ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଏହା ଏକ ମହାପର୍ବ ବା ମହାଉତ୍ସବ । ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ମହାକୁମ୍ଭ ମେଳା । ଏଥର ମେଳାରେ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବା ଆଶା କରାଯାଉଛି । ଏହି ମହାକୁମ୍ଭ ମେଳା ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗରେ ପଡ଼ୁଛି । ଏହି ମହାକୁମ୍ଭରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏପଟେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନେକ ସାଧୁସନ୍ଥ ପହଞ୍ଚିଛନ୍ତି, ଯେଉଁଥିରେ ବିଶେଷ କରି ' ତଙ୍ଗତୋଡ଼ା ସାଧୁ' ସାମିଲ ଅଛନ୍ତି । ତଙ୍ଗତୋଡ଼ା ସାଧୁ ଉଦାସୀନ ଆଖଡ଼ା ସହିତ ଜଡିତ ଏକ ସ୍ୱତନ୍ତ୍ର ବର୍ଗର ଅଟନ୍ତି । ଆଖଡ଼ା ପରମ୍ପରାରେ ତାଙ୍କର ସ୍ଥାନ ବହୁତ ଉଚ୍ଚରେ । ସେମାନଙ୍କୁ ସାଧାରଣ ନାଗା ସାଧୁ ଠାରୁ ଭିନ୍ନ ବିବେଚନା କରାଯାଏ ଏବଂ ଏମାନଙ୍କ ଚୟନ ଖୁବ କଠିନ ପ୍ରକ୍ରିୟା ଜରିଆରେ କରାଯାଏ ।
ତଙ୍ଗତୋଡ଼ା ସାଧୁ କିଏ ?
ଉଦାସୀନ ଆଖଡ଼ାରେ ସାମିଲ ହେଉଥିବା ସାଧୁଙ୍କୁ ତଙ୍ଗତୋଡ଼ା ସାଧୁ କୁହାଯାଏ । ତଙ୍ଗତୋଡ଼ା ସାଧୁ ଆଖଡ଼ାର ମୂଳ ଦଳରେ ରୁହନ୍ତି ଏବଂ ଆଖଡ଼ା ପରମ୍ପରାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହି ସାଧୁମାନଙ୍କୁ ଏକ ଜଟିଳ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଏ । ଏହି ପ୍ରକ୍ରିୟାକୁ ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଏ । ଏହାକୁ କେନ୍ଦ୍ର ଜନସେବା ଆୟୋଗ ୟୁପିଏସସି ପରୀକ୍ଷା ସହ ତୁଳନା କରାଯାଏ । ଆଇଏଏସ ଇଣ୍ଟରଭିୟୁ ଠାରୁ ମଧ୍ୟ ଏମାନଙ୍କ ପରୀକ୍ଷା ଅଧିକ କଷ୍ଟକର ବୋଲି କୁହାଯାଏ । ଏହା ବ୍ୟତୀତ ତଙ୍ଗତୋଡ଼ା ସାଧୁ ହେବା ପାଇଁ ନିଆଯାଉଥିବା ସାକ୍ଷାତକାରରେ ଉତୀର୍ଣ୍ଣ ହେବା କୌଣସି ବି ସାଧାରଣ ବ୍ୟକ୍ତିଙ୍କ ପାଇଁ ପ୍ରାୟ ଅସମ୍ଭବ କହିଲେ ଚଳେ ।
Also Read
ତଙ୍ଗତୋଡ଼ା ହେବାର କଠିନ ପ୍ରକ୍ରିୟା
ସାରା ଦେଶରେ ଥିବା ଶ୍ରୀ ପଞ୍ଚାୟତି ଆଖଡ଼ା ଉଦାସୀନ ନିର୍ବାଣୀର ପାଖାପାଖି ୫ ହଜାର ଆଶ୍ରମ, ମଠ ଓ ମନ୍ଦିରର ପ୍ରମୁଖ ସନ୍ଥ, ନିଜର ଯୋଗ୍ୟ ଶିଷ୍ୟଙ୍କୁ ତଙ୍ଗତୋଡ଼ା ସାଧୁ ହେବା ପାଇଁ ମାର୍ଗଦର୍ଶନ ଦିଅନ୍ତି । ଏହି ପ୍ରକ୍ରିୟା ସାଧାରଣ ନାଗା ସାଧୁଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ କଷ୍ଟକର ।
ତଙ୍ଗତୋଡ଼ା ସାଧୁ ହେବାପାଇଁ ଚୟନ ହୋଇଥିବା ଚେଲାଙ୍କୁ ରମତା ପଂଚ ସାମ୍ନାରେ ପ୍ରସ୍ତୁତ କରାଯାଏ । ରମତା ପଂଚ ଆଖଡ଼ାର ଇଣ୍ଟରଭିୟୁ ବୋର୍ଡ ରୂପରେ ପ୍ରଥମେ କାମ କରନ୍ତି । ସାଧୁଙ୍କ ଚୟନ ପାଇଁ କଠିନ ପରୀକ୍ଷା ନିଅନ୍ତି ରମତା ପଂଚ ।
ଆଇଏଏସ ସାକ୍ଷାତକାର ଅପେକ୍ଷା ତଙ୍ଗତୋଡ଼ା ସାକ୍ଷାତକାର କଷ୍ଟକର କାହିଁକି?
