• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

ବିଦ୍ରୋହୀ ସଂଗଠନ ହୟାତ ତାହିର ଅଲ ଶାମ ଏବେ ସିରିଆକୁ ଦଖଲ କରିଛି। ବିଦ୍ରୋହୀ ଗୋଷ୍ଠୀ ସିରିଆ ଏବଂ ରାଜଧାନୀ ଦମସ୍କ ଏକଛତ୍ରବାଦୀ ବସର ଅଲ ଅସଦଙ୍କ କବଳରୁ ଏବେ ମୁକ୍ତ। ଏହାରି ଭିତରେ ରାଷ୍ଟ୍ରପତି ବଶର ଅଲ ଅସଦ ଦେଶ ଛାଡି ପଳାଇଛନ୍ତି। ବଶର ଅଲ- ଅସଦ ଗତ ୨୪ବର୍ଷ ଧରି ସିରିଆ ଉପରେ ଶାସନ କରୁଥିଲେ। ତାଙ୍କ ପିତା ଅଲ- ଅସଦ ହାଫେଜ ୨୯ବର୍ଷ ସିରିଆକୁ ନିଜ କବ୍‌ଜାରେ ରଖିଥିଲେ। ୨୦୦୦ରେ ବାଶାର ଅଲ- ଅସଦ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ଦେଶ ଛାଡିବା ପରେ ବର୍ତ୍ତମାନ ଇସ୍ରାଏଲ ଭୟରେ ରହିଛି। ୧୯୭୪ରେ ଇସ୍ରାଏଲ ଏବଂ ସିରିଆ ମଧ୍ୟରେ ହୋଇଥିବା ଚୁକ୍ତି ଭଙ୍ଗ ହୋଇପାରେ ବୋଲି ଇସ୍ରାଏଲ ଏବେ ଆଶଙ୍କା କରୁଛି। ସିରିଆର ଆଭ୍ୟନ୍ତରୀଣ ବିବାଦରେ ଇସ୍ରାଏଲ ହସ୍ତକ୍ଷେପ କରିବ ନାହିଁ। ତେବେ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ସିରିଆର ବିଦ୍ରୋହ ପଛରେ ଆମେରିକା ଓ ଇସ୍ରାଏଲର ବଡ଼ ଭୂମିକା ଅଛି ବୋଲି ଇରାନର ସର୍ବୋଚ୍ଚ ନେତା ଖାମେନି ସାଂଘାତିକ ଅଭିଯୋଗ କରିଛନ୍ତି।

