• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

LACରେ ସ୍ଥିତାବସ୍ଥା ପରିବର୍ତ୍ତନ ଲାଗି ଚୀନ୍‌ର ଉଦ୍ୟମ । ମୁହଁତୋଡ଼ ଜବାବ ଦେଲା ଭାରତୀୟ ସେନା । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି ଯେ, ଗତ ୯ ତାରିଖରେ ଚୀନ୍ ସୈନ୍ୟ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ-LACରେ ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା । ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନି ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ଏହି ସମୟରେ ଧସ୍ତାଧସ୍ତି ହେବା ଯୋଗୁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି । ତେବେ କେହି ଗୁରୁତର ଆହତ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜନାଥ ।

ଷ୍ଟ୍ରକ୍ଚର୍ଡ ମେକାନିଜିମ୍ ଟୁ ରିଷ୍ଟୋର ପିସ୍ ଅର୍ଥାତ୍ ଶାନ୍ତି ରକ୍ଷା ଲାଗି ଦୁଇ ଦେଶ ମଧ୍ୟରେ ଥିବା ପୂର୍ବ ବୁଝାମଣା ଅନ୍ତର୍ଗତ ଉଭୟ ପକ୍ଷରୁ କମାଣ୍ଡରଙ୍କୁ ନେଇ ଫ୍ଲାଗ ମିଟିଂ ହୋଇଥିଲା । ଏହା ପରେ ଚୀନି ସୈନ୍ୟ ସେଠାରୁ ହଟି ଯାଇଥିଲେ । ଦେଶର ଅଖଣ୍ଡତା ରକ୍ଷାରେ ସେନା ସଂପୂର୍ଣ୍ଣ ସମର୍ଥ ବୋଲି ଲୋକସଭାକୁ ଆଶ୍ୱସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । 

ଏପଟେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶାସନ କାଳରେ କେହି ବି ଭାରତର ଇଞ୍ଚେ ଜାଗା ନେଇପାରିବେ ନାହିଁ । ତୱାଙ୍ଗରେ ଭାରତୀୟ ଯବାନଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ । ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ବି ଟ୍ୱିଟ୍ କରି କହିଛନ୍ତି, ବର୍ତ୍ତମାନ ସ୍ଥିତି ୧୯୬୨ ଭଳି ନାହିଁ । ସୀମାରେ ଇଟାର ଜବାବ ପଥରରେ ନୁହେଁ ବରଂ ଲୁହାରେ ଦେଉଛନ୍ତି ଭାରତୀୟ ସେନାର ବୀର ଯବାନ ।

ଚୀନ୍‌ର ଦୁଃସାହସ ପରେ ଆଲର୍ଟରେ ଭାରତୀୟ ବାୟୁସେନା ଅରୁଣାଚଳ ସୀମାରେ ଚୀନ୍‌ର ଯେକୌଣସି ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିବା ଲାଗି ଆରମ୍ଭ ହୋଇଛି ଏୟାର ପାଟ୍ରୋଲିଂ । ପଇଁତରା ମାରୁଛନ୍ତି ଭାରତୀୟ ବାୟୁସେନାର ଫାଇଟର ଜେଟ୍ । ଗଲା କିଛି ସପ୍ତାହ ହେଲା ୨ରୁ ୩ ଥର ଲାଗି ଭାରତୀୟ ଫାଇଟର ଜେଟ୍‌କୁ ପାଟ୍ରୋଲିଂ ଲାଗି ନିୟୋଜିତ କରାଯାଇଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏଲଏସିରେ ଶତ୍ରୁ ପକ୍ଷର ସମସ୍ତ ଗତିବିଧି ଉପରେ ସତର୍କ ନଜର ରଖିଛି ବାୟୁସେନା । ସେପଟେ ଭାରତର ଜୋରଦାର ପ୍ରତିକ୍ରିୟା ଭିତରେ ସୀମାରେ ପରିସ୍ଥିତି ସ୍ଥିର ରହିଥିବା ଚୀନ୍ ପକ୍ଷରୁ କୁହାଯାଇଛି ।

ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଭାବେ ଦାବି କରