• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପ୍ରସ୍ତୁତ ହୋଇସାରିଛି । ଏହାର ପରୀକ୍ଷା ମଧ୍ୟ କରାଯାଇଛି । ଖୁବ୍‌ଶୀଘ୍ର ଏହି ଟ୍ରେନ୍ ସାଧାରଣ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ଆରଡିଏସଓ ପକ୍ଷରୁ ହାଇଡ୍ରୋଜେନ ଟ୍ରେନର ପ୍ରଥମ ଫଟୋ ସାମ୍ନାକୁ ଅଣାଯାଇଛି । ଏହି ଟ୍ରେନ୍‌କୁ RDSO ହିଁ ଡିଜାଇନ୍‌ କରିଛି । ଏହାକୁ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ପ୍ରସ୍ତୁତ କରାଯାଇଛି ।

୧୧୦ କିଲୋମିଟର ସ୍ପିଡ୍‌ରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍

RDSO ନିର୍ଦ୍ଦେଶକ ଉଦୟ ଭୋରବନକର କହିଛନ୍ତି ଯେ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ଗଡ଼ିବ । ୨୦୨୫ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଏହି ଟ୍ରେନ୍ ଚାଲିବ ବୋଲି ଆଶା କରାଯାଉଛି । ଏହି ଟ୍ରେନରେ ୮ଟି କୋଚ୍ ରହିବ, ଯାହା ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଚାଲିବ ।

ଏହା ସହ ପଢ଼ନ୍ତୁ: PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

କେମିତି ରହିଛି ଇଣ୍ଟରନାଲ ଷ୍ଟ୍ରକ୍‌ଚର ?

ହାଇଡ୍ରୋଜେନ ଟ୍ରେନରେ ହାଇଡ୍ରୋଜେନ ପାଇଁ କମ୍ପାର୍ଟମେଣ୍ଟ ରହିବ । ଏହାକୁ ଇନ୍ଧନରେ ପରିଣତ କରିବା ପାଇଁ ୪ଟି ବ୍ୟାଟେରୀ ମଧ୍ୟ ରହିବ । ବଡ଼ କଥା ହେଉଛି ବିଶ୍ୱର ଅନେକ ଦେଶରେ ସଡକ ପରିବହନରେ ହାଇଡ୍ରୋଜେନ ଇନ୍ଧନ ସଫଳ ହୋଇଛି । କିନ୍ତୁ ରେଳ ପରିବହନରେ ଏହାକୁ ସଫଳତାର ସହ ବ୍ୟବହାର କରାଯାଇ ନାହିଁ । ହାଇଡ୍ରୋଜେନ୍ ଟ୍ରେନର ଆଭ୍ୟନ୍ତରୀଣ ଡିଜାଇନ୍ ବିଷୟରେ କହିବାକୁ ଗଲେ, ଡ୍ରାଇଭର ଡେସ୍କ ପଛରେ ଏକ କଣ୍ଟ୍ରୋଲ୍ ପ୍ୟାନେଲ୍ ରହିବ, ଯାହା ପଛରେ ୨୧୦ କିଲୋୱାଟ ବ୍ୟାଟେରୀ ରଖାଯାଇଛି । ଏହା ପରେ, ଇନ୍ଧନ ସେଲ୍ ରହିବ ଏବଂ ଏହା ପଛରେ ହାଇଡ୍ରୋଜେନ୍ ସିଲିଣ୍ଡର କ୍ୟାସକେଡ୍ -1, 2 ଏବଂ 3 ରହିବ । ଶେଷରେ ଏକ ୧୨୦ କିଲୋୱାଟ୍‌ ବ୍ୟାଟେରୀ ଲଗାଯାଇଥିବ ।

ଦୁନିଆରେ ଏମିତି ଟ୍ରେନ ପ୍ରଥମ

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ଚୀନ୍‌ରେ ହାଇଡ୍ରୋଜେନ୍ ଇନ୍ଧନ ଯୁକ୍ତ ଟ୍ରେନ୍ ନିର୍ମାଣ କରାଯାଇଛି, କିନ୍ତୁ ସେମାନେ ଏଥିରେ କୌଣସି ବଡ଼ ଧରଣର ସଫଳତା ପାଇପାରି ନାହାନ୍ତି । କେବଳ ଜର୍ମାନୀରେ ଏହି ଟ୍ରେନ୍ ଚାଲୁଛି, ଯେଉଁଥିରେ ଦୁଇଟି କୋଚ୍ ରହିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବଡ କଥା ହେଉଛି ଆମେ ଏହି ଟେକ୍ନୋଲୋଜିରେ ସିଦ୍ଧହସ୍ତ ହେବାକୁ ଚାହୁଁଛୁ । କାରଣ ଏହି ଟେକ୍ନୋଲୋଜିକୁ ବିଶ୍ୱର କୌଣସି ସ୍ଥାନରେ ବି ବଡ଼ ଆକାରରେ ବ୍ୟବହାର କରାଯାଇ ନାହିଁ ।

ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ଚୀନ୍ ଏହାକୁ ପରୀକ୍ଷା ମୂଳକ ଭାବେ ଚଳାଇଛନ୍ତି କିନ୍ତୁ ସେହି ସ୍ତରରେ ସଫଳ ହୋଇପାରି ନାହାନ୍ତି । ଅନ୍ୟ ଦେଶରେ, ୧୦୦୦ ହର୍ସପାୱାର ପର୍ଯ୍ୟନ୍ତ ଟ୍ରେନ୍ ପ୍ରସ୍ତୁତ କରାଯାଇଛି, କିନ୍ତୁ ଆମେ ୧୨୦୦ ହର୍ସପାୱାର ଉପରେ କାମ କରୁଛୁ । ଆମେ ଚାହୁଁଛୁ ଦେଶରେ ବୋଟ୍‌, ଟଗ୍ ବୋଟ୍‌ ଏବଂ ଟ୍ରକରେ ମଧ୍ୟ ଏହାକୁ ବ୍ୟବହାର କରାଯାଉ ।

ଟ୍ରେନର ନାଁ ରହିବ ନମୋ ଗ୍ରୀନ୍ ରେଳ ?

ଏବେ RDSO ପକ୍ଷରୁ ଏହି ଟ୍ରେନର ନାଁ, ‘ନମୋ ଗ୍ରୀନ୍ ରେଳ’ ରଖାଯାଇଛି । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁଯାୟୀ ଏବେ ଯାଏଁ ହାଇଡ୍ରୋଜେନ୍ ଟ୍ରେନ୍‌ର କୌଣସି ନାଁ ରଖାଯାଇ ନାହିଁ । ଯେତେବେଳେ ଏ ବିଷୟରେ ଘୋଷଣା କରାଯିବ ସେତେବେଳେ ଟ୍ରେନର ନାଁ ମଧ୍ୟ ରଖାଯିବ । ଏହି ଟ୍ରେନ୍ ଜାନୁଆରୀରେ ଚାଳିବ ନା ମାର୍ଚ୍ଚରେ ଚାଲିବ, ଏବେଠୁ କିଛି ସ୍ପଷ୍ଟ ଭାବେ କହି ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

OTV is now on Whatsapp

Join and get latest news update delivered to you via whatsapp

Join Now