/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737779477.jpg)
ଗଛ ପାଇଁ ଆଧାର କାର୍ଡ
ଗଛଙ୍କୁ ଦିଆଯାଉଛି ଆଧାର କାର୍ଡ । ଲେଖାଯାଇଛି ଡିଜିଟାଲ ଟ୍ରି’ ଆଧାର । ମଣିଷମାନଙ୍କ ପରି ଗଛର ମଧ୍ୟ ରହିବ ସ୍ୱତନ୍ତ୍ର ପରିଚୟ । ଏହାର ଠିକଣା, ବୟସ ଓ ସବୁକିଛି ଜାଣିହେବ । ଆପଣଙ୍କୁ କେବଳ କାର୍ଡରେ ଲାଗିଥିବା QR କୋର୍ଡ ସ୍କାନ କରିବାକୁ ପଡିବ । ଥରେ ଆପଣ ସ୍କାନ୍ କଲେ ଗଛର ବୟସଠୁ ଆରମ୍ଭ କରି ସବୁକିଛି ଆପଣ ଜାଣିପାରିବେ ।
କାଶ୍ମୀର ଉପତ୍ୟକାର ପ୍ରସିଦ୍ଧ ଚିନାର ଗଛଗୁଡ଼ିକର ଏପରି ଜିଓ ଟ୍ୟାଗିଂ କରାଯାଉଛି । ଗଛଗୁଡ଼ିକୁ ସଂରକ୍ଷଣ ଏବଂ ସୁରକ୍ଷା ଦେବା ପାଇଁ ଅଧିକାରୀମାନେ ଉପତ୍ୟକାର ପ୍ରତ୍ୟେକ ଚିନାର ଗଛକୁ ଜିଓ-ଟ୍ୟାଗ୍ କରୁଛନ୍ତି । ସହରୀକରଣ, ରୋଗ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯୋଗୁଁ ଶହ ଶହ ଗଛ ନଷ୍ଟ ହୋଇଯାଇଛି । ତେଣୁ ଏପରି ଘଟଣା ରୋକିବା ପାଇଁ, ଉପତ୍ୟକାର ପ୍ରତ୍ୟେକ ଚିନାର ଗଛକୁ ଏକ ଡିଜିଟାଲ୍ ଗଛ ଆଧାର ନମ୍ବର ଦିଆଯାଇଛି । ଏତେ ପୂରାତନ ଗଛକୁ ସୁରକ୍ଷା ଦେବାକୁ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ।
#ଗଛ_ପାଇଁ_ଡିଜିଟାଲ୍_ଆଧାର
ଜମ୍ମୁ-କାଶ୍ମୀର ସରକାରଙ୍କ ନିଆରା ପଦକ୍ଷେପ। ଦ୍ରୁତ ବେଗରେ ଲୋପ ପାଇଯାଉଥିବା କଶ୍ମୀର ଉପତ୍ୟକାର ପ୍ରସିଦ୍ଧ ଚିନାର୍ ବୃକ୍ଷର ସୁରକ୍ଷା ପାଇଁ ଆରମ୍ଭ ହେଲା ଜିଓ-ଟ୍ୟାଗିଂ ପ୍ରକ୍ରିୟା। ବନ ବିଭାଗ ପକ୍ଷରୁ ଗଛରେ ଲଗାଯାଉଛି ଡିଜିଟାଲ୍ ଆଧାର।#JammuAndKashmirGovernment#GeoTagging#Chinartrees… pic.twitter.com/5rA21fYmah— ଓଟିଭି (@otvkhabar) January 24, 2025
ଅଧିକ ପଢ଼ନ୍ତୁ: ପୁଣେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଆତଙ୍କ, ୧୨ ଜଣ ଭେଣ୍ଟିଲେଣ୍ଟରରେ...
UV ପ୍ରିଣ୍ଟେଡ୍ ମେଟାଲ ପ୍ଲେଟ ଦ୍ୱାରା ଗଛ ଗୁଡ଼ିକର ଟ୍ୟାଗିଂ କରାଯାଉଛି । ପ୍ରତ୍ୟେକ ଗଛର ଏକ ସ୍ୱତନ୍ତ୍ର QR କୋଡ୍ ରହିଛି । ଯାହାକୁ ସ୍କାନ୍ କରି ଚିନାର ବିଷୟରେ ସବୁକିଛି ଜାଣିପାରିବେ । ଏପର୍ଯ୍ୟନ୍ତ ୨୯ ହଜାରରୁ ଅଧିକ ଚିନାର ଗଛକୁ ଜିଓଟ୍ୟାଗ୍ କରାଯାଇଛି । ପ୍ରତ୍ୟେକ ଗଛର ସ୍ଥାନ, ଉଚ୍ଚତା, ଘନତା, ଭୌଗୋଳିକ ସ୍ଥିତି ଆଦି ସୂଚନା ସହିତ ଟ୍ୟାଗ୍ କରିବାକୁ ଅଧିକାରୀମାନଙ୍କୁ ଚାରି ବର୍ଷରୁ ଅଧିକ ସମୟ ଲାଗିଥିଲା । ଏହି ଟ୍ୟାଗ ଦ୍ୱାରା ଉପତ୍ୟକାର ପ୍ରତ୍ୟେକ ଜିଲ୍ଲାରେ କେତେ ଚିନାର ଅଛି ତାହାର ସଠିକ ତଥ୍ୟ ମିଳିପାରିବ । କାଶ୍ମୀର ଉପତ୍ୟକାର ଚିନାର ଗଛଗୁଡ଼ିକ ମଧ୍ୟରୁ କିଛି କିଛି ୫୦୦ ବର୍ଷର ପୁରୁଣା । ତେଣୁ ଏସବୁର ସୁରକ୍ଷା ନିହାତି ଦରକାର ।
ଗଛରେ ଲାଗିଥିବା QR ସ୍କାନ୍ କଲେ, ଆପଣ ଗଛଟି କେଉଁ ଜିଲ୍ଲାରେ ଅଛି ତାହା ଜାଣିପାରିବେ । ଏହାସହ ସେହି ଅଞ୍ଚଳର ଉଚ୍ଚତା, ଗଛର ଉଚ୍ଚତା, ଗଛର ପରିଧି, ଗଛର ଅବସ୍ଥା ଦେଖିପାରିବେ । ଯଦି ଏହା ଶୁଖିଯାଇଛି, ତେବେ ଏହାର କାରଣ କ'ଣ ? ଏ ସମସ୍ତ ସୂଚନା ଏହି ଜିଓ ଟ୍ୟାଗ ଦ୍ୱାରା ଜଣା ପଡ଼ିବ । ଆଗାମୀ ଦିନରେ କାଶ୍ମୀର ଉପତ୍ୟକାର ପ୍ରତିନିଧିତ୍ୱ କରୁଥିବା ଚିନାର ଗଛକୁ ବଞ୍ଚାଇବା ପାଇଁ ଅଧିକ ଗବେଷଣା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)