ଆଜି ସକାଳ ୧୦ଟା ବେଳେ ହଠାତ୍ ହେଲା ବିସ୍ଫୋରଣ । ମହାରାଷ୍ଟ୍ରର ଭଣ୍ଡାରାରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ । ଦୁର୍ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଏହି ସୂଚନା ସେ ଦେଇଛନ୍ତି । ଫ୍ୟାକ୍ଟ୍ରିର ଆର୍ କେ ବ୍ରାଞ୍ଚ ସେକ୍ସନ ବିସ୍ଫୋରଣରେ ଛାରଖାର ହୋଇଯାଇଛି । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, ଛାତ ଭୁଶୁଡି ପଡିଲା । ତା' ତଳେ ଚାପି ହୋଇ ରହିଯାଇଥିଲେ ୧୨ ଜଣ । ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୦ ଜଣ ଚାପି ହୋଇ ରହିଛନ୍ତି ।
ଏହି ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁ ଲିଭାଯିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି । ଭୁଶୁଡି ପଡିଥିବା ଛାତକୁ ଜେସିବି ସାହାଯ୍ୟରେ ହଟାଯାଉଛି । ଘଟଣାସ୍ଥଳରୁ ଅଳିଆ ବା ଧ୍ୱଂସାବଶେଷ ସଫା କରାଯାଉଛି । ସେଠାରେ ବହୁ ଦମକଳ ଗାଡି ନିୟୋଜିତ କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚିଛନ୍ତି । ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫୋର୍ସ (SDRF) ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି ।
ଅଧିକ ପଢ଼ନ୍ତୁ: ମିଲିଟାରୀ ଡ୍ରୋନ, ଏତିକି ନମ୍ବର ସ୍ଥାନରେ ରହିଛି ଭାରତ
କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ ଏହାକୁ ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି । ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କୁ ସମ୍ମାନ ଜଣାଇ ସେ ଏକ ମିନିଟ ନୀରବ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଥିଲେ । ତା ପରେ ସେ ଯୋଗ ଦେଇଥିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନାଥ । କ୍ଷତିଗ୍ରସ୍ତମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି ।
ଏହି ବିସ୍ଫୋରଣ ଘଟଣା କେନ୍ଦ୍ର ସରକାରଙ୍କ ବିଫଳତା ବୋଲି କହିଛନ୍ତି ମହାରାଷ୍ଟ୍ର ପିସିସି ସଭାପତି ନାନା ପାଟୋଲ୍ ।
ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।