ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବଡ଼ ବୈଠକରେ CDS ଅନୀଲ ଚୌହାନ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଦିନେଶ କୁମାର ତ୍ରିପାଠୀ ଓ ଏୟାର ଫୋର୍ସ ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂ ରହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବ୍ଲାକ ଆଉଟ୍ ବେଳେ ପଡ଼ିଲା ହାତଗଣ୍ଠି, ପଡ଼ୁଥିଲା ମିସାଇଲ୍ ହେଲା ବାହାଘର
ପୂର୍ବରୁ ଆଜି ସକାଳୁ ତିନି ସେନା ମୁଖ୍ୟ ଓ CDSଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସାମ୍ପ୍ରତିକ ସ୍ଥିତିକୁ ନେଇ ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଥିଲା । ତେବେ ଏହି ବଡ଼ ବୈଠକରେ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ NSA ଅଜିତ ଡୋଭାଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିଥିଲେ ।
ସେପଟେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଗତକାଲି ରାତିରେ ଉଭୟ ପକ୍ଷରୁ ପ୍ରବଳ ଗୁଳି ବର୍ଷା ହୋଇଥିଲା । ଗତକାଲି ଅନ୍ଧାର ହେବା ମାତ୍ରେ ପାକିସ୍ତାନ ଭାରତ ଉପରକୁ ଘନ ଘନ ଡ୍ରୋନ୍ ଆଟାକ୍ କରିଥିଲା । କିନ୍ତୁ ପାକ୍ ଡ୍ରୋନ୍କୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଧ୍ୱଂସ କରି ଦେଇଥିଲା । ତେବେ ଏତିକିରେ ଅଟକି ନଥିଲା ପାକ୍ । ଶେଷରେ ଭାରତ ଉପରେ ମିସାଇଲ ମାଡ଼ କରିବାକୁ ପଛେଇ ନଥିଲା । ଦିଲ୍ଲୀକୁ ଲକ୍ଷ୍ୟ କରି ମିସାଇଲ୍ ଛାଡ଼ିଥିବା ସୂଚନା ମିଳିଥିଲା । ଫତେହ-୧ କ୍ଷେପଣାସ୍ତ୍ର ଦ୍ବାରା ପାକିସ୍ତାନ ଆକ୍ରମଣ କରିଥିଲା । କିନ୍ତୁ ଫତେହ-୧ କ୍ଷେପଣାସ୍ତ୍ରକୁ ଧ୍ବଂସ କରିଥିଲା ବାୟୁସେନା । ତେବେ ଏହାର ଜବାବରେ ଭାରତ ପାକ୍ ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଥିଲା । ପାକିସ୍ତାନ ୪ଟି ଏୟାରବେସ୍ରେ ଭାରତ ମିସାଇଲ ମାଡ଼ କରି ପୂରା ଧ୍ୱଂସ କରିଥିଲା । ସେହିପରି ଶ୍ରୀନଗରରେ ୨ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ମଧ୍ୟ ଭାରତ ଧ୍ବଂସ କରିଥିବା ସୂଚନା ମିଳିଥିଲା ।