ଗୋଟିଏ ଗୁଜବ କେତେ ପ୍ରଳୟଙ୍କରୀ ହୋଇ ନ ପାରେ ? ଗୋଟିଏ ଗୁଜବ କେତେ ସଜଡା ଘରକୁ ଉଜାଡି ନ ଦିଏ, ଇତିହାସର ପୃଷ୍ଠାକୁ କେତେ ଲହୁଲୁହାଣ କରି ନ ଦିଏ ? ଉତ୍ତର ପ୍ରଦେଶର ସମ୍ଭଲ କହେ ଏହି ପ୍ରଳୟଙ୍କରୀ କାହାଣୀର କଥା । କହେ ସେହି ଉଜୁଡା ପରିବାର ଲୁହକୋହର କଥା । ଆଜି ସମ୍ଭଲକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହି ଚର୍ଚ୍ଚା ପୁଣି ଥରେ ସେଇ ଅତୀତକୁ ନେଇ ଯାଇଛି । ଲୁହଲହୁ ଭିଜା ସ୍ମୃତିକୁ ପୁଣି ସଜଳ କରି ଦେଇଛି।
ଅଧିକ ପଢ଼ନ୍ତୁ: ଯୋଗୀଙ୍କ ବୁଲଡୋଜର ଭୟ, ନିଜ ଘର ନିଜେ ଭାଙ୍ଗୁଛନ୍ତି ଜବରଦଖଲକାରୀ ବାସିନ୍ଦା
ଆଳୁ ଖୋଳୁ ଖୋଳୁ ବାହାରିଥିଲେ ମହାଦେବ:
ନିକଟରେ ପ୍ରଶାସନ ବିଜୁଳି ଚୋରି ଚେକିଂ କରିବାକୁ ଯାଇଥିଲା । ଆଳୁ ଖୋଳୁ ଖୋଳୁ ବାହାରିଥିଲେ ମହାଦେବ । ଉଦ୍ଧାର ହୋଇଥିଲା ୪୦୦ ବର୍ଷର ପୁରୁଣା ଶିବ ମନ୍ଦିର । ଉଦ୍ଧାର ହୋଇଥିଲା ଶିବଲିଙ୍ଗ, ଭଗବାନ ହନୁମାନ ଏବଂ ନନ୍ଦୀ ମୂର୍ତ୍ତି । ମନ୍ଦିର ନିକଟରେ ଏକ କୂଅ ବି ଠାବ କରାଯାଇଥିଲା । ୧୯୭୮ ମସିହାରୁ ଏହି ମନ୍ଦିର ବନ୍ଦ ହୋଇ ମୁସଲିମଙ୍କ କବ୍ଜାରେ ଥିଲା । ତେବେ ଏଠି ପ୍ରଶ୍ନ, ଏତେ ଦିନ ଧରି ଏହି ମନ୍ଦିରକୁ କିଏ କେମିତି ଏତିଦିନ ଧରି କବ୍ଜାରେ ରଖିଥିଲା ? ୪୬ ବର୍ଷ ତଳେ ଏମିତି କ’ଣ ହୋଇଥିଲା ଯେ ଆଜି ଯାଏ ଏହି ମନ୍ଦିରକୁ ଖୋଲା ଯାଉ ନ ଥିଲା ?
