ୍ପକେ ଖସି ଆସିଥିବା କିଛି ଲୋକ, ବାହାରେ ସତସତିକା ସେନା ଯବାନଙ୍କୁ ବି ଦେଖି ଡରି ଯାଇଥିଲେ । କାନ୍ଦି କାନ୍ଦି କହିଥିଲେ- ଆମକୁ ଛାଡ଼ିଦିଅ... ଆମକୁ ମାରନି ।
ଗୋଟିଏ ଇସ୍ରାଏଲୀଙ୍କ ଉପରେ ହମାସ ଆଟାକ୍, ଅନ୍ୟଟି ଗତକାଲିର ପହଲଗାମ୍ ଆଟାକ୍ । ତେବେ ହମାସ୍ ଷ୍ଟାଇଲରେ ଗତକାଲି କାହିଁକି ନିରୀହ ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ ଆତଙ୍କୀ ? ପହଲଗାମ୍ ବୈସାରନ୍ ଭ୍ୟାଲିକୁ କାହିଁକି ବାଛିଲେ ? ଏ ସାଟେଲାଇଟ ଇମେଜ୍ ଉପରେ ନଜର ପକାନ୍ତୁ । ଚାରିପଟେ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ବରଫାବୃତ ପାହାଡ଼ । ତା ମଝିରେ ରହିଛି ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ବୈସାରନ୍ ଉପତ୍ୟକା । ପହଲଗାମ୍ ହିଲଷ୍ଟେସନ ଠାରୁ ୭ କିଲୋମିଟର ଦୂର ଏବଂ ଗୋଟିଏ ପଥୁରିଆ କଚ୍ଚା ରାସ୍ତାରେ କେବଳ ପାଦରେ ଚାଲିଚାଲି ନଚେତ୍ ଘୋଡ଼ା ପିଠିରେ ବସି ସେଠାକୁ ଯିବା ସମ୍ଭବ । ସେଠାରେ ହଠାତ୍ ସେନା କିମ୍ବା ସୁରକ୍ଷାବାହିନୀ ପହଞ୍ଚିବା ସମ୍ଭବ ନଥିବାରୁ, ହୁଏତ ସେଇ ସ୍ଥାନକୁ ବାଛିଥିଲେ ଆତଙ୍କୀ ।
ସୀମା ଅନୁପ୍ରବେଶ କରିଥିବା ପାକିସ୍ତାନ ଆତଙ୍କୀ ଓ ସ୍ଥାନୀୟ କାଶ୍ମିରୀ ଆତଙ୍କୀ ମିଶି ରଚିଥିଲେ ହାଇବ୍ରିଡ୍ ଟେରରିଜିମ୍ ପ୍ଲାନ୍ । ଲସ୍କର-ଏ-ତଏବାର କାଶ୍ମିରୀ ପ୍ରକ୍ସି 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍' ବା TRF ଏ ହମଲା ପାଇଁ ନିଜକୁ ଦାୟୀ କରିଥିଲେ ବି, ଏସବୁର ବ୍ଲୁପ୍ରିଣ୍ଟ ପାକିସ୍ତାନରେ ବସି ଲସ୍କର କମାଣ୍ଡର୍ ସୈଫୁଲ୍ଲା କସୁରୀ କରିଥିବା ଅନୁମାନ କରାଯାଉଛି । ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତ ସମୟରେ ଲାଇମଲାଇଟକୁ ଆସିବାକୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ତାସହ କିଛି ଦିନ ତଳେ ପାକ୍ ସେନା ମୁଖ୍ୟ କାଶ୍ମୀରକୁ ପାକିସ୍ତାନର ଗଳାର ଶିରା କହିବା ଆତଙ୍କୀଙ୍କୁ ଉତ୍ସାହିତ କରିଥାଇପାରେ। ସେମାନେ ଅମରନାଥ ଯାତ୍ରା ପୂର୍ବରୁ କାଶ୍ମୀରରେ ଆତଙ୍କପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ମଧ୍ୟ ଏଭଳି କରିଥାଇପାରନ୍ତି। ତେବେ ସେ ଯାହା ହେଉ, ମୁମ୍ବାଇ ୨୬-୧୧ ଆଟାକ୍ ପରେ ଏହା ସାଧାରଣ ଲୋକଙ୍କ ଉପରେ ଆତଙ୍କୀଙ୍କ ବଡ଼ ନରସଂହାର ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)