Coal Block Judgement: କୋଇଲା ଆବଣ୍ଟନ ଦୁର୍ନୀତି ଗନ୍ଧ ବାରିଥିଲେ CVC, ଦିଲ୍ଲୀ କୋର୍ଟ ଦେଲେ ରାୟ

ଓଡିଶାରେ କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବାର ଆସିଥିଲା ଅଭିଯୋଗ । ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଏକ କୋର୍ଟ ଶୁଣାଇଲେ ରାୟ ।

କୋଇଲା ଦୁର୍ନୀତି ରାୟ

ଓଡିଶା କୋଇଲା ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କୋଇଲା ସଚିବଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋଇଲା ବ୍ଲକ ଆବଣ୍ଟନରେ ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିନାହିଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ସ୍ୱତନ୍ତ୍ର ଜଜ୍ ସଞ୍ଜୟ ବଂଶଲ ୬ ଜଣ ଅଭିଯୁକ୍ତ ପୂର୍ବତନ କୋଇଲା ସଚିବ ହରିଶ ଚନ୍ଦ୍ର ଗୁପ୍ତା, କୋଇଲା ମନ୍ତ୍ରାଳୟର ପୂର୍ବତନ ଯୁଗ୍ମ ସଚିବ କେ ଏସ୍ କୋଫ୍ରା ଓ କୋଇଲା ଆବଣ୍ଟନ ସେକସନର ପୂର୍ବତନ ନିର୍ଦ୍ଦେଶକ କେ ସି ସାମରିଆଙ୍କୁ ଦୋଷମୁକ୍ତ କରିଛନ୍ତି । ଆବେଦନକାରୀ କଂପାନି ନବଭାରତ ପାୱାର ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଧାରିତ ପ୍ରକ୍ରିୟାରେ ଯାଇଥିବାରୁ ଓ ଆବେଦନ କରିବା ପାଇଁ ଯୋଗ୍ୟତା ଥିବାରୁ ଏହି ସରକାରୀ କର୍ମଚାରୀମାନଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ସଂପୃକ୍ତ କଂପାନିର ଆବେଦନ ସଂପୂର୍ଣ୍ଣ ଥିଲା । ଆବେଦନକାରୀଙ୍କର ଆବେଦନ କରିବାକୁ ଯୋଗ୍ୟତା ଥିଲା । କଂପାନି ସପକ୍ଷରେ ଶକ୍ତି ଓଡିଶା ସରକାରଙ୍କ ସୁପାରିଶ ଥିଲା । ତେଣୁ ସରକାରୀ କର୍ମଚାରୀମାନଙ୍କୁ ଏଥିପାଇଁ ଦୋଷ ଦେଇହେବନାହିଁ । ଯଦି ସଂପୃକ୍ତ ସରକାରୀ କର୍ମଚାରୀମାନଙ୍କର କିଛି ତ୍ରୁଟି ହୋଇଛି, ସେମାନେ ପ୍ରଶାସନିକ କ୍ଷେତ୍ରରେ ଉତ୍ତରଦାୟୀ ହୋଇପାରନ୍ତି କିନ୍ତୁ ସେମାନଙ୍କୁ ଅପରାଧୀ ବୋଲି କୁହାଯାଇପାରିବ ନାହିଁ । କୋର୍ଟ କହିଛନ୍ତି, କୋଇଲା ବ୍ଲକ କ୍ଷେତ୍ରରେ ଆଗେଇବା ଓ ଶକ୍ତି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଏହି କଂପାନି ବିଭିନ୍ନ ସମୟରେ ବିଭିନ୍ନ ଅଥରିଟିଙ୍କ ଠାରୁ ଅନୁମତି ନେଇଛି । ଏହା ଏକ ଯୋଗ୍ୟ କଂପାନି ଓ ଏହାକୁ କୋଇଲା ବ୍ଲକ ଆବଣ୍ଟନ କରାଯିବା ଭୁଲ୍ ନିଷ୍ପତ୍ତି ନୁହେଁ । ଏହି ଆବଣ୍ଟନରେ କିଛି ଠକେଇ ହୋଇଥିବାର ଜଣାପଡିନାହିଁ । ଏହି କଂପାନିର ଆବେଦନ କରିବାକୁ ଯୋଗ୍ୟତା ଥିଲାବେଳେ ଏହି କଂପାନି କୌଣସି ମିଥ୍ୟା ତଥ୍ୟ ଦେଇନାହିଁ ବୋଲି କୋର୍ଟ କହିଛନ୍ତି । ତେଣୁ ଏହା ପଛରେ କିଛି ଷଡଯନ୍ତ୍ର ହୋଇଥିବାର ପ୍ରଶ୍ନ ଉଠୁନାହିଁ ।

ଅଧିକ ପଢନ୍ତୁ:ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ, କୁମ୍ଭ ‘ସହାୟକ’ ଚାଟବଟ୍ ହେବ ଲଞ୍ଚ୍

ଯଦି ବି କିଛି ଷଡଯନ୍ତ୍ର ହୋଇଥିବ, ତଦନ୍ତକାରୀ ସଂସ୍ଥା ତାହା ପ୍ରମାଣ କରିବାରେ ବିଫଳ ହୋଇଥିବାର କୋର୍ଟ କହିଛନ୍ତି । ଅଭିଯୋଗ ଆସିଥିବା ନବଭାରତ ପାୱାର ପ୍ରାଇଭେଟ୍ ଲିମିଟେଡ୍ ପରବର୍ତ୍ତୀ ସମୟରେ ବ୍ରାହ୍ମଣୀ ଥର୍ମାଲ ପାୱାର ପ୍ରାଇଭେଟ୍ ଲିମିଟେଡ୍ ନାଁକୁ ପରିବର୍ତ୍ତିତ ହୋଇଛି । ଏହି କଂପାନିର ତତ୍କାଳୀନ ଅଧ୍ୟକ୍ଷ ପି. ତ୍ରିବିକ୍ରମ ପ୍ରସାଦ, ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ୱାଇ ହରିଶ ଚନ୍ଦ୍ର ପ୍ରସାଦଙ୍କୁ ମଧ୍ୟ କୋର୍ଟ ଦୋଷମୁକ୍ତ କରିଛନ୍ତି ।

ସୁନ୍ଦରଗଡ ଜିଲ୍ଲାର ରାମ୍ପିଆରେ ୨୦୦୬ରୁ ୨୦୦୮ ମଧ୍ୟରେ ଏହି କଂପାନିକୁ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା । ଏହି କଂପାନି ସେତେବେଳେ ନିଜର ଆର୍ଥିକ ସ୍ଥିତି ଓ ଜମିଜମା ନେଇ ଭୁଲ୍ ତଥ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ପକ୍ଷରୁ ଅନିୟମିତତା ଦର୍ଶାଯିବା ପରେ ୨୦୧୨ ସେପ୍ଟେମ୍ୱର ମାସରେ ଦୁର୍ନୀତି ନିବାରଣ ଆଇନ ବଳରେ ଏକ କେଶ୍ ରୁଜୁ କରାଯାଇଥିଲା ।

ଅଧିକ ପଢନ୍ତୁ: ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!