ସମ୍ଭଲ ଛାଡି ପଳାଇଲେ ହିନ୍ଦୁ:
୧୯୭୮ ମସିହାର କଥା । ଆଜକୁ ୪୬ ବର୍ଷ ତଳେ ସମ୍ଭଲରେ ଏମିତି କିଛି ହୋଇଥିଲା ଯେଉଁଥିପାଇଁ ହିନ୍ଦୁମାନେ ସେଠାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମ୍ଭଲରେ ପାଖାପାଖି ୭୭ ପ୍ରତିଶତ ମୁସଲମାନ ଥିଲେ । ତେବେ ସମ୍ଭଲର ଯେଉଁ ଖଗ୍ଗୁସରାୟ ଅଞ୍ଚଳରେ ଭଗବାନ ଶଙ୍କରଙ୍କ ମନ୍ଦିର ମିଳିଥିଲା ସେଠାରେ ଅଧିକ ସଂଖ୍ୟକ ହିନ୍ଦୁ ପରିବାର ରହୁଥିଲେ । କୁହାଯାଏ, ସମ୍ଭଲରେ ହିଁ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ମନ୍ଦିର ଥିଲା ।
ଗୋଟିଏ ଗୁଜବ ଲଗାଇ ଦେଲା ନିଆଁ:
ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ୧୯୭୬ରେ ହୋଇଥିବା ଦଙ୍ଗାରେ ୫ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା । ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ୭ ଦିନ ଯାଏ ଏଠାରେ କର୍ଫ୍ୟୁ ଲାଗିଥିଲା । ରିପୋର୍ଟ ଅନୁସାରେ, ୧୯୭୬ ଫେବୃଆରୀ ୨୯ରେ ଗୁଜବ ଉଠିଲା ଯେ, ପେତିୟା ଗାଁର ଜଣେ ହିନ୍ଦୁ ଜଣେ ମୌଲବୀଙ୍କୁ ହତ୍ୟା କରିଛନ୍ତି । ହେଲେ ପ୍ରକୃତ ଘଟଣା ଥିଲା, ମସଜିଦ କମିଟିର ଝଗଡାରୁ ଜଣେ ମୁସଲିମ ହିଁ ମୌଲବୀଙ୍କୁ ହତ୍ୟା କରିଥିଲେ । ନିଆଁ ପରି ବ୍ୟାପି ଯାଇଥିଲା ଗୁଜବ । ଆରମ୍ଭ ହୋଇ ଯାଇଥିଲା ଦଙ୍ଗା ।
ସାଂପ୍ରଦାୟିକ ଦଙ୍ଗାରେ ରକ୍ତାକ୍ତ ହୋଇଥିଲା ସମ୍ଭଲ ମାଟି:
ଦଙ୍ଗା ଭୟଙ୍କର ରୂପ ନେଇଥିଲା । ମୁସଲିମ ଦଙ୍ଗାକାରୀ ମଞ୍ଜର ସଫି ଏବଂ ଅତାଉଲ୍ଲା ତତାରୀଙ୍କ ନେତୃତ୍ୱରେ ଉତ୍ତ୍ୟକ୍ତ ମୁସଲିମ ସୁରଜକୁଣ୍ଡ ଏବଂ ମାନସ ମନ୍ଦିର ଭାଙ୍ଗି ଦେଇଥିଲେ । ଏହାପରେ ସରଥଲ ଚୌକୀରେ ଥିବା କିଶନଲାଲଙ୍କ ଘରକୁ ଜାଳି ଦେବାକୁ ଚେଷ୍ଟା ହୋଇଥିଲା । ହିନ୍ଦୁମାନେ ଏହାର ପ୍ରତିବାଦ କରିଥିଲେ । ହେଲେ ପଥରବାଜି କରି ସେମାନଙ୍କୁ ଘଉଡାଇ ଦେଇଥିଲେ । ଏହି ଦଙ୍ଗାରେ ୨ ଜଣ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା । ୧୯୭୬ ଏପ୍ରିଲ ୨୪ ତାରିଖରେ ଏକ ବିସ୍ଫୋରଣ ଘଟଣାରେ ମୁସଲିମ ସଂପ୍ରଦାୟର ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲା । ଏହା ପରେ ଜଣେ ହିନ୍ଦୁଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା । ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
କ’ଣ କହେ ପ୍ରଶାସନିକ ରିପୋର୍ଟ:
