• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଲୀଳା । ଜଳ ପ୍ରଳୟରେ ବେହାଲ ହୋଇଛି ରାଜ୍ୟ । ସାରା ରାଜ୍ୟରେ ବାଦଲଫଟା ବର୍ଷା ସହ ଅଚାନକ ବନ୍ୟା ଓ ଭୂସ୍ଖଳନ ଘଟି ଅନେକ ଲୋକଙ୍କ ଜୀବନ ଗଲାଣି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସୂଚନା ଅନୁସାରେ, ଜୁନ ୨୦ରୁ ମୌସୁମୀ ଆରମ୍ଭ ପରଠୁ ଏବେ ସୁଦ୍ଧା ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି । ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୁ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୧୪ଟି ଭିନ୍ନ ଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ଘଟଣା ରିପୋର୍ଟ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ଧନଜୀବନ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୫୪୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରିଛି ରାଜ୍ୟ ଆପତକାଳୀନ ସଞ୍ଚାଳନ କେନ୍ଦ୍ର (SEOC) । କିନ୍ତୁ ଏହି କ୍ଷୟକ୍ଷତିର ପରିମାଣ ଆହୁରି ଅଧିକ ହେବ ବୋଲି କହିଛନ୍ତି ସୁଖୁ । ପାଖାପାଖି ୭୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥାଇପାରେ ବୋଲି ସେ ଅନୁମାନ କରିଛନ୍ତି ।

ଅଧିକ ପଢନ୍ତୁ: ଘରେ ପଶି ଦୁଷ୍କର୍ମ କଲା ଡେଲିଭରୀ ବଏ, ସେଲ୍ଫି ନେଇ ଲେଖିଲା 'ମୁଁ ପୁଣି ଆସିବି'

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ୫୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ମଣ୍ଡି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଓ ଭୂସ୍ଖଳନରେ କେବଳ ଏହି ଜିଲ୍ଲାରେ ୧୭୬ଟି ରାସ୍ତାରେ ଯାତାୟତ ପୂରାପୂରି ଠପ୍‌ ହୋଇଯାଇଛି । ସେହିପରି ୧୪ ବ୍ରିଜ ବନ୍ୟାରେ ଧୋଇ ଯାଇଥିବା ଯୋଗୁଁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାହ୍ୟାତ ହୋଇଛି । ତେବେ ଖାଲି ରାସ୍ତାଘାଟ ନୁହେଁ, ରାଜ୍ୟରେ ୫୦୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହେବା କାରଣରୁ ୧୦ ହଜାରରୁ ଅଧିକ ଲୋକେ ଏବେ ଅନ୍ଧାରରେ ଦିନ କାଟୁଛନ୍ତି । ପ୍ରାୟ ୨୮୧ଟି ପାନୀୟ ଜଳ ପ୍ରକଳ୍ପ ନଷ୍ଟ ହୋଇଛି, ଯାହାକି ପ୍ରଭାବିତ ଅଞ୍ଚଳରେ ଗୁରୁତର ପାନୀୟଜଳ ଓ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି । 

ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ମଣ୍ଡି ସମେତ କଙ୍ଗ୍ରା, ସରିମୌର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ଉନ୍ନା, ବିଲାସପୁର, ହାମିରପୁର, ଚମ୍ବା, ସୋଲାନ, ଶିମଲା ଓ କୁଲ୍ଲା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।