• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାନଗା ରେଳ ଦୁର୍ଘଟଣାରେ ୧୬ ଦିନ ପରେ ବି ଏଯାଏଁ ଅନେକ ମୃତଦେହର ଦାବିଦାର କେହି ନାହିଁ । ତେଣୁ ସେଭଳି ମୃତଦେହ ଚିହ୍ନଟ ଲାଗି ସମ୍ପର୍କୀୟଙ୍କୁ ଡିଏନଏ ସାମ୍ପୁଲ ଦେବାକୁ ବିଜ୍ଞାପନ ମାଧ୍ୟମରେ ଅପିଲ କରିଛି ରେଳ ମନ୍ତ୍ରାଳୟ । ସେପଟେ ଏମସରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ୧୫ ଜଣଙ୍କ ସମ୍ପର୍କୀୟ, ମୃତ ଆତ୍ମୀୟଙ୍କ ରେଳଯାତ୍ରା ସମ୍ପର୍କୀତ ପ୍ରମାଣ ଦେଇଥିବାରୁ ସେମାନଙ୍କ ଡିଏନଏ ରିପୋର୍ଟ ଅଗ୍ରାଧିକାର ଭିତ୍ତିରେ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ବାହାନଗା ରେଳ ଦୁର୍ଘଟଣାର ୧୬ ଦିନ ପରେ ବି ଚିହ୍ନଟ ଅପେକ୍ଷାରେ ଆହୁରି ୮୧ଟି ମୃତଦେହ । ଏ ମୃତଦେହ କାହାର, ସେମାନଙ୍କ ପ୍ରକୃତ ସମ୍ପର୍କୀୟ କିଏ ଏବଂ କାହାକୁ ଆଇନଗତ ଦାବିଦାର ବୋଲି ଧରାଯିବ, ସେ ନେଇ ଏଯାଏଁ କୌଣସି ନିସ୍କର୍ଷରେ ପହଞ୍ଚିପାରିନି ରେଲୱେ । ଏପଟେ ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ । 

ଏଥିପାଇଁ ଏମସ ଏବଂ ରେଳ ମନ୍ତ୍ରଣାଳୟର ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ନମ୍ବର ଜାରି ହୋଇଛି । ମୃତକଙ୍କ ସମ୍ପର୍କୀୟମାନେ ଏହିସବୁ ନମ୍ବରରେ ଯୋଗାଯୋଗ କରି ଏ ସମ୍ପର୍କୀତ ସୁବିଧା ଓ ସାହାଯ୍ୟ ପାଇବା ନେଇ ବିଜ୍ଞାପନ ମାଧ୍ୟମରେ ଜଣାଇଛି ରେଲୱେ । ସେପଟେ ଏମସରେ ସଂରକ୍ଷିତ ଥିବା ୮୧ ମୃତଦେହ ଚିହ୍ନଟ ଲାଗି ଏବେ ସୁଦ୍ଧା ମୋଟ୍ ୭୮ ଜଣଙ୍କ ଡିଏନଏ ସାମ୍ପୁଲ ଟେଷ୍ଟ ପାଇଁ ଯାଇଛି । ଯାହାର ରିପୋର୍ଟ ଏବେସୁଦ୍ଧ ହସ୍ତଗତ ହୋଇନଥିବାରୁ ଏପଟେ ଦୈନିକ ଏମସ ଆସି ନିରାଶ ହୋଇ ଫେରୁଛନ୍ତି ମୃତକଙ୍କ ସମ୍ପର୍କୀୟ ।

ବାହାନଗା ରେଳ ଦୁର୍ଘଟଣାର ଏବେ ସୁଦ୍ଧା ଚିହ୍ନଟ ହୋଇନଥିବା ୮୧ ମୃତଦେହ ମଧ୍ୟରୁ ବହୁ ମୃତଦେହର ଏକାଧିକ ଦାବିଦାର ରହିଛନ୍ତି । ଏମିତିକି ଗୋଟିଏ ମୃତଦେହକୁ ୬ ଜଣ ଲୋକ ନିଜର ବୋଲି ଦାବି କରୁଥିବା ନଜିର ଆସିଛି । ଏଭଳି କ୍ଷେତ୍ରରେ ଡିଏନଏସ ସାମ୍ପୁଲ ଟେଷ୍ଟ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ସାମ୍ପୁଲ ସବୁ ପ୍ରତି ମୃଦଦେହ ସହ ମ୍ୟାଚ୍କରାଯାଉଥିବାରୁ ଏ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଛି ।

ସେପଟେ କରମଣ୍ଡଳ କିମ୍ବା ଯଶବନ୍ତପୁର ହାୱଡା ଏକ୍ସପ୍ରେସରେ ଯାତ୍ରା କରିବା ବେଳେ ମୃତ ସମ୍ପର୍କୀୟଙ୍କ ଟିକେଟ ସମ୍ପର୍କୀତ କୌଣସି ପ୍ରମାଣ, ରେଳ ଯାତ୍ରା ବେଳ କିମ୍ବା ଏ ସଂପର୍କୀତ କିଛି ଫଟୋ କିମ୍ବା ଭିଡିଓ ଫୁଟେଜ୍ ରହିଥିଲେ ତାହାକୁ ପ୍ରମାଣ ଆଧାରରେ ନେଉଛି ରେଲୱେ । ସେଭଳି ପ୍ରମାଣ ରଖିଥିବା ପ୍ରାୟ ୧୫ ଦାବିଦାର ରେଲୱେକୁ ସେସବୁ ପ୍ରମାଣ ଦେଇଥିବାରୁ, ଅତି କମରେ ସେମାନଙ୍କ ଡିଏନଏ ପ୍ରୋଫାଇଲକୁ ଅଗ୍ରାଧିକାର ଭିତ୍ତିରେ ସାରିବାକୁ ଏମସ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।

  • Reported by:
  • CHANDAN PAIKRAY