ଗତ ଡିସେମ୍ବର ୧୬ ତାରିଖରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାରେ କହିଥିଲେ ସମ୍ଭଲ ଦଙ୍ଗାରେ ୨୦୯ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା । ସମ୍ଭଲ ଜିଲ୍ଲା ପ୍ରଶାସନର ଇଣ୍ଟରନାଲ ରିପୋର୍ଟରେ ବି ଏହି ସଂଖ୍ୟା ରହିଛି । ତେବେ ଏହି ରିପୋର୍ଟରେ ଉପରୋକ୍ତ ଘଟଣାରେ ମୃତ ୫ ଜଣ ବ୍ୟକ୍ତିଙ୍କର ନାଁ ବ୍ୟତୀତ ଆଉ କାହା ନାଁ ଉଲ୍ଲେଖ ନାହିଁ । ଏହି ଘଟଣାରେ ପୋଲିସ ୨୦ରୁ ୨୦ ମୁସଲିମଙ୍କ ସମେତ କିଛି ହିନ୍ଦୁଙ୍କୁ ମଧ୍ୟ ଗିରଫ କରିଥିଲା ।
୧୯୭୮ରେ ସମ୍ଭଲରେ ସବୁଠାରୁ ଭୟଙ୍କର ଦଙ୍ଗା ହୋଇଥିଲା । ୧୯୭୬ ଦଙ୍ଗାରେ ସକ୍ରିୟ ଥିବା ମଞ୍ଜର ସଫି ବି ଏହି ଦଙ୍ଗାରେ ସକ୍ରିୟ ଥିଲେ । ଏହି ସମୟରେ ଜଣେ ହିନ୍ଦୁ ଶିକ୍ଷକଙ୍କ ପତ୍ନୀ ଓ କନ୍ୟାଙ୍କୁ ଅପହରଣ କରି ନିଆଗଲା । ପତ୍ନୀଙ୍କୁ ତ ସ୍ଥାନୀୟ ହିନ୍ଦୁମାନେ ଉଦ୍ଧାର କରି ପାରିଥିଲେ । ହେଲେ କନ୍ୟାଙ୍କୁ ଉଦ୍ଧାର କରିପାରି ନ ଥିଲେ । ଅପହରଣକାରୀ ଦୁଷ୍କର୍ମ ପରେ ତାଙ୍କୁ ଛାଡି ଦେଇଥିଲେ । ଏହି ଘଟଣା ପରେ ଏଠାରେ ଥିବା ହରିହର ମନ୍ଦିରରେ ହିନ୍ଦୁଙ୍କ ପ୍ରବେଶକୁ ସ୍ଥାନୀୟ ନେତା ଶଫିକୁରହମାନ ବର୍କ ବନ୍ଦ କରି ଦେଇଥିଲେ । ୧୯୭୮ ଦଙ୍ଗାରେ ଅନେକ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା । ଭୟରେ ୪୦ ପରିବାର ଘର ଛାଡି ପଳାଇଥିଲେ । ମନ୍ଦିରରେ କେହି ପୂଜା କରିବାକୁ ରହିଲେ ନାହିଁ । ଏହି ଘଟଣାର ୪୬ ବର୍ଷ ପରେ ଏ ଯାଏ କାହାକୁ ଦଣ୍ଡ ମିଳି ନାହିଁ ।
୧୬ଟି ଦଙ୍ଗାର ସାକ୍ଷୀ ଏହି ମାଟି:
ସ୍ୱାଧୀନତା ପରେ ଗୋଟିଏ ବା ୨ଟି ନୁହେଁ, ପାଖାପାଖି ୧୬ ଥର ସାଂପ୍ରଦାୟିକ ଦଙ୍ଗାରେ ଲହୁଲୁହାଣ ହୋଇଛି ଏଇ ସମ୍ଭଲ ମାଟି। ଏଥିରେ ୨୧୩ ଲୋକଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ୨୦୯ ଜଣ ହିନ୍ଦୁ ଓ ୪ ଜଣ ମୁସଲିମ ଅଛନ୍ତି । ଦଙ୍ଗାର ଇତିହାସ ଦେଖିଲେ ଜଣାଯାଏ, ୧୯୪୭ରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ୧୯୪୮ରେ ୬, ୧୯୫୮ରେ ୫ ଏବଂ ୧୯୪୭ରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୯୭୮ରେ ସର୍ବାଧିକ ୧୮୪ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୯୮୦ ଦଙ୍ଗାରେ ବି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ୧୯୮୨, ୧୯୮୬, ୧୯୯୨, ୧୯୯୫, ୨୦୧୯ରେ ବି ଏଠାରେ ଦଙ୍ଗା ହୋଇଥିଲା । ଦଙ୍ଗା କାରଣରୁ ସମ୍ଭଲରେ ଧୀରେ ଧୀରେ ହିନ୍ଦୁଙ୍କ ସଂଖ୍ୟା କମି କମି ଆସିଲା । ସ୍ୱାଧୀନତା ସମୟରେ ସମ୍ଭଲ ନଗରପାଳିକା କ୍ଷେତ୍ରରେ ହିନ୍ଦୁ ଜନସଂଖ୍ୟା ୪୫ ପ୍ରତିଶତ ଥିବାବେଳେ ଏବେ ତାହା କମି ୧୫ରୁ ୨୦ ପ୍ରତିଶତରେ ପହଞ୍ଚିଛି । ଅନ୍ୟପକ୍ଷରେ ମୁସଲିମ ଜନସଂଖ୍ୟା ୫୫ ପ୍ରତିଶତରୁ ବଢି ୮୦ରୁ ୮୫ ପ୍ରତିଶତରେ ପହଞ୍ଚିଛି ।