• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବ କଂଗ୍ରେସର ହାଇଭୋଲଟେଜ୍‌ ନେତା ନବଜୋତ୍‌ ସିଂହ ସିଦ୍ଧୁ ଅସୁସ୍ଥ ! ତାଙ୍କୁ ପଟିଆଲାର ରାଜେନ୍ଦ୍ର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର ମିଳିଛି ।

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି । ତାଙ୍କ ଓକିଲଙ୍କ କହିବା ମୁତାବକ, ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି । ସେ କହିଛନ୍ତି, ଗହମ ପ୍ରତି ତାଙ୍କର ଆଲର୍ଜି ଅଛି । ଏପରି ସ୍ଥିତିରେ ସେ ଗହମରେ ପ୍ରସ୍ତୁତ ରୁଟି ଖାଇ ପାରିବେ ନାହିଁ । ବର୍ତ୍ତମାନ ସେ ଜେଲରେ କେବଳ ସାଲାଡ୍ ଖାଇ ରହୁଛନ୍ତି। ତାଙ୍କର ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି।

ସିଦ୍ଧୁଙ୍କର ଲିଭର ସମସ୍ୟା ମଧ୍ୟ ରହିଛି । ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ୍ ପ୍ଲାନ୍ କରିବାକୁ ଦାବି କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ଚେକଅପ୍ ପାଇଁ ନିଆଯାଇଛି । ଚେକ୍‌ଅପ୍‌ ପରେ ତାଙ୍କୁ ଜେଲରେ ସ୍ପେଶାଲ ଖାଦ୍ୟ ଦିଆଯାଇପାରେ ବୋଲି କୁହାଯାଉଛି ।

ରୋଡ୍ ରେଜ୍ ମାମଲାରେ ଗତକାଲି ଜେଲ ଯାଇଥିଲେ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଗୁରୁବାର ଏକ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ଗତକାଲି ପଞ୍ଜାବ ପଟିଆଲା ଅଦାଲତରେ ଆତ୍ମସମର୍ପଣ କରିଥିଲେ ।

କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କୁ ପଟିଆଲା ଜେଲର ବ୍ୟାରେକ୍‌ ନମ୍ବର ୭ ରେ ୨୪୧୩୮୩ କଏଦୀ ଭାବରେ ରଖାଯାଇଥିଲା । ଗତକାଲି ସଂଧ୍ୟା ୪ ଟା ବେଳେ ସିଦ୍ଧୁ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମେଡ଼ିକାଲ୍‌ ଚେକପ୍‌ ପାଇଁ ନିଆଯାଇଥିଲା । ଏହାପରେ ପୋଲିସ ତାଙ୍କୁ ଜିପ୍‌ରେ ଜେଲ୍‌ ନେଇଯାଇଥିଲେ ।

ସିଦ୍ଧୁ ନିଜର ବେଶଭୂଷା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ଜେଲରେ କେବଳ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଜେଲ୍‌ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଥିଲା । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍‌ ଖାଇ ଶୋଇ ପଡ଼ିଥିବାର ଜେଲ୍‌ର ଅଧିକାରୀ ସୂଚନା ଦେଇଥିଲେ । ଜେଲ୍‌ କର୍ମଚାରୀଙ୍କ କହିବାନୁଯାୟୀ ସିଦ୍ଧୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇନଥିଲା । ଜେଲ୍‌ ମୁଖ୍ୟଙ୍କ ପରାମର୍ଶ ଅନୁଯାୟୀ ସିଦ୍ଧୁ ଯଦି ଚାହିଁବେ ଜେଲ୍‌ର କ୍ୟାଣ୍ଟିନ୍‌ରୁ କିଣି ଖାଇପାରିବେ ନଚେତ୍‌ ନିଜେ ରୋଷେଇ କରି ମଧ୍ୟ ଭୋଜନ କରିପାରିବେ ବୋଲି କୁହାଯାଇଛି ।