ତଙ୍ଗତୋଡ଼ା ସାଧୁ ହେବାର ପ୍ରକ୍ରିୟା IAS କିମ୍ବା PCS ସାକ୍ଷାତକାର ଅପେକ୍ଷା ଅଧିକ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଏ । କାରଣ ଏଥିରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର କୌଣସି ବହିରେ ନଥାଏ । ଏହି ପ୍ରଶ୍ନଗୁଡିକ ସମ୍ପୁର୍ଣ୍ଣ ଗୋପନୀୟ ଭାବରେ ପ୍ରସ୍ତୁତ କରାଯାଇଥାଏ । ଦୀର୍ଘ ଦିନ ଧରି ଆଖଡ଼ାରେ ସେବା କରୁଥିବା ବ୍ୟକ୍ତି ହିଁ ଏହାର ଉତ୍ତର ଦେବାକୁ ସକ୍ଷମ ହୁଅନ୍ତି । ଏହା ବ୍ୟତୀତ ତଙ୍ଗତୋଡ଼ା ସାଧୁ ହେବା ପ୍ରକ୍ରିୟାରେ କୌଣସି ପ୍ରକାର ମକ ଇଣ୍ଟରଭିୟୁ ନଥାଏ । ସାଧୁ ମାନଙ୍କୁ ବାସ୍ତବିକ ପରିସ୍ଥିତିରେ ପରୀକ୍ଷା କରାଯାଏ । ସେମାନଙ୍କୁ ଆଧାତ୍ମିକ ଜ୍ଞାନ, ଆଖଡ଼ାର ପରମ୍ପରା ଓ ସେବା ଭାବର କଡ଼ା ପରୀକ୍ଷା ଦେବାକୁ ପଡ଼େ ।
ଚୟନ ପ୍ରକ୍ରିୟାର ଜଟିଳତା
ତଙ୍ଗତୋଡ଼ା ସାଧୁ ହେବାର ପ୍ରକ୍ରିୟା ଅନେକ ଦିନ ଧରି ଚାଲେ । ପ୍ରଥମ ପର୍ଯ୍ୟାୟରେ ଶିଷ୍ୟଙ୍କୁ ଆଖଡ଼ାର ଇଷ୍ଟ ଦେବଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଏ । ତା’ପରେ ତାଙ୍କୁ ସଙ୍ଗମରେ ସ୍ନାନ କରାଯାଏ । ଏସବୁ ପରେ ସେମାନେ ସନ୍ୟାସ ପରମ୍ପରାର ଶପଥ ନିଅନ୍ତି । ଏତିକିରେ ପରୀକ୍ଷା ସରିଯାଏନି, ଶିଷ୍ୟକୁ ଖୋଲା ଆକାଶ ତଳେ ନିଆଁ ସାମ୍ନାରେ ବସିବାକୁ ପଡ଼େ । ତାଙ୍କୁ କ୍ରମାଗତ ୨୪ ଘଣ୍ଟା ଧରି ନିଆଁ ଆଉ ଧୂଆଁର ସମ୍ମୁଖୀନ ହେବାକୁ ହୁଏ । ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି, ସାଧୁ ଯେପରି କୌଣସି ବି କଠିନ ପରିସ୍ଥିତିର ସାମ୍ନା କରିବାକୁ ସକ୍ଷମ ହୋଇପାରିବେ ।
କଠିନ ପ୍ରଶ୍ନ କରାଯାଏ
ରମତା ପଞ୍ଚ ଦ୍ୱାରା ସାଧୁଙ୍କୁ ଏପରି ପ୍ରଶ୍ନ କରାଯାଏ, ଯାହାର ଉତ୍ତର ସେହିମାନେ ଦେଇପାରିବେ, ଯେଉଁମାନେ ଗୁରୁ ଓ ଆଖଡ଼ା ପରିମ୍ପରାର ପାଳନ ଲମ୍ବା ସମୟ ଧରି କରିଥାଆନ୍ତି ।
କେଉଁ ସମ୍ମନ୍ଧୀୟ ପ୍ରଶ୍ନ କରାଯାଏ
• ଆଖଡ଼ା ପରମ୍ପରାର ମୂଳ ଜ୍ଞାନ
