ଉପ-ଜିଲ୍ଳାପାଳଙ୍କ କଳାକାହାଣୀ । ଆଇଏଏସ୍ ଅଫିସରଙ୍କ ବ୍ଳାକ୍ଡିଲ୍...। ଭିଜିଲାନ୍ସର ଚକ୍ରବ୍ୟୁହରେ ଫସିଗଲେ ଚକ୍ମା । ଏବେ ଜେଲ ଭିତରେ ଯୁବ ଆଇଏଏସ୍ ଅଫିସର । କିନ୍ତୁ କାହିଁକି....ଓ କଣ ପାଇଁ, ୨୦ ଲକ୍ଷ ଟଙ୍କା ଲାଂଚ ଦାବି କରିଥିଲେ ଉପ-ଜିଲ୍ଳାପାଳ ? କେମିତି ଥିଲା ପୁରା ପ୍ରକ୍ରିୟା ? କାହିଁକି ଭିଜିଲାନ୍ସର ଆଶ୍ରୟ ନେଲେ କ୍ରସର ମାଳିକ ? ଆଗରୁ ଟଙ୍କା ଦେଇଥିଲେ, ନା ଏହା ଥିଲା ପ୍ରଥମ ଘଟଣା ? ସେଦିନ କେମିତି ଧରିଥିଲା ଭିଜିଲାନ୍ସ ? ଲାଂଚୁଆ ଆଇଏଏସ୍ଙ୍କ ଇନସାଇଡ ଷ୍ଟୋରୀକୁ ନେଇ ଆମର ଏକ୍ସକ୍ଳୁସିଭ୍ ରିପୋର୍ଟ...ଆସନ୍ତୁ ଜାଣିବା...
ଦୁଇଦିନ ତଳେ କଳାହାଣ୍ଡି ଜିଲ୍ଳା ଧର୍ମଗଡ ଉପଖଣ୍ଡର ଉପ-ଜିଲ୍ଳାପାଳ ଥିଲେ ଯୁବ ଆଇଏଏସ୍ ଅଫିସର ଧିମାନ ଚକମା । ଏବେ କିନ୍ତୁ ଭବାନୀପାଟଣା ଜେଲରେ ବିଚାରାଧିନ ଅଭିଯୁକ୍ତ । ଅଫିସରରୁ କେମିତି ପାଲଟିଗଲେ ଅଭିଯୁକ୍ତ ? କଣ ଥିଲା ବ୍ଳାକଡିଲର ଭିତିରି କଥା ? କଳାହାଣ୍ଡି ଖଣି ବିଭାଗର ଉପ-ନିର୍ଦ୍ଦେଶକଙ୍କର ଚିଠି ଖୋଲିଛି ସବୁ ଗୁମର । ଗତ ମାର୍ଚ୍ଚ, ୨୯ ତାରିଖରେ କ୍ରସର ମାଳିକ ହର୍ଷ ବେହେରାଙ୍କ ପୁଅ ଗୌରଭ ବେହେରାଙ୍କ ନାଁରେ ଥିବା, କ୍ରସର ଉପରେ ଚଢଉ କରିଥିଲେ, ଖଣି ଓ ରାଜସ୍ବ ବିଭାଗର ମିଳିତ ଟିମ୍ । ଅନୁମତି ଠାରୁ ଅଧିକ ଖଣି ଉତ୍ତୋଳନ କରାଯାଇଥିବାର ଜଣାପଡ଼ିଥିଲା । ତେଣୁ ୧ କୋଟି ୬୦ ଲକ୍ଷ, ୬୫ ହଜାର ୩୩ ଟଙ୍କା ଜରିମାନା କରାଯାଇଛି । ଦଶ ଦିନ ଭିତରେ ଜରିମାନା ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ବି ଦେଇଥିଲେ । ସେମିତି ଆଉ ଏକ ଚିଠିରୁ ଜଣାପଡ଼ିଛି, କ୍ରସର ମାଳିକ ହର୍ଷ ବେହେରାଙ୍କ ପିଚୁ ପ୍ଳାଣ୍ଟ ଉପରେ ବି, ଏପ୍ରିଲ ୧୯ ତାରିଖ, ଖଣି ଓ ରାଜସ୍ବ ବିଭାଗର ଏକ ଟିମ ଚଢଉ କରିଥିଲେ । ଅନୁମତି ଠାରୁ ଅଧିକ ମେଟେରିଆଲ ଥିବାରୁ ୧୩ ଲକ୍ଷ ୨୧ ହଜାର ୪ ଶହ ୬୮ ଟଙ୍କା ଜରିମାନା କରିଥିଲା ଖଣି ବିଭାଗ । ଆଉ ସାତ ଦିନ ଭିତରେ ଜରିମାନା ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ଉଲ୍ଲେଖ ରହିଛି ।
Also Read
ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ
ତେବେ ଏ ସଂର୍ପକରେ କ୍ରସର୍ ମାଲିକ ହର୍ଷ ବେହେରା ଓଟିଭିକୁ ଦେଇଛନ୍ତି ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଖଣି ବିଭାଗ ଫାଇନ୍ କରିବା ପରେ ଉପଜିଲ୍ଲାପାଳ ଡାକିଥିଲେ । ୨୦ ଲକ୍ଷ ଦେଲେ ଫାଇନ୍ କଟିବନି ବୋଲି କହିଥିଲେ । ମେ' ୧୪ ତାରିଖ ସୁଦ୍ଧା ଟଙ୍କା ଦେବାକୁ କହିଥିଲେ ଚକ୍ମା ସାର୍ । ମେ' ୨୦ରେ ଚକ୍ମା ସାର୍ଙ୍କୁ ଭେଟିବାକୁ ଯାଇଥିଲି । ଜୁନ୍ ୧ ତାରିଖରେ ଭିଜିଲାନ୍ସରେ ଅଭିଯୋଗ କରିଥିଲି ବୋଲି କହିଛନ୍ତି ।
ତେବେ ଏଇଠୁ ଆରମ୍ଭ ହୋଇଥିଲା ବଡ଼ ଘଟଣା । ଖଣି ବିଭାଗର ଏଭଳି ଫାଇନ ଦେଖି କ୍ରସର ମାଳିକଙ୍କ ଉପରେ ଲୋଳୁପ ଦୃଷ୍ଟି ପକାଇଥିଲେ ଧର୍ମଗଡ ଉପ-ଜିଲ୍ଳାପାଳ ଧିମାନ ଚକମା । ଏପ୍ରିଲ ଶେଷ ସପ୍ତାହରେ କ୍ରସର ମାଲିକ ହର୍ଷ ବେହେରାଙ୍କୁ ଫୋନ କରି କାର୍ଯ୍ୟାଳୟକୁ ଡକାଇଥିଲେ ଚକମା । ତାଙ୍କ କାର୍ଯ୍ୟାଳୟ ଭିତରେ ଆରମ୍ଭ ହୋଇଥିଲା ଡିଲ । ଦୁଇଟି ଦଲିଲ ଦେଖାଇ, ଚକମା କହିଥିଲେ, ଏହା ବହୁତ କମ ଫାଇନ ହୋଇଛି । ତିନି କୋଟିରୁ ଅଧିକ ଟଙ୍କା ଫାଇନ ହେବ । ତେଣୁ ଆପଣଙ୍କୁ ଅଧିକ କହୁନାହିଁ ୨୦ ଲକ୍ଷ ଟଙ୍କା ଦେଲେ ଫାଇନ ଅଧିକ ପକାଯିବ ନାହିଁ । ନଚେତ ମୁଁ ତିନି କୋଟିରୁ ଅଧିକ ଫାଇନ କରିବି ।
ଏତିକି ଟଙ୍କା ଏକା ସାଂଗରେ ଦେଇପାରିବିନି ବୋଲି କହିବାରୁ, କିସ୍ତି ଆକାରରେ ଟଙ୍କା ଦେବାକୁ କହିଥିଲେ ଚକମା । ମୁଁ ଦିଲ୍ଲୀ ଯାଉଥିବାରୁ, ଫେରିଲା ପରେ ମେ ୧୪ ତାରିଖରେ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ତାଗିଦ କରିଥିଲେ । କିନ୍ତୁ ହର୍ଷ ବେହେରା ନଆସିବାରୁ, ଫୋନ କରି ଟଙ୍କା ଦେବାକୁ କହିଥିଲେ ଚକମା । ସମୟ ମାଗିଥିଲେ ହର୍ଷ ବେହେରା । ବାର ବାର ଟଙ୍କା ମାଗିବାରୁ ଜୁନ ୧ ତାରିଖ, ଭୁବନେଶ୍ବର ଭିଜିଲାନ୍ସ ସେଲରେ ପହଞ୍ଚି ଅଭିଯୋଗ କରିଥିଲେ ହର୍ଷ ବେହେରା । ତା’ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଆଉ ୮ ତାରିଖ ସଂନ୍ଧ୍ୟାରେ, ନିଜ ଘରେ ହର୍ଷଙ୍କ ଠାରୁ କେମିକାଲ ଲଗା ୧୦ ଲକ୍ଷ ଟଙ୍କା ନେବା ବେଳକୁ ଇସାରା କରିଦେଲେ କ୍ରସର ମାଲିକ । ଘେରିଗଲେ ଭିଜିଲାନ୍ସ ଟିମ । ଚକମା ଖାଇଗଲେ ଆଇଏଏସ ଧିମାନ ଚକମା । ବନିଗଲେ ଉପ-ଜିଲ୍ଳାପାଳରୁ ଅଭିଯୁକ୍ତ । ଏବେ ଜେଲରେ ବିଚାରାଧିନ ଅଭିଯୁକ୍ତ ତତକାଳୀନ ସବଡିଭିଜନାଲ ମାଜିଷ୍ଟେଟ ।