/odishatv-khabar/media/post_attachments/uploadimage/library/16_9/16_9_0/Mines_1720759629.jpg)
Mines
ବିଜେପି ସରକାରକୁ ଆସୁ ଆସୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖଣି ଦୁର୍ନୀତି, ମାଫିଆ ଓ ଲୁଟେରାମାନଙ୍କ ବିରୋଧରେ ହମଲା ଡାକରା ଦେଇ ଓଡ଼ିଶାରେ ହଲ୍ଚଲ୍ ଖେଳାଇ ଦେଇଛନ୍ତି। ସେ କହିଛନ୍ତି, “ଖଣି ଲୁଟେରା କେହି ବି ବାଦ୍ ପଡିବେ ନାହିଁ। ସେମାନଙ୍କ ପାଇଁ କେନ୍ଦୁଝର ଜେଲ୍ରୁ ଭୁବନେଶ୍ୱର ଝାରପଡା ଜେଲ୍ ସଜେଇ ଦିଆଯାଇଛି। ମୁଁ ଜାଣେ କେଉଁମାନେ ଏ ସୁନାର କେନ୍ଦୁଝରକୁ ଲୁଟିଛନ୍ତି। କାହାରିକୁ ଛଡାଯିବ ନାହିଁ। ମୋ ନଜରରୁ କେହି ବି ବର୍ତ୍ତିପାରିବେ ନାହିଁ ”
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ବି କହିଛନ୍ତି, “ନବୀନ ସରକାର ନେଇଯାଇଥିବା ଅମ୍ବାଡସି ପାଣ୍ଠିର ୧୬ ହଜାର କୋଟି ଟଙ୍କା ଫେରାଇ ଆଣି କେନ୍ଦୁଝରର ବିକାଶ କରାଯିବ।” ମୁଖ୍ୟମନ୍ତ୍ରୀଙ୍କ ଏହି ବାଣୀ ଖଣି ଦୁର୍ନୀତିରେ ଲିପ୍ତ ଲୁଟେରା, ମାଫିଆ, ବେପାରୀ, କଂଟ୍ରାକ୍ଟର ଓ ଅଫିସର୍ମାନଙ୍କ ନିଶ୍ଚୟ ନିଦ ହଜାଇ ଦେଇଥିବ। କାରଣ ପୂର୍ବ ସରକାର ସମୟରେ ଓଡ଼ିଶାରେ ଯେତେସବୁ ଦୁର୍ନୀତି ଘୋଟାଲାର ଅଭିଯୋଗ ଆସିଛି, ଖଣି ଦୁର୍ନୀତିକୁ ସର୍ବଶ୍ରେଷ୍ଠ (ମେଗା ଦୁର୍ନୀତି) ଭାବେ ବିବେଚନା କରାଯାଇଛି।
ମୁଖ୍ୟ ବିରୋଧୀ ଦଳରେ ଥାଇ ବିଜେପି ଅନେକ ଥର ବିଧାନସଭା ଭିତରେ ଏବଂ ବାହାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଆକ୍ରମଣ କରିଛି। ଖୋଦ୍ ମୋହନ ଚରଣ ମାଝୀ ବିରୋଧୀ ଦଳରେ ଥିବାବେଳେ ବହୁବାର ଖଣିଜ ସମ୍ପଦ ଲୁଟ୍ ଓ ଖଣି ଦୁର୍ନୀତି ବିରୋଧରେ ସ୍ୱର ଉଠାଇଛନ୍ତି ଏବଂ ମାଫିଆଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି।
ଏପରି କି ୨୦୨୧ ଅକ୍ଟୋବର ୧୦ରେ ବାଂଶପାଳସ୍ଥିତ ଏକ ଖଣି ଦୁର୍ନୀତି ଘଟଣାକୁ ନେଇ ସେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରକୁ ବୋମାମାଡ଼ ହୋଇଥିବା ଚର୍ଚ୍ଚାରେ ଥିଲା। ତାଙ୍କ ଡାକରାରେ ଖଣି ଘୋଟାଲା ସମ୍ପର୍କରେ ବିଜେପିର ଏକ ପ୍ରତିନିଧିଦଳ କେନ୍ଦୁଝରର ବିଭିନ୍ନ ଖଣି ଅଂଚଳ ଗସ୍ତ କରି ନବୀନ ସରକାରଙ୍କୁ ଘେରିଥିଲା।
ଖାଲି ସେତିକି ନୁହେଁ; ଖଣି ଦୁର୍ନୀତିର ସବୁଠାରୁ ବଡ ଦସ୍ତାବିଜ୍ ହେଉଛି ଏମ୍. ବି. ଶାହା କମିଶନଙ୍କ ରିପୋର୍ଟ! ପ୍ରବଳ ଜନଆନ୍ଦୋଳନ ଯୋଗୁଁ ୨୦୧୦ ମସିହାରେ ତତ୍କାଳୀନ ୟୁପିଏ-୨ ସରକାର ଓଡ଼ିଶା ଓ ଗୋଆରେ ହୋଇଥିବା ଖଣି ଦୁର୍ନୀତିର ନ୍ୟାୟିକ ତଦନ୍ତ ପାଇଁ ୨୨।୧୧।୨୦୧୦ରେ ଜଷ୍ଟିସ ଏମ୍.ବି. ଶାହା କମିଶନ ଗଠିତ ହୋଇଥିଲା। ଓଡ଼ିଶାରେ ସାଙ୍ଘାତିକ ଖଣି ଦୁର୍ନୀତି, ଅନିୟମିତତା ଓ ଅପରାଧ ହୋଇଥିବା ଦେଖିଲେ।
ଏଭଳି ଦୁର୍ନୀତିର ତଦନ୍ତ ସିବିଆଇ ଦ୍ୱାରା କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍ ଶାହା ତାଙ୍କ ରିପୋର୍ଟରେ ସୁପାରିଶ୍ କରିଥିଲେ। ୧୩।୦୧।୨୦୧୪ରେ ଦାଖଲ ରିପୋର୍ଟରେ ୫୯,୦୦୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଏବଂ ରାଜନେତା, ଅଫିସର୍ ଓ ଖଣିମାଲିକମାନେ ଏଥିରେ ସଂଶ୍ଲିଷ୍ଟଥିବା ବାବଦରେ ମଧ୍ୟ ଉଲ୍ଲେଖ ଥିଲା।
ଏହାପରେ ୨୦୧୪ ନିର୍ବାଚନ ହେଲା ଏବଂ ୟୁପିଏ ସରକାର ଯାଇ ଏନ୍ଡିଏ ସରକାର କ୍ଷମତାକୁ ଆସିଲା। ତେବେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ କୌଣସି ପଦକ୍ଷେପ ନ ହେବାରୁ ବ୍ୟାପକ ଜନଆନ୍ଦୋଳନ ଦେଖାଦେଲା। ଏନେଇ ସୁପ୍ରିମ୍କୋର୍ଟରେ ଦାଏର ‘କମନ୍ କଜ୍’ ମାମଲାର ଶୁଣାଣି କରି ବେଆଇନ ଖଣି କାରବାର ପାଇଁ ଜରିମାନା ଆଦାୟ କରିବାକୁ ସିଇସିକୁ ଦାୟିତ୍ୱ ଦିଆଗଲା ଏବଂ ପ୍ରାୟ ୨୫ ହଜାର କୋଟି ଟଙ୍କା ଆଦାୟ କରାଯିବା ଧାର୍ଯ୍ୟ ହୋଇଥିଲା।
ତେବେ ସିବିଆଇ ତଦନ୍ତ ନ ହେବାରୁ ବେଆଇନ ଖଣି କାରବାରରେ ଜଙ୍ଗଲ, ପରିବେଶର କ୍ଷତିର ଭରଣା ଏବଂ ଦଣ୍ଡରୁ ଅପରାଧୀମାନେ ବର୍ତ୍ତିଗଲେ। କେବଳ ସେତିକି ନୁହେଁ, ଗତ ୬ମାସ ତଳେ ଜାନୁଆରୀ ୨୦୨୪ରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ।
ଏହି ସ୍କାମ୍ରେ ଜଙ୍ଗଲ ଧ୍ୱଂସ କରି ବିନା ପରିବେଶ ମଂଜୁରୀରେ ଲୁହାପଥର ଓ ମାଙ୍ଗାନିଜ୍ ଅଧିକ ପରିମାଣର ଖନନ ହୋଇଥିବା ବରିଷ୍ଠ ବିଜେପି ନେତା ଶ୍ରୀ ମିଶ୍ର ଦର୍ଶାଇଥିଲେ। ଏହାଦ୍ୱାରା ଆଦିବାସୀଙ୍କ ଜୀବନଶୈଳୀ, ବନ୍ୟଜନ୍ତୁ, ନଦୀ ନାଳ ଓ ପରିବେଶ ଉପରେ ଗଭୀର ପ୍ରଭାବ ପଡିଛି ବୋଲି ସେ ଉଦ୍ବେଗ ପ୍ରକାଶ କରିଥିଲେ।
ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଖଣି ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିସାରିଛନ୍ତି। ୨୦୧୯ ଏପ୍ରିଲରେ ଯାଜପୁର ଡୁବୁରୀଠାରେ ବିଜେପିର ବରିଷ୍ଠ ନେତା ଅମିତ ଶାହା କହିଥିଲେ “ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ୯୦ ଦିନ ଭିତରେ ଖଣି ଲୁଟେରାଙ୍କୁ ବାନ୍ଧିବୁ। ଆଉ ଏବେ ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ଖଣି ଦୁର୍ନୀତିର ଖୋଳତାଡ କରିବାକୁ ଆହ୍ୱାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଆଦିବାସୀ ପରିବାରରୁ ଆସିଛନ୍ତି। ଆଦିବାସୀଙ୍କ ଜୀବନ ଜୀବୀକା ହେଉଛି ଜଙ୍ଗଲ। ତେଣୁ ସେମାନଙ୍କ ପୀଡା, ଖଣି ଖାଦାନ ଖନନ ଦ୍ୱାରା ଜଙ୍ଗଲ କିଭଳି ଧ୍ୱଂସ ହେଉଛି, କିଭଳି ପରିବେଶରେ ବିଷବଳୟ ସୃଷ୍ଟି ହେଉଛି ଏ ବାବଦରେ ସେ ବେଶ ଅବଗତ। କେବଳ ଆଦିବାସୀ ଅଂଚଳ ନୁହେଁ, ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲେ ସମଗ୍ର ଓଡ଼ିଶାରେ ଦେଖାଦେଉଥିବା ଉତ୍ତପ୍ତ ପରିବେଶ, ଅଦିନିଆ ବର୍ଷା, ଜଳସଂକଟ, ମରୁଡି ପରିସ୍ଥିତି; ଏ ସବୁରୁ ଲାଘବ ମିଳିପାରନ୍ତା।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଓଡ଼ିଶା ଖଣିମନ୍ତ୍ରୀ ଏ କ୍ଷେତ୍ରରେ ଆଉ ଟିକେ ଆଗକୁ ଯାଇ କହିଛନ୍ତି, ଖୋଳତାଡ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି; ଖଣି ଲୁଟେରାମାନେ ବନ୍ଧାହେବେ।
ସେପଟେ ଇତିମଧ୍ୟରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ୩୦ ଜୁନ୍ରୁ ଦାୟିତ୍ୱ ଭାର ନେଇଛନ୍ତି ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ମନୋଜ ଆହୁଜା। ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଶ୍ରୀ ଆହୁଜା ୨୦୧୦ରୁ ୨୦୧୨ ଦୀର୍ଘ ୨ ବର୍ଷ ଧରି ଇସ୍ପାତ ଓ ଖଣି ବିଭାଗର ସଚିବ ଦାୟିତ୍ୱରେ ଥିଲେ। ଓଡ଼ିଶାରେ ବିଜେପି କ୍ଷମତାକୁ ଆସୁ ଆସୁ କୋଟି କୋଟି ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା। ସାମ୍ବାଦିକଙ୍କୁ ସଚିବାଳୟ ଭିତରକୁ ଯିବାକୁ ଅନୁମତି ମିଳିଲା। ମହାମାରୀ କରୋନା କଟକଣା ପରଠାରୁ ପ୍ରାୟ ୫ ବର୍ଷ ହେବ ଏହି ଦୁଇ ଦୁଆର ନବୀନ ସରକାର ବନ୍ଦ ରଖିଥିଲେ। ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଚର୍ଚ୍ଚାର ବିଷୟ ହୋଇଛି।
ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରକୁ ଆସିବା ପରେ ଓଡ଼ିଶାରେ ୧୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ କୋଇଲା ଖଣି ନିଲାମ ହେବ।
ଓଡ଼ିଶାର ନୂଆ ପାତ୍ରପଡ଼ା ଉତ୍ତର, ନୂଆ ପାତ୍ରପଡ଼ା ଦକ୍ଷିଣ, ମହାନଦୀ(ସଂଶୋଧିତ) ମନ୍ଦାକିନୀ(ବି), ଅରଖପାଳ ଶ୍ରୀରାମପୁର ଉତ୍ତର(ସଂଶୋଧିତ), ଟାଙ୍ଗରଡିହି ଉତ୍ତର, ଟାଙ୍ଗରଡିହି ଦକ୍ଷିଣ, ଉତ୍ସାଳି କେନ୍ଦ୍ରୀୟ, ଉତ୍ସାଳି ଉତ୍ତର, ଉତ୍ସାଳି ଦକ୍ଷିଣ, ବାଦିବାହାଲ, କଣ୍ଟେଇକୋଲିଆ,କରଡ଼ାବାହାଲ-ବ୍ରାହ୍ମଣବିଲ୍ (ସଂଶୋଧିତ), କୋଶଳ ପୂର୍ବ, କୋଶଳ ପଶ୍ଚିମ(ପଶ୍ଚିମାଂଶ) ସଂଶୋଧିତ, ଫୁଲଝରୀ ପୂର୍ବ ଏବଂ ପଶ୍ଚିମ (ସଂଶୋଧିତ), ବରତପ(ସଂଶୋଧିତ) ପ୍ରମୁଖ।
ଏହି ଖବର ଓଡ଼ିଶାର ପରିବେଶବିତ୍ ଏବଂ ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଉତ୍ତପ୍ତ ବାୟୁମଣ୍ଡଳ ଓ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି ପରିବେଶ। ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହକୁ ରାଜ୍ୟବାସୀ ଭୋଗିଛନ୍ତି। ଆକାଶରୁ ତତଲା ନିଆଁ ଯେମିତି ଖସି ପଡୁଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ କଷ୍ଟ, ଗାଁରୁ ସହର ଯାଏଁ ଲୋକଙ୍କୁ କଲବଲ କରୁଥିଲା। ପ୍ରାୟ ସର୍ବତ୍ର ଶୁଭୁଥିଲା ପାଣି ପାଇଁ ହାହାକାର! ଅଳ୍ପ ବୃଷ୍ଟି ଏବଂ ଅଧିକ ତାପ ଫଳରେ ରାଜ୍ୟର ଅଧିକାଂଶ ନଦ ନଦୀ ଶୁଖିଲା ରହୁଛି।
ପରିବେଶର ଏଭଳି ଭୟଙ୍କର ସ୍ଥିତିକୁ ନଜରରେ ରଖି ଖଣି ଖନନ କ୍ଷେତ୍ରରେ ମୋହନ ସରକାର କି ନିଷ୍ପତ୍ତି ନେଉଛନ୍ତି ତା’ରି ଉପରେ ରାଜ୍ୟବାସୀଙ୍କ ନଜର ରହିଛି।
ଇମେଲ୍: [email protected]
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)