/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721134563.jpg)
Puja Khedkar
ପୂଜା ଖେଡକରଙ୍କ ଉପରେ ଆକ୍ସନ୍ । ଚାକିରୀରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ମିଳିଛି । ଟ୍ରେନିଂକୁ ମଧ୍ୟ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଛନ୍ତି ମସୌରୀ ଆଇଏଏସ୍ ଏକାଡେମୀ । ତୁରନ୍ତ ମସୁରୀ କ୍ୟାମ୍ପକୁ ଫେରି ଆସିବାରୁ ନିର୍ଦ୍ଦେଶ ମିଳିଛି । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ କୁହାଯାଇଛି ।
ମହାରାଷ୍ଟ୍ର ପୁଣେର ଟ୍ରେନି IAS ଅଧିକାରୀ ହେଉଛନ୍ତି ପୂଜା ଖେଡକର । ପୂଜାଙ୍କ ବିରୋଧରେ ରହିଛି ଏକାଧିକ ଅନିୟମିତତା ଅଭିଯୋଗ । ଦାମୀ ଗାଡ଼ିର ଫ୍ୟାନସି ନମ୍ବର, ନାଲୀବତି, ପ୍ରାଇଭେଟ୍ ଚାମ୍ପର ମାଗିଥିଲେ ବୋଲି ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ସତ ନା ମିଛ ! ଦିବ୍ୟାଙ୍ଗ ବୋଲି IAS ପାଇଥିଲେ..ଏବେ ପୂରା ଫିଟ୍..ଭିଡିଓ ଭାଇରାଲ
କେନ୍ଦ୍ର ଲୋକସେବା ଆୟୋଗ (UPSC) ପରୀକ୍ଷା ପାଇଁ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରି ନିଜକୁ ‘ଗରିବବର୍ଗ’ ବୋଲି ଦର୍ଶାଇଥିବା ଜଣାଯିବା ପରେ ପୂଜାଙ୍କ ନାମରେ ସଂରକ୍ଷଣ ନିମନ୍ତେ ଦାଖଲ ହୋଇଥିବା ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି ଅଭିଯୋଗର ତଦନ୍ତ ଜାରି ରହିଛି । ପୂର୍ବରୁ MBBS ନିମନ୍ତେ ମଧ୍ୟ ପୂଜା ନିଜକୁ ଗରିବ ଦର୍ଶାଇ ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି ।
କ୍ଷମତାର ଅପବ୍ୟବହାର ଅଭିଯୋଗରେ ମହାରାଷ୍ଟ୍ର ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରାଯାଇଥିଲା । ତେବେ ଟ୍ରାନ୍ସଫର୍ ପରେ ପୁଣେରେ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଯୋଗଦେବା ପୂର୍ବରୁ ପୂଜା ଖେଡକାର ନିଜ ପାଇଁ ଅଲଗା କାର୍ଯ୍ୟାଳୟ, କାର ଏବଂ ଘର ମାଗିଥିଲେ ବୋଲି କଲେକ୍ଟର ଅଫିସ୍ର ଜଣେ ଅଧିକାରୀଙ୍କ ସହ ତାଙ୍କ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଛି । ଜୁନ୍ ୩ ପୂର୍ବରୁ ଏହି ସବୁ ବ୍ୟବସ୍ଥା କରିବାକୁ କଲେକ୍ଟର ଅଫିସର ସେହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୂଜା ।
ମିଳିଥିବା ସୂଚନା ଅନୁସାରେ ପ୍ରୋବେସନ ଅବଧି ସମୟରେ ଭିଆଇପିଙ୍କ ଉଦ୍ଧିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ ପୂଜା । କିନ୍ତୁ ନିୟମ ଅନୁସାରେ, ଜଣେ ପ୍ରୋବେସନ୍ ଅଧିକାରୀଙ୍କୁ ଭିଆଇପିଙ୍କ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଏ ନାହିଁ। ଏହା ପୂର୍ବରୁ ମଧ୍ୟ ନିଜ ପଦର ଅପବ୍ୟବହାର ନେଇ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ । ସେ ନିଜର ବ୍ୟକ୍ତିଗତ ଅଡି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ବ୍ୟବହାର କରିଥିଲେ, ଯାହା ପ୍ରଶାସନିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲା ।
କେବଳ ଏତିକି ନୁହେଁ ପୂଜା ଖେଡକର ତାଙ୍କ ବ୍ୟକ୍ତିଗତ କାରରେ ମଧ୍ୟ 'ମହାରାଷ୍ଟ୍ର ସରକାର' ବୋର୍ଡ ରଖିଥିଲେ । ମହାରାଷ୍ଟ୍ର କ୍ୟାଡରର ୨୦୨୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଜାଲ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । UPSC ପରୀକ୍ଷା ପାସ୍ କରିବା ପାଇଁ ନକଲି ଅକ୍ଷମତା ଏବଂ ପଛୁଆ ବର୍ଗ (ଓବିସି) ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା ।
ଏମିତି କି ସେ ମାନସିକ ରୋଗ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲେ । ଏପ୍ରିଲ୍ ୨୦୨୨ରେ, ତାଙ୍କୁ ତାଙ୍କର ଅକ୍ଷମତା ଯାଞ୍ଚ କରିବାକୁ AIIMSରେ ଡାକ୍ତରୀ ପରୀକ୍ଷା କରିବାକୁ କୁହାଯାଇଥିଲା। ତେବେ ଖେଡକର ଭିନ୍ନ ଭିନ୍ନ କାରଣ ଦର୍ଶାଇ ୬ ଥର ଡାକ୍ତରୀ ପରୀକ୍ଷା କରିବାକୁ ମନା କରିଦେଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ଜାତୀୟ ଗଣମାଧ୍ୟମର କିଛି ସାମ୍ବାଦିକ ଏ ବାବଦରେ ପୂଜାଙ୍କୁ ପଚାରିବାରୁ ସେ ଏବେ କିଛି କହିବାକୁ କ୍ଷମତାପ୍ରାପ୍ତ ନୁହଁନ୍ତି ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)