ଇସ୍ରାଏଲର ଏୟାରଷ୍ଟ୍ରାଇକ ବିଶ୍ବ ପାଇଁ ଶୁଭଙ୍କର

ସିରିଆରେ ଅସଦ ଶାସନର ପତନ ପରେ ସମଗ୍ର ସିରିଆରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ ଆରମ୍ଭ କରିଛି। ୧୯୭୩ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଇସ୍ରାଏଲ୍‌ ସିରିଆ ଭିତରେ ୪୦୦ ବର୍ଗ କିଲୋମିଟର ବଫର ଜୋନ୍‌କୁ ଅକ୍ତିଆର କରିଥିଲା। ସିରିଆ ରାଷ୍ଟ୍ରପତିଙ୍କ ପଳାୟନ ପରେ ଇସ୍ରାଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ୧୯୬୭ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇସ୍ରାଏଲ ସିରିଆର ଗୋଲାନ ହାଇଟ୍‌କୁ ଦଖଲ କରିବା ସହ ଏହାକୁ ଅନ୍ତର୍ଜାତୀୟ ସ୍ବୀକୃତି ନ ମିଳିବା ପାଇଁ ଅକ୍ତିଆର କରି ରଖିଥିଲା। ସିରିଆରେ ପାଖାପାଖି ୧୪ ବର୍ଷ ହେଲା ଗୃହଯୁଦ୍ଧ ଚାଲିଥିଲା। ଇସ୍ରାଏଲର ଆକ୍ରମଣକୁ ତୁର୍କୀ, ଇଜିପ୍ଟ, କାତାର ଏବଂ ସାଉଦି ଆରବ ନିନ୍ଦା କରିଛନ୍ତି। ଏଭଳି ଆକ୍ରମଣ ସିରିଆରେ ସୁରକ୍ଷା ବ୍ୟବସ୍ଥା ଫେରାଇ ଆଣିବା ସୁଯୋଗକୁ ନଷ୍ଟ କରିଦେବ ବୋଲି ଅନେକ ରାଷ୍ଟ୍ର ମତ ଦେଇଛନ୍ତି। ଯୁଦ୍ଧ କେବେ କୌଣସି ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବଫର ଜୋନ୍ ଏବଂ ଏହାର ବାହାରେ ଗ୍ରାଉଣ୍ଡ ସୈନ୍ୟ ମୁତୟନ କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବଶର ଅଲ- ଅସଦଙ୍କ ଶାସନର ପତ୍ତନକୁ ଏକ ନୂତନ ତଥା ନାଟକୀୟ ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ। ସିରିଆ ଶାସନର ପତନ ହେଉଛି ହମାସ, ହିଜବୁଲ୍ଲାହ ଏବଂ ଇରାନ ପାଇଁ ଏକ ବିରାଟ ଝଟକା। ଇରାନର ସହଯୋଗୀ ଆସାଦଙ୍କ ପତନରେ ଇସ୍ରାଏଲର ଅଧିକାରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଇସ୍ରାଇଲ୍‌ର ଏହି ଏୟାରଷ୍ଟ୍ରାଇକ ବିଶ୍ବର ଅନେକ ରାଷ୍ଟ୍ରପାଇଁ ଶୁଭଙ୍କର।

ସିରିୟାର ନୌସେନା ଉପରେ ଆକ୍ରମଣ

ଇସ୍ରାଏଲ ଦ୍ୱାରା ହୋଇଥିବା ୪୮୦ ଆକ୍ରମଣ ମଧ୍ୟରୁ ପ୍ରାୟ ୩୫୦ ଯୁଦ୍ଧ ବିମାନ ଦ୍ୱାରା କରାଯାଇଥିଲା। ମିଜାଇଲ, ଡ୍ରୋନ୍, ଯୁଦ୍ଧ ବିମାନ, ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ ସ୍ଥାନକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ଜାହାଜ ଦୁଇଟି ସିରିଆ ନୌସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପାଖାପାଖି ୧୨ଟି ସାମୁଦ୍ରିକ କ୍ଷେପଣାସ୍ତ୍ର ନଷ୍ଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