• ଆଧ୍ୟାତ୍ମିକ ମନ୍ତ୍ର ଓ ଏହାର ଅର୍ଥ
• ସାଧୁଙ୍କ ଉପକରଣର ଉପଯୋଗ
• ପୂଜାପାଠର ପ୍ରକ୍ରିୟା
ଆଖଡ଼ାର ରୋଷେଇ ବ୍ୟବସ୍ଥା ଓ ତା’ ସହିତ ଜଡ଼ିତ ନିୟମ
ଏହି ସମସ୍ତ ପ୍ରଶ୍ନ ଆଖଡ଼ାର ପରମ୍ପରା ସହିତ ଗଭୀର ଭାବରେ ଜଡିତ ଏବଂ ସେମାନଙ୍କର ଉତ୍ତର କୌଣସି ପୁସ୍ତକରେ ନଥାଏ । ତେଣୁ ତଙ୍ଗତୋଡ଼ା ସାଧୁ ହେବାର ପ୍ରକ୍ରିୟା ଅତ୍ୟନ୍ତ ଗୋପନୀୟ ଏବଂ କଷ୍ଟକର ବୋଲି ବିବେଚନା କରାଯାଏ ।
ମାତ୍ର ୧୨ ଜଣ ଉତ୍ତୀର୍ଣ୍ଣ ହୋଇପାରନ୍ତି
ଏହି କଠିନ ପରୀକ୍ଷାରେ ସମସ୍ତେ ଉତୀର୍ଣ୍ଣ ହୋଇପାରନ୍ତି ନାହିଁ । ଶତାଧିକ ସାଧୁ ପରୀକ୍ଷାର ସମ୍ମୁଖୀନ ହେଉଥିବା ବେଳେ ମାତ୍ର ୧୨ ଜଣନ ଏଥିରେ ସଫଳ ହୁଅନ୍ତି । ଚୟନ ହୋଇଥିବା ଶିଷ୍ୟଙ୍କୁ ଆଖଡ଼ାରେ ବିଶେଷ ସମ୍ମାନ ପ୍ରଦାନ କରାଯାଏ ଏବଂ ସେମାନଙ୍କୁ କୋର ଟିମରେ ସାମିଲ କରାଯାଏ ।
ଶ୍ରୀ ମହନ୍ତ ମହେଶ୍ୱର ଦାସଙ୍କ ବୟାନ
ଶ୍ରୀ ପଞ୍ଚାୟତି ଆଖଡ଼ାର ଶ୍ରୀମହନ୍ତ ମହେଶ୍ୱର ଦାସଙ୍କ ଅନୁସାରେ, ଆଖଡ଼ା ପରମ୍ପରା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିଥିବା ଶିଷ୍ୟଙ୍କୁ ହିଁ ତଙ୍ଗତୋଡ଼ା ସାଧୁ ହେବାର ସୌଭାଗ୍ୟ ପ୍ରାପ୍ତ ହୁଏ । ଗୁରୁଙ୍କ ସାଙ୍ଗରେ ରହୁଥିବା ତଥା ଗୁରୁଙ୍କ ଆଦେଶର ପ୍ରତିପାଳନ କରୁଥିବା ଶିଷ୍ୟଙ୍କୁ ଏହି କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ସୁଯୋଗ ମିଳେ । କେବଳ ଆଧ୍ୟାତ୍ମିକ ଜ୍ଞାନ ପାଇଁ ନୁହେଁ ତ୍ୟାଗ, ତପସ୍ୟା ଓ ସେବା ଭାବ ପରଖିବା ପାଇଁ ଏହି ପରୀକ୍ଷା ହୁଏ ।
ତଙ୍ଗତୋଡ଼ା ସାଧୁଙ୍କ ଗୁରୁତ୍ୱ
ତଙ୍ଗତୋଡ଼ା ସାଧୁ ହେବାପରେ ସେମାନଙ୍କ ଉପରେ ଆଖଡ଼ାର ମହତ୍ତୂପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଏ । ଧାର୍ମିକ ଆୟୋଜନ ଓ ପରମ୍ପରାର ସଂଚାଳନରେ ଥାଏ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆଖଡ଼ାର ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ସେମାନେ କାମ କରନ୍ତି ।