• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରୋଡ୍ ରେଜ୍ ମାମଲାରେ ଗତକାଲି ଜେଲ ଯାଇଥିଲେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଗୁରୁବାର ଏକ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ଗତକାଲି ପଞ୍ଜାବ ପଟିଆଲା ଅଦାଲତରେ ଆତ୍ମସମର୍ପଣ କରିଥିଲେ ।

କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ତ୍ତମାନ ପଟିଆଲା ଜେଲରେ ବ୍ୟାରେକ୍‌ ନମ୍ବର ୭ ରେ ୨୪୧୩୮୩ କଏଦୀ ଭାବରେ ରଖାଯାଇଛି । ଗତକାଲି ସଂଧ୍ୟା ୪ ଟା ବେଳେ ସିଦ୍ଧୁ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମେଡ଼ିକାଲ୍‌ ଚେକପ୍‌ ପାଇଁ ନିଆଯାଇଥିଲା । ଏହାପରେ ପୋଲିସ ତାଙ୍କୁ ଜିପ୍‌ରେ ଜେଲ୍‌ ନେଇଯାଇଥିଲେ ।

ସିଦ୍ଧୁ ନିଜର ବେଶଭୂଷା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ଜେଲରେ କେବଳ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି । ଜେଲ୍‌ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍‌ ଖାଇ ଶୋଇ ପଡ଼ିଥିବାର ଜେଲ୍‌ର ଅଧିକାରୀ ସୂଚନା ଦେଇଛନ୍ତି । ଜେଲ୍‌ କର୍ମଚାରୀଙ୍କ କହିବାନୁଯାୟୀ ସିଦ୍ଧୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇନଥିଲା । ଜେଲ୍‌ ମୁଖ୍ୟଙ୍କ ପରାମର୍ଶ ଅନୁଯାୟୀ ସିଦ୍ଧୁ ଯଦି ଚାହିଁବେ ଜେଲ୍‌ର କ୍ୟାଣ୍ଟିନ୍‌ରୁ କିଣି ଖାଇପାରିବେ ନଚେତ୍‌ ନିଜେ ରୋଷେଇ କରି ମଧ୍ୟ ଭୋଜନ କରିପାରିବେ ।

ଯେହେତୁ ସିଦ୍ଧୁଙ୍କୁ ସଶ୍ରମ କାରାଦଣ୍ତ ଦିଆଯାଇଛି, ତେଣୁ ତାଙ୍କୁ ଜେଲ୍‌ ନିୟମ ଅନୁସାରେ କାମ କରିବାକୁ ପଡ଼ିବ । ଏଥିପାଇଁ ତାଙ୍କୁ ଦୈନିକ ପାରିଶ୍ରମିକ ମଧ୍ୟ ଦିଆଯିବ । ସେହି ଜେଲ୍‌ରେ ଆଉ ଜଣେ ହାଇ ପ୍ରୋଫାଇଲ୍‌ କଏଦୀ ତଥା ସିଦ୍ଧୁଙ୍କ ପ୍ରତିଦ୍ୱନ୍ଦୀ ଅକାଳୀ ଦଳର ନେତା ବିକ୍ରମ ସିଂ ମାଜିଥିଆ ମଧ୍ୟ ରହିଛନ୍ତି । ଡ୍ରଗ୍ସ ମାମଲାରେ ଜେଲରେ ଥିବା ବିକ୍ରମ ମାଜିଥିଆ ବିଧାନସଭା ନିର୍ବାଚନ ପାଇଁ ଅମୃତସର ଆସନରୁ ସିଦ୍ଧୁଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ନେତା ନିର୍ବାଚନରେ AAP ର ଜୀବନଜୋତ କୋର୍‌ଙ୍କଠୁ ହାରିଥିଲେ ।