‘ମଣିଷଙ୍କ କଂସେଇଖାନା’ର ଛାତିଥରା କାହାଣୀ

‘ମଣିଷଙ୍କ କଂସେଇଖାନା’ ଭାବେ ପରିଚିତ ‘ସେଦନାୟା ଜେଲ୍‌’। ଏହି ଜେଲ୍‌ର ସମସ୍ତ କଏଦୀଙ୍କୁ ବିଦ୍ରୋହୀ ମୁକ୍ତ କରିଦେଇଛନ୍ତି। ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ଖୋଜି ବୁଲୁଛନ୍ତି। ସାଦନାୟା ଜେଲ୍‌ରେ ଏକଦା ୨୦ ହଜାର କଏଦୀଙ୍କୁ ଏକ ସଙ୍ଗରେ ଭର୍ତ୍ତି କରାଯାଉଥିଲା। ସେଠାରେ ଅନେକ ସମୟରେ ବହୁସଂଖ୍ୟକ ବନ୍ଦୀଙ୍କ ମୃତ୍ୟୁ ଘଟିଥାଏ। ସେମାନଙ୍କୁ ଜେଲ୍‌ ଭିତରେ ନିର୍ମମ ନିର୍ଯାତନା ଦିଆଯିବା ସହ ହତ୍ୟା କରାଯାଉଥିଲା। ଅନେକ ସମୟରେ ସେମାନଙ୍କୁ ହତ୍ୟା କରି ମୃତଦେହକୁ କେଉଁଠି ଗାଏବ୍‌ କରିଦେଉଥିଲେ, ସବୁ ଜାଣି ବି କଏଦୀ କେହି ମୁହଁ ଖୋଲିବାକୁ ସାହସ କରିପାରୁ ନ ଥିଲେ। ମହିଳା କଏଦୀଙ୍କୁ ଅଧିକାରୀ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଏପରି କି ଜେଲ୍‌ରେ ସେମାନେ ଗର୍ଭବତୀ ହେଉଥିଲେ। ଜେଲର ତଳେ ଥିବା ବେସମେଣ୍ଟରେ ପ୍ରତିଦିନ କାହାକୁ ନା କାହାକୁ ଫାଶି ଦିଆଯାଇଥାଏ। ବିଦ୍ରୋହୀ ଏହି ଜେଲ ଭାଙ୍ଗିବା ପରେ ଏମିତି ଅନେକ କଥା ସାମ୍‌ନାକୁ ଆସିଛି। ତେବେ ବିଦ୍ରୋହୀଙ୍କର ନେତା ଅବୁ ମହମ୍ମଦ ଅଲ- ଜୁନାନି ଏହି ହତ୍ୟା ଓ ଦୁଷ୍କର୍ମ ପଛରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି।

ସିରିଆର ରାଜଧାନୀ ଡମାସ୍କସଠୁ ସେଦନାୟା ଜେଲର ଦୂରତା ପ୍ରାୟ ୩୦ରୁ ୩୫ କିଲୋମିଟର। ବଶର ଅଲ- ଅସଦଙ୍କ ପିତା ହାଫିଜ୍ ଅଲ- ଅସଦ ସିରିଆର ଜମିଦାରଙ୍କଠୁ କୌଶଳ କରି ଏହି ଜାଗା ଜବର ଦଖଲ କରିଥିଲେ। ସେଠାରେ ୧୯୮୬ ମସିହାରେ ସେଦନାୟା ଜେଲ ବନେଇଥିଲେ। ହାଫିଜ୍ ଏହି ଜେଲ ନିଜ ବିରୋଧିଙ୍କ ପାଇଁ ବନେଇଥିଲେ। ୧୯୮୭ ମସିହାରେ ଏହି ଜେଲରେ ପ୍ରଥମେ କଏଦୀ ରହିବା ଆରମ୍ଭ କରିଥିଲେ। ସେଦନାୟା ଜେଲର ରକ୍ଷଣାବେକ୍ଷଣା ଦାୟିତ୍ତ୍ବ ସିରିଆର ସାମରିକ ବିଭାଗ ଓ ସାମରିକ ଇଣ୍ଟେଲିଜେନ୍ସର ହାତରେ ରହିଥିଲା। ଏହି ଜେଲ ୧.୪ ସ୍କୋୟାର କିଲୋମିଟର ଅଞ୍ଚଳରେ ନିର୍ମିତ ହୋଇଥିଲା। ସେହି ସମୟରେ ହାଫିଜ୍ ନିଜ କୁଖ୍ୟାତପଣ ପାଇଁ ମଧ୍ୟପ୍ରାଚ୍ୟରେ ବହୁ ଜଣାଶୁଣା ହୋଇସାରିଥିଲେ। ହାଫିଜ୍ ନିଜ ବିରୋଧିଙ୍କୁ ଶାସ୍ତି ଦେବା ପାଇଁ ଫ୍ରାନ୍ସର ପୂର୍ବତନ ରାଜାଙ୍କଠୁ ପ୍ରେରଣା ନେଇଥିଲେ। ଏହା ସହ ସେ ଆଡଲଫ ହିଟଲରଙ୍କ ଜଣେ ପରାମର୍ଶଦାତାଙ୍କୁ ଜେଲର ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ୍ୟ ଆରମ୍ଭ ହେବା ପରେ ଅସଦ ହଜାର ହଜାର ଲୋକଙ୍କୁ ଏହି ଜେଲରେ ବନ୍ଦୀ କରିଥିଲେ। ଯେଉଁମାନେ ତାଙ୍କ ବିରୋଧରେ ପ୍ରଦର୍ଶନ କରୁଥିଲେ ସେମାନଙ୍କୁ ଧରିଆଣି ସେ ଏହି ଜେଲରେ ରଖୁଥିଲେ। ୨୦୧୧ରୁ ୨୦୧୮ ମଧ୍ୟରେ ପ୍ରାୟ ୩୦, ୦୦୦ରୁ ଅଧିକ ଲୋକଙ୍କୁ ଏହି ଜେଲରେ ଫାଶି ଦିଆଯାଇଛି ବୋଲି ମାନବଧିକାର ସଂଗଠନ ରିପୋର୍ଟରୁ ଜଣାପଡ଼ିଛି।

‘ସିରିଆ’ କବଜାର ନାୟକ ଅଲ୍‌- ଜୁଲାନି

ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ବିଦ୍ରୋହୀମାନେ ସିରିଆର ରାଜଧାନୀ ଦମିସ୍କକୁ କାବୁ କରିଛନ୍ତି। ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ- ଜାଲଲି କହିଛନ୍ତି ଯେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ବ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ବିଦ୍ରୋହୀଙ୍କ ସିରିଆ ଦଖଲ ଅଭିଯାନ ସଫଳ ହେବା ପଛରେ ଅଲ୍‌- ଜୁଲାନିଙ୍କ ସମସ୍ତ କୌଶଳଙ୍କୁ ତାଙ୍କ ସପକ୍ଷବାଦୀ ଢେର ପ୍ରଶଂସା କରାଯାଉଛି। ପ୍ରତିଷ୍ଠାତା ଭାବେ ଅଲ୍‌- ଜୁଲାନି ସିରିଆକୁ ଏକ ଇସଲାମିକ୍ ସାଧାରଣତନ୍ତ୍ରରେ ପରିଣତ କରିବା ଲକ୍ଷ୍ୟରେ ପ୍ରାୟ ୧ ଦଶନ୍ଧି ଧରି ଅନ୍ୟ ସଶସ୍ତ୍ର ବଳଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଥିବା ଦାବି କରିଛନ୍ତି। ୨୦୧୧ରେ ଆରବ ବିପ୍ଳବ ମୁଣ୍ଡ ଟେକିଥିବାବେଳେ ୨୦୧୬ ପରଠୁ ସେ ନିଜକୁ ଓ ନିଜ ଗୋଷ୍ଠୀକୁ ଅଲ୍‌- ଅସାଦ୍‌ ମୁକ୍ତ ସିରିଆର ଏକ ବିଶ୍ବସନୀୟ ତତ୍ତ୍ବାବଧାରକ ଭାବେ ଉପସ୍ଥାପିତ କରିଆସିଛନ୍ତି।

୨୦୧୭ରେ ଏଚ୍‌ଟିଏସ ସିରିଆନ୍‌ ସଲଭାଶନ୍‌ ସରକାର ଜରିଆରେ ଇଡିଲିବ ଗଭର୍ନରେଟ୍‌ ପ୍ରତିଷ୍ଠା କରି ଏହାର ପରିଚାଳନା ଆରମ୍ଭ କରିଥିଲା। ଅଲ୍‌- ଜୁଲାନିଙ୍କ ମୂଳନାମ ଅହମେଦ ହୁସେନ ଅଲ୍‌- ଶାରା। ସାଉଦି ଆରବର ରିୟାଧରେ ତାଙ୍କ ବାପା ଜଣେ ପେଟ୍ରୋଲିୟମ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ୧୯୮୨ରେ ସେଠାରେ ଜନ୍ମ ଗ୍ରହଣ କରିଥିଲେ। ଅଲ୍‌- ଜୁଲାନିଙ୍କ ପରିବାର ୧୯୮୯ରେ ସିରିଆକୁ ଚାଲିଆସି ଡମାସକସରେ ବସବାସ କଲେ। ୨୦୦୩ରେ ଅଲ୍‌- ଜୁଲାନି ଇରାକ ଯାଇ ଅଲ୍‌- କାଏଦାରେ ସାମିଲ ହେବା ସହ ଆମେରିକାର ଆକ୍ରମଣକୁ ପ୍ରତିରୋଧ କରିଥିଲେ। ୨୦୦୬ରେ ଆମେରିକା ତାଙ୍କୁ ଗିରଫ କରି ୫ ବର୍ଷ ଜେଲରେ ରଖିଥିଲା। ଅଲ୍‌- ଜୁଲାନିଙ୍କୁ ପରବର୍ତ୍ତୀ ସମୟରେ ସିରିଆରେ ଅଲ୍‌- କାଏଦାର ଶାଖା ପ୍ରତିଷ୍ଠା ଦାୟିତ୍ବ ଦିଆଯାଇଥିଲା। ସେ ଇସଲାମିକ ଷ୍ଟେଟ୍‌ (ଆଇଏସ)ର ତତ୍କାଳୀନ ମୁଖ୍ୟ ଅବୁ ବକର ଅଲ- ବାଗ୍‌ଦାଦୀଙ୍କ ସହ ସମ୍ପର୍କ ରଖିଥିଲେ। ୨୦୧୩ରେ ଅଲ୍‌- ବାଗ୍‌ଦାଦୀ ଅଲ୍‌- କାଏଦା ସହ ସମ୍ପର୍କ ଛିନ୍ନ କରିଥିଲେ।

ସିରିଆର ନୂଆ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ- ବଶିର

ରାଷ୍ଟ୍ରପତି ବଶରଙ୍କୁ କ୍ଷମତାଚ୍ୟୁତ କରିବା ପରେ ବିଦ୍ରୋହୀମାନେ ସୀମିତ ସମୟ ପାଇଁ ଜଣେ ନୂଆ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ମହମ୍ମଦ ଅଲ- ବଶିରଙ୍କୁ ଆସନ୍ତା ୨୦୨୫ ମାର୍ଚ୍ଚ ୧ ତାରିଖ ଯାଏ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି। ମହମ୍ମଦ ଅଲ- ବଶିର ସିରିଆର ଜଣେ ରାଜନେତା ତଥା ଜଣେ ଇଞ୍ଜିନିୟର। ବଶିର ଇଞ୍ଜିନିୟରିଂ, ଆଇନ ଓ ପ୍ରଶାସନ ପରିଚାଳନା କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିଛନ୍ତି। ନଭେମ୍ବର ମାସ ଶେଷରେ ଏଚଟିଏସ ଓ ସିରିଆର ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ମାନେ ଉତ୍ତରପଶ୍ଚିମ ସିରିଆରେ ଆକ୍ରମଣ କରି ଆଲେପ୍ପୋ ସହରକୁ ନିଜ ଦଖଲକୁ ଆଣିଥିଲେ। ଅସଦ ସରକାରଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ପ୍ରୟ ୧୦, ୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଲୋକ ନିଜ ଘରଦ୍ୱାର ହରେଇଥିଲେ। ତେବେ ଆଗାମୀ ଦିନରେ ସିରିଆ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଜାରିରଖିବ। କାରଣ ଏହି ଦୁଇ ଦେଶ ଆତଙ୍କବାଦୀ ସଂଗଠନକୁ ମୂଳରୁ ବିରୋଧ କରିଆସୁଛନ୍ତି। ଇସ୍ରାଏଲ ନିଜ ଦେଶର ସୁରକ୍ଷା ପାଇଁ ସବୁକିଛି କରିପାରିବ। ତେବେ ସମୟ ହିଁ କହିବ, ଏମାନଙ୍କର ଆଗାମୀ ରଣକୌଶଳ କ’ଣ ହେବ !!!

Mail id : serveforthenation@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now