Advertisment

ଓଡ଼ିଶାରେ ଘାଣ୍ଟିବ କି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ?

ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ବି ଚର୍ଚ୍ଚା ସୃଷ୍ଟି କରିଛି।

author-image
Chandan Shishu
BJP’s Mission Odisha

BJP’s Mission Odisha

ରାଜ୍ୟରେ ସକ୍ରିୟ ହେବ କି ଇଡି ଓ ସିବିଆଇ ? ଓଡ଼ିଶାରେ ଘାଣ୍ଟିବ କି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ? ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ପୂର୍ବ ରୂପକୁ ଫେରିବ କି ? ୨୪ ଆଗରୁ ବଦଳୁଥିବା ପାଣିପାଗକୁ ନେଇ ସରଗରମ ରାଜ୍ୟ ରାଜନୀତି। ଏସବୁ ଭିତରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟ ବି ଝଡ଼ ସୃଷ୍ଟି କରିଛି। ସିଧାସଳଖ ନହେଲେ ବି ପରୋକ୍ଷରେ ସିବିଆଇ ଓ ଇଡି ସକ୍ରିୟ ହେବାର ସଙ୍କେତ ଦେଇଛନ୍ତି ଟୁଡୁ। ଓଡ଼ିଶାରେ ଇଡି ଓ ସିବିଆଇ ଲାଗିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ, ସିବିଆଇ ଓ ଇଡି କଣ ପାଇଁ ଅଛନ୍ତି, ବୁଲି କି ଖାଇବା ପାଇଁ କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି। କହିଛନ୍ତି ଯେଉଁଠି ଅନ୍ୟାୟ ହେବ ଦୁର୍ନୀତି ହେବ, ନଜରକୁ ଆସିଲେ ନିଶ୍ଚିତ ସେଠି ପଶିବ। ତେଣୁ ଟୁଡୁଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିର ହଟଚମଟ ସୃଷ୍ଟି କରିଥିଲା ବେଳେ ଜବାବ୍ ରଖିଛି ବିଜେଡି।

Advertisment

ସେପଟେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ବି ଚର୍ଚ୍ଚା ସୃଷ୍ଟି କରିଛି। ଗତ ଦୁଇ ଦିନରେ ୭ ଜଣ କେନ୍ଦ୍ରମନ୍ତ୍ରୀ ଆସି ବିଭିନ୍ନ ଜିଲ୍ଲା ବୁଲିଛନ୍ତି। କେନ୍ଦ୍ରୀୟ ଯୋଜନାର ସମୀକ୍ଷା ସାଙ୍ଗକୁ ସାଙ୍ଗଠନିକ ସ୍ଥିତି ନେଇ ମାନସ ମନ୍ଥନ ବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ସହ ଅନ୍ୟତମ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପାରମାଣିକ ଆଜି ଓଡ଼ିଶା ଆସିଛନ୍ତି। ଭୁପେନ୍ଦ୍ର ଯାଦବ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ମନ୍ତ୍ରୀ ନିଶିଥ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି।

ନିଶିଥଙ୍କ ଏଇ ଗସ୍ତ ବେଳେ ତିନିମୁହାଣିଠାରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ଅନ୍ୟ ନେତା ବି ଉପସ୍ଥିତ ଥିଲେ। ସେପଟେ କଟକ ଗସ୍ତରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କେନ୍ଦ୍ରୀୟ ଯୋଜନା ସଠିକ୍ ଭାବେ ଲାଗୁ ହେଉନଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏପରିକି ଓଡିଶାରେ ବିଜେପିର ଭୋଟ ବଢୁଛି। ଆଗକୁ ମଧ୍ୟ ବଢିବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ନିତ୍ୟାନନ୍ଦ।

Advertisment

ସେପଟେ ବିଜେପିର ଏହି ସକ୍ରିୟତା ଭିତରେ କଂଗ୍ରେସ ମଧ୍ୟ ରାଜ୍ୟରେ ଭାରତ ଜୋଡୋ ଅଭିଯାନ ପ୍ରସ୍ତୁତିରେ ଲାଗିଛି। ଏଥିପାଇଁ ଆସନ୍ତା ୧୭ ତାରିଖରେ କେନ୍ଦ୍ରୀୟ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକର ବର୍ତ୍ତମାନର ଗତିବିଧି ଆଗକୁ ଜୋରଦାର ଲଢ଼େଇର ସଂକେତ ଦେଉଛି।

BJP’s Mission Odisha
Advertisment
Advertisment