Advertisment

‘ଆଖି ବନ୍ଦ କଲେ ବି ଦିଶି ଯାଉଛି ସେ ହୃଦୟ ବିଦାରକ ଦୃଶ୍ୟ’

ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ  ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ।

author-image
Minati Mishra
ଅଦ୍ୟତନ ହୋଇଛି
Gujarat Morbi Bridge Collapse

Morbi bridge collapse

ଛାତି ଥରା ସେ ଦୃଶ୍ୟ। ଯାହାର ଆକର୍ଷଣ ଦିନେ ହାତଠାରି ଡାକୁଥିଲା ସେ ଆଜି ପାଲଟିଗଲା ଯମଦୂତ।  ନେଇଗଲା ଶତାଧିକ ଜୀବନ। ଶହଶହ ଲୋକ ଠିଆ ହୋଇଥିଲେ। ରବିବାର ଛୁଟି ମନାଇବାକୁ ଆସିଥିଲେ । ଭିଡ ପ୍ରବଳ ହୋଇଥିଲା। ଆନନ୍ଦ, ଉଚ୍ଛ୍ୱାସରେ ପୋଲ ଉପର କୋଳାହଳମୟ ହୋଇଉଠିଥିଲା। ହେଲେ କିଏ ଜାଣିଥିଲା, ଏହାର ପରବର୍ତ୍ତୀ ମୁହୂର୍ତ୍ତ ଏମିତି ହୃଦୟକୁ ଥରାଇ ଦେବ ବୋଲି ? ଏମିତି ଅଭିଶପ୍ତ ରବିବାର ହୋଇ ଏ ଦିନ ହୋଇ ରହିଯିବ ବୋଲି ? ହଠାତ୍‌ ଛିଣ୍ଡିଗଲା ଝୁଲାପୋଲ । ପାଣିଭିତରେ ଥଳକୁଳ ପାଇ ନ ଥିଲେ ଲୋକେ । ଅନେକ ଶିଶୁ ଭାସିଗଲେ।  ଚାଲିଗଲା ୧୪୭ ଜଣଙ୍କ ଜୀବନ ।  ହସଖୁସିର ମୁହୂର୍ତ୍ତ ଆର୍ତ୍ତନାଦରେ ପୁରି ଗଲା। କରୁଣ କ୍ରନ୍ଦନ ଆଉ ଚିତ୍କାରରେ କମ୍ପିଉଠିଲା ମାଛୁ ନଦୀର କୂଳ।  ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ  ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ। 

Advertisment

ଅଧିକ ପଢ଼ନ୍ତୁ: ଛିଡ଼ିଗଲା ଝୁଲା ପୋଲ, ୬୦ରୁ ଅଧିକ ମୃତ

ସେ ହୃଦୟଥରା ଦୃଶ୍ୟକୁ ବଖାଣିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ। ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣାରେ ଅଳ୍ପରେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର । ଅହମ୍ମଦାବାଦରେ ରହୁଥିବା ବିଜୟ ଗୋସ୍ୱାମୀ ନିଜ ପରିବାର ସହ ଦୀପାବଳି ଛୁଟି କଟାଇବା ପାଇଁ ଗୁଜରାଟ ଯାଇଥିଲେ।  ହେଲେ ଅଳ୍ପକେ ଜୀବନ ନେଇ ଫେରି ଆସିଛନ୍ତି। ବିଜୟ ଓ ତାଙ୍କ ପରିବାର ଯେତେବେଳେ ରବିବାର ଦ୍ୱିପହରରେ ପୋଲ ନିକଟରେ ପହଞ୍ଚିଲେ ସେତେବେଳେ ସେଠାରେ ଭୟଙ୍କର ଭିଡ ଥିଲା। ସେମାନେ ପୋଲ ଉପରେ ଯିବାକୁ ଭୟ କଲେ। ତଥାପି ଗଲେ। କିନ୍ତୁ ଭିଡରେ ଥିବା କିଛି ଯୁବକ ପୋଲକୁ ଜୋର୍‌ରେ ହଲାଇବାକୁ ଲାଗିଲେ। ଭୟଭୀତ ହୋଇପଡ଼ିଲେ ପରିବାର ଲୋକେ। କାରଣ ସେମାନଙ୍କୁ ଲାଗିଲା, ହୁଏ ତ କିଛି ଅଘଟଣ ଘଟିପାରେ ! ତେଣୁ ପରିବାର ସହ ସେମାନେ ଅଧାବାଟରୁ ଫେରି ଆସିଲେ। । ଏ ସମ୍ପର୍କରେ ସେମାନେ ଝୁଲାପୋଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଜଣାଇଥିଲେ। ହେଲେ ସେମାନେ କିଛି ବି କରିପାରି ନ ଥିଲେ। ଆଉ ଏହାର କିଛି ସମୟ ପରେ ଘଟିଥିଲା ଏମିତି ଭୟଙ୍କର ଘଟଣା। ଛିଣ୍ଡି ପଡିଥିଲା ଝୁଲା ପୋଲ।

ଏବେ ଭାବୁଛୁ, ଭଗବାନ ଯେମିତି ହାତ ଧରି ମୃତ୍ୟୁ ମୁହଁରୁ ଆମ ପରିବାରକୁ ଫେରାଇ ଆଣିଲେ। ଭାବିଲେ ବିଶ୍ୱାସ କରି ହେଉନି। ବିଶ୍ୱାସ କଲେ ଛାତି ଥରି ଯାଉଛି ବୋଲି କହନ୍ତି ପ୍ରତ୍ୟକ୍ଷଦର୍ଶୀ ବିଜୟ ଗୋସ୍ୱାମୀ।

Advertisment

ଏଠି କହିରଖିବୁ, ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି। 

Bridge Collapse
Advertisment
Advertisment