Telangana
ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୪ ଓଡ଼ିଆ। ଏପର୍ଯ୍ୟନ୍ତ ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆହୁରି ୪ ଓଡ଼ିଆ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ମୃତକମାନେ ହେଲେ ଗଂଜାମର ଜଗନ ମୋହନ, କଟକ ତିଗିରିଆର ଲଗ୍ନିଜିତ ଦୁଆରୀ, ବାଲେଶ୍ବରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ। ଏ ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଜଣିଆ ଟିମ୍ ଘଟଣାସ୍ଥଳ ଗସ୍ତ କରିଥିବା ବେଳେ ଏ ସୂଚନା ସାମ୍ନାକୁ ଆସିଛି।
ଅଧିକ ପଢନ୍ତୁ: ଫାର୍ମା ଫାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ମୃତକଙ୍କୁ ମିଳିବ ୧ କୋଟି
ସୋମବାର ତେଲେଙ୍ଗାନାରେ ଏକ କେମିକାଲ ଫାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୩୫ରୁ ଅଧିକ ପ୍ରାଣ ହରାଇଛନ୍ତି। ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚ୍ଛି କେମିକାଲ ଫାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା। ଏହି ଭୟଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଦୁର୍ଘଟଣା ସମୟରେ ଫାକ୍ଟ୍ରିରେ ପ୍ରାୟ ୧୫୦ରୁ ଉର୍ଦ୍ଧ କର୍ମଚାରୀ ଥିଲେ। ଉଦ୍ଧାରକାରୀ ଦଳ ଧ୍ୱସ୍ତ ବିଧ୍ୱସ୍ତ ଭଗ୍ନାବଶେଷ ଉଦ୍ଧାର କରିବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ, ଜୁନ ୩୦ ସୋମବାର ସକାଳ ୮ଟା ୧୫ରୁ ୯ଟା ୩୫ ମଧ୍ୟରେ କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଆଖପାଖରେ ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀର ୧୦୦ ମିଟର ଦୁରକୁ ଉଡି ଯାଇଥିଲା। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ତେଲେଙ୍ଗାନାର ରାଜସ୍ୱ ବିଭାଗ କହିଛି ଯେ, ମୃତକଙ୍କ ମଧ୍ୟରୁ ଅନେକ ଓଡିଶା, ପଶ୍ଚିମବଙ୍ଗ ଓ ବିହାର ରାହ୍ୟର ବାସିନ୍ଦା ଅଟନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଘଟଣା ଘଟିବା ସମୟରେ ୧୪୩ ଜଣ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମୃତକଙ୍କ ପାଇଁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Telangana_1751435647.jpg)