ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ। ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଆଜି ଭୋରରୁ ବୁଡ଼ ପକାଇଛନ୍ତି ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ରହିଛି ପ୍ରଥମ ସାହି ସ୍ନାନ। ଯାହା ଭୋର ୫ଟା ୧୫ରୁ ଆରମ୍ଭ ହୋଇ ୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ ।
Also Read
ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ବାସ । ଉଛୁଳିଛି ତୀର୍ଥରାଜ ପ୍ରୟାଗ, ଅମୃତର ଧାରା ପାଲଟିଛି ତ୍ରିବେଣୀ ସଂଗମ । ୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ବତୀ ନଦୀଙ୍କ ମିଳନ ସ୍ଥଳୀରେ ପୌଷ । ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତ ଭୋର ୫ଟା ୩ ମିନିଟରୁ ଆରମ୍ଭ ହୋଇଥିଲା ମହାବୁଡ଼। ଏଥିସହ ମହାକୁମ୍ଭ ମେଳାର ହୋଇଛି ମହା ଶୁଭାରମ୍ଭ । ରାତି ପାହିଲା ବେଳକୁ ଆକାଶ ମାର୍ଗରୁ ଉତ୍ତୋଳିତ ଚିତ୍ର ସ୍ପଷ୍ଟ ବଖାଣୁଥିଲା ସଂଗମରେ ସ୍ନାନ ପାଇଁ କେମିତି ଆତୁର ଥିଲେ ଲକ୍ଷ ଲକ୍ଷ ସାଧୁ-ସନ୍ଥଙ୍କ ସହ କୋଟି କୋଟି ଶ୍ରଦ୍ଧାଳୁ। ପୁଣ୍ୟୋତ୍ବୟା ତ୍ରିଧାରାଙ୍କ ମିଳନ ସ୍ଥଳୀରେ ଡୁବକି ଲଗାଇ ସମସ୍ତେ ହେଉଥିଲେ ଆନନ୍ଦିତ- କୃତ୍ୟ କୃତ୍ୟ ।
ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ । ମହାକୁମ୍ଭର ପ୍ରଥମ ସ୍ନାନ ଯୋଗରେ ସାମିଲ ହେବାକୁ ରବିବାର ରାତିରୁ ସଂଗମ ତଟ ମୁହାଁ ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଣେ ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା । ଦୀର୍ଘ ବର୍ଷର ବିରଳ ସଂଯୋଗରେ ତ୍ରିବେଣୀ ଘାଟରେ ସ୍ନାନ ସୁଯୋଗକୁ ହାତଛଡ଼ା ନକରିବାକୁ ଯେମିତି ସମସ୍ତେ ପଣ କରିଥିଲେ, ଉତ୍ତମ ବ୍ୟବସ୍ଥାକୁ ପ୍ରଶଂସା ବି କରୁଥିଲେ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ତୀର୍ଥଯାତ୍ରୀଙ୍କ ପାଇଁ AI ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ବିନା ଝିନଝଟରେ ରହୁଛି ଗାଡ଼ି
କେବଳ ସନାତନୀ ହିନ୍ଦୁ କି ସାଧୁ-ସନ୍ଥ ନୁହଁନ୍ତି, ଆସ୍ଥାର ମହାକୁମ୍ଭରେ ସାମିଲ ହେବାକୁ ଆମେରିକା, ଫ୍ରାନସ, ରୁଷ ଓ ବ୍ରାଜିଲ ଭଳି ବିଶ୍ବର କୋଣ ଅନୁକୋଣରୁ ବି ମୋକ୍ଷ ପ୍ରଦାୟିନୀ ସଂଗମସ୍ଥଳକୁ ଛୁଟି ଆସିଛନ୍ତି ଅନେକ ବିଦେଶୀ ଶ୍ରଦ୍ଧାଳୁ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଆପଲ ଫାଉଣ୍ଡର ଷ୍ଟିଭ୍ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ୍ । ସେ ଆଜି ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ ।
ମହାକୁମ୍ଭର ପ୍ରଥମ ସ୍ନାନ ତିଥି ପୌଷ ପୂର୍ଣ୍ଣମୀରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ହେବ ପ୍ରଥମ ସାହି ସ୍ନାନ। ଭୋର ୫ଟା ୧୫ରୁ ସକାଳ ୭ଟା ୫୫ ମିନିଟ୍ ଭିତରେ ରହିଛି ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ । ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇବେ । ତାପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିବ। ତେଣୁ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଅପେକ୍ଷା ଆହୁରି ଦୁଇଗୁଣା ହେବା ଅନୁମାନ କରିଛି ଉତ୍ତରପ୍ରଦେଶ ପ୍ରଶାସନ ।
ଅଧିକ ପଢ଼ନ୍ତୁ: ତଙ୍ଗତୋଡ଼ା ସାଧୁ କିଏ ? ଯାହାଙ୍କୁ IAS ଠାରୁ ମଧ୍ୟ କଠିନ ପରୀକ୍ଷା ଦେବାକୁ ପଡ଼େ
- Reported by:
- SIBANANDA ROUT