ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥରେ ଓଡିଶାର ଗୋଟିଏ ଇଞ୍ଚ ରେଳ ଟ୍ରାକ ମିଶିବ ନାହିଁ । ଅନ୍ୟ ରାଜ୍ୟକୁ ତ ଯିବାର ପ୍ରଶ୍ନ ଉଠୁନାହିଁ, ବରଂ ନୂଆ ରାୟଗଡା ଡିଭିଜନରେ ଅନ୍ୟ ରାଜ୍ୟର ରେଳଲାଇନ ମିଶିବାକୁ ଯାଉଛି । ଓଡିଶାରେ ରେଳବାଇର ବିକାଶ ପାଇଁ ୭୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି । ରାୟଗଡା ଡିଭିଜନ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ହୋଇସାରିଛି । ଇଷ୍ଟକୋଷ୍ଟ ରେଳବାଇ ଅଧିନରେ ୩ଟି ଡିଭିଜନ କାମ କରିବ । ଅଧିକ ରାଜସ୍ୱ ଦେଉଥିବା କୋଥାଭାଲାସା – କିରାଣ୍ଡୁଲ୍ ରେଳଲାଇନ୍ ( ଛତିଶଗଡ ଓ ଆନ୍ଧ୍ରପ୍ରଦେଶର କିଛି ଅଂଶ ସହିତ ) ରାୟଗଡା ଡିଭିଜନକୁ ସ୍ଥାନାନ୍ତର ହେବ । ତେଣୁ ଇଷ୍ଟକୋଷ୍ଟ ରେଳବାଇର ରାଜସ୍ୱ ହାନି ହେବନାହିଁ । ଦକ୍ଷିଣ ତଟ ରେଳବାଇରେ ଓଡିଶାର କୌଣସି ଅଂଶ ମିଶୁନାହିଁ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟରେ ୫୯ଟି ରେଳଷ୍ଟେସନକୁ ଅମୃତ ରେଳଷ୍ଟେସନ ଭାବେ ଉନ୍ନୀତ କରାଯିବ ।
ଆଗାମୀ ୫ ବର୍ଷରେ ୧ ଲକ୍ଷ କୋଟି
Also Read
ଆଗାମୀ ୫ ବର୍ଷ ମଧ୍ୟରେ ଓଡିଶାରେ ରେଳବାଇ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏବେ ୭୩ ହଜାର କୋଟି ଟଙ୍କାର ୪୮ଟି ପ୍ରକଳ୍ପ ଚାଲିଥିବାର କୁହାଯାଇଛି । ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଗତ ୧୦ ବର୍ଷ ଭିତରେ ୧୮୨୭ କିଲୋମିଟରର ନୂଆ ରୋଳବାଇ ଟ୍ରାକ ନିର୍ମିତ ହୋଇଛି । ଏହା ଶ୍ରୀଲଙ୍କାର ସମୁଦାୟ ଟ୍ରାକ ଠାରୁ ବି ଅଧିକ । ରାଜ୍ୟରେ ୪୨୭ଟି ଫ୍ଲାଇଓଭର ଓ ଅଣ୍ଡରବ୍ରିଜ୍ ନିର୍ମିତ ହୋଇଛି । ଏହି ୪୮ଟି ପ୍ରକଳ୍ପ ମଧ୍ୟରେ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ମୋଦି ସରକାରଙ୍କ ତୃତୀୟପାଳିରେଏହି ନୂଆ ପ୍ରକଳ୍ପ ପାଇଁ ୧୯,୨୮୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡାଠାରେ ରହିବ ରାୟଗଡା ଡିଭିଜନର ମୁଖ୍ୟ କାର୍ଯ୍ୟାଳୟ । କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ ହେବା ପରେ ରାୟଗଡା ଡିଭିଜନ୍ କାର୍ଯ୍ୟକ୍ଷମ ହେବ । ଏହି ନୂଆ ଡିଭିଜନରେ ୱାଲଟିୟର୍ ଡିଭିଜନରେ ଥିବା ଓଡିଶା ଓ ଛତିଶଗଡର ସମସ୍ତ ରେଳରୁଟ୍ ସାମିଲ୍ ହେବ । ରେଳବାଇକୁ ଅଧିକ ରାଜସ୍ୱ ଦେଉଥିବା କୋଥାଭାଲାସା – କିରାଣ୍ଡୁଲ୍ ରେଳଲାଇନ୍ ଏଥିରେ ଅନ୍ତର୍ଭୁକ୍ତ ହେବ । ଓଡିଶାର ରେଳ ଇତିହାସରେ ଆଗରୁ କେବେ ଓଡିଶାକୁ ଏତେ ଅର୍ଥ ମଞ୍ଜୁର ହୋଇନଥିଲା ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଅଧିକ ପଢନ୍ତୁ:ଭୁବନେଶ୍ବର ପହଞ୍ଚିଲେ ରାଷ୍ଟ୍ରପତି; ଓଡ଼ିଶାରେ ରହିବେ ୫ ଦିନ
ନୂଆ ରେଳପଥର ଶିଳାନ୍ୟାସ
ଆସନ୍ତା ୭ ତାରିଖରେ ଉତ୍ତର ଓଡିଶାରେ ବାଦାମପାହାଡ – କେନ୍ଦୁଝରଗଡ଼, ବାଙ୍ଗିରିପୋଷି- ଗୋରୁମହିଷାଣୀ ଓ ବୁଢାମରା – ଚାକୁଳିଆ ନୂତନ ରେଳପଥ ନିର୍ମାଣର ଶିଳାନ୍ୟାସ କରାଯିବ । ଏହି ୩ଟି ପ୍ରକଳ୍ପରେ ୬୨୯୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ଟାଟାନଗର ଓ କେନ୍ଦୁଝରଗଡ଼ ମଧ୍ୟରେ ଦୂରତା କମିଯିବ । ଫଳରେ ଟାଟାନଗରରୁ ପାରାଦୀପ ଓ ଧାମରାକୁ ମାଲ୍ ପରିବହନ ସୁଗମ ହୋଇପାରିବ । ରାଜ୍ୟର ରାଇରଙ୍ଗପୁର ଓ ବାଦାମପାହାଡ ଭଳି ଉପାନ୍ତ ଅଞ୍ଚଳ ଉପକୂଳ ଓଡିଶା ସହ ରେଳପଥରେ ଯୋଡି ହୋଇପାରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।
ଚିଠି ଲେଖିଥିଲେ ଶ୍ରୀକାନ୍ତ
ଦକ୍ଷିଣ ତଟ ରେଳପଥ ଗଠନ ହେଉଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଶଙ୍କା ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଇଷ୍ଟକୋଷ୍ଟ ରେଳବାଇରୁ ୱାଲଟିୟର୍ ଡିଭିଜନ୍ କଟିଯାଇ ଦକ୍ଷିଣ ତଟ ରେଳବାଇରେ ମିଶୁଛି ବୋଲି ଆଶଙ୍କା ପ୍ରକାଶ କରିଥିଲେ ଶ୍ରୀକାନ୍ତ । ଏପରି ହେଲେ ଓଡିଶାର ସ୍ବାର୍ଥରେ ଆଞ୍ଚ ଆସିବ ବୋଲି ଦର୍ଶାଇଥିଲେ ଶ୍ରୀକାନ୍ତ । ତେବେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଦୃଢ ଭାବେ ଖଣ୍ଡନ କରାଯାଇଛି । ଓଡିଶାର ଇଞ୍ଚେ ବି ରେଳଲାଇନ୍ ଅନ୍ୟ କୌଣସି ରେଳପଥରେ ସାମିଲ୍ ହେଉନଥିବା କୁହାଯାଇଛି ।