/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749132519.jpg)
Ram Darbar Pran Pratishtha
ଦିବ୍ୟ, ଭବ୍ୟ ଓ ଅଲୌକିକ । ଅଯୋଧ୍ୟା ମନ୍ଦିରରେ ରାମ ଲାଲାଙ୍କ ବାଳୁତ ବିଗ୍ରହ ବିରାଜମାନ ହେବାର ପ୍ରାୟ ଦେଢ଼ ବର୍ଷ ପରେ, ଆଜି ଅନୁଷ୍ଠିତ ହୋଇଛି ରାମ ଦରବାର ପ୍ରାଣ ପ୍ରତିଷ୍ଠା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜା ବେଶ ସହ ମାତା ସୀତା, ୩ ଅନୁଜ ଓ ପରମ ଭକ୍ତ ହନୁମାନଙ୍କୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଏହି ପବିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ରାମ ମନ୍ଦିର ପରିସରରେ ଆଉ ୮ଟି ମନ୍ଦିରରେ ମଧ୍ୟ ଆଜି ଦେବାଦେବୀଙ୍କର ପ୍ରାଣ ପ୍ରତିଷ୍ଠା ହୋଇଛି ।
'ଦକ୍ଷିଣେ ଲକ୍ଷ୍ମଣୋ ୟସ୍ୟ ବାମେ ତୁ ଜନକାତ୍ମଜା । ପୁରତୋ ମାରୁତିର୍ୟସ୍ୟ ତଂ ବନ୍ଦେ ରଘୁନନ୍ଦନମ୍ ।' ଅର୍ଥାତ୍ ଯାହାଙ୍କ ଡାହାଣ ପଟେ ଭାଇ ଲକ୍ଷ୍ମଣ, ବାମ ପଟେ ଜନକନନ୍ଦିନୀ ସୀତା, ସମ୍ମୁଖରେ ପବନପୁତ୍ର ହନୁମାନ, ମୁଁ ସେହି ରଘୁକୂଳ ନନ୍ଦନ ଶ୍ରୀରାମଙ୍କୁ ପ୍ରଣାମ କରୁଛି । ଯେମିତି ଶ୍ଳୋକରେ ବର୍ଣ୍ଣିତ, ଅବିକଳ ସେମିତି ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର । ଭ୍ରାତା ଭରତ ଓ ଶତ୍ରୁଘ୍ନ ବି ଉପସ୍ଥିତ ଜ୍ୟେଷ୍ଠଙ୍କ ସାନ୍ନିଧ୍ୟରେ । ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଭକ୍ତିପୂତ ପରିବେଶରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀରାମ ଦରବାର ପ୍ରାଣପ୍ରତିଷ୍ଠା । ଦିବ୍ୟ ମନ୍ଦିରର ତଳ ମହଲାରେ ଶ୍ରୀରାମଙ୍କ ବାଳକ ରୂପ ରାମଲାଲା ପୂଜା ପାଉଥିବା ବେଳେ, ପ୍ରଥମ ମହଲାରେ ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଧନୁର୍ଦ୍ଧାରୀ ରଘୁବରଙ୍କ ରାଜା ରୂପ ।
ଅଧିକ ପଢ଼ନ୍ତୁ: ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା, ସେନସସ୍ରେ ସ୍ଥାନ ପାଇବ ଜାତି ଓ ଉପଜାତିର ସବୁ ତଥ୍ୟ
ପବିତ୍ର ଗଙ୍ଗା ଦଶହରାର ସିଦ୍ଧ ଯୋଗରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଦିନ ୧୧ଟା ୨୫ରୁ ରୁ ୧୧ଟା ୪୦ ମଧ୍ୟରେ ହୋଇଛି ପ୍ରାଣପ୍ରତିଷ୍ଠା । ରାଜସ୍ଥାନ ଜୟପୁରର ଶଙ୍ଖ ମଲମଲ ସଫେଦ ମାର୍ବଲରେ ତିଆରି ନିଖୁଣ ବିଗ୍ରହ ଝଲସୁଛି, ହଜାରେ କ୍ୟାରେଟ୍ ହୀରା, ୩୦୦ ଗ୍ରାମ୍ ସୁନା, ୩୦ କେଜି ରୁପା ଓ ୩ଶହ କ୍ୟାରେଟ୍ ମାଣିକ ନିର୍ମିତ ଆଭୂଷଣରେ । ଏଥିରେ ୧୧ଟି ମୁକୁଟ, ହାର, ତିଳକ, କର୍ଣ୍ଣ କୁଣ୍ଡଳ ସହିତ ଧନୁ, ତୀର ଓ ଗଦା ଆଦି ଆୟୁଧ ତିଆରି କରାଯାଇଛି । ସିଂହାସନ ଓ ସୀତାରାମଙ୍କ ବିଗ୍ରହକୁ ମିଶାଇ ଉଚ୍ଚତା ପ୍ରାୟ ୭ ଫୁଟ୍ ହୋଇଥିବା ବେଳେ, ଏହାକୁ ନିର୍ମାଣ କରିଛନ୍ତି ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ। ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ବୈଜ୍ଞାନିକ ପରୀକ୍ଷା ହୋଇଥିବା ଏହି ମାର୍ବଲର ସ୍ଥାୟିତ୍ବ ହଜାରେରୁ ଅଧିକ ବର୍ଷ ଆୟୁଷ ହୋଇଥିବା ବେଳେ, ଏହା ଯେତେ ପୁରୁଣା ଓ ସଫା ହେବ ଓ ସେତେ ଝଟକିବ। ରାମ ଦରବାର ପାଇଁ ଅଳଙ୍କାର ଦାନ କରିଛନ୍ତି ସୁରତର ବ୍ୟବସାୟୀ ମୁକେଶ ପଟେଲ୍ ।
ଗତବର୍ଷ ଜାନୁଆରୀ ୨୨ରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାର ୪୯୮ ଦିନ ପରେ ଆଜି ରାମ ଦରବାରର ପ୍ରାଣ ପ୍ରତିଷ୍ଠା ହୋଇଛି । ଏଥିସହ ଦେବ ଦେବ ମହାଦେବ, ସୂର୍ଯ୍ୟ ନାରାୟଣ, ଗଣପତି, ଭଗବତୀ, ଅନ୍ନପୂର୍ଣ୍ଣା ଓ ହନୁମାନଙ୍କ ସମେତ ୮ଟି ଅନ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମଧ୍ୟ ସଂପନ୍ନ ହୋଇଛି । ସେପଟେ ରାମ ମନ୍ଦିରର ଶିଖର ସ୍ବର୍ଣ୍ଣ ମଣ୍ଡିତ ହୋଇଥିବା ବେଳେ, ଅପୂର୍ବ ଦିବ୍ୟ ଦିଶୁଛି ସେ ଦୃଶ୍ୟ । ମନ୍ଦିର ନିର୍ମାଣ ଜାରି ଥିବାରୁ, ଏବେ ପ୍ରଥମ ମହଲାକୁ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ, ଦ୍ବିତୀୟ ମହଲାରେ ସର୍ବପୁରାତନ ରାମାୟଣ ସହ ବିଭିନ୍ନ ଭାଷାରେ ଲିଖିତ ରାମାୟଣ ପ୍ରଦର୍ଶିତ ହେବ ଏବଂ ୨୦୨୫ ଶେଷ ସୁଦ୍ଧା ସମସ୍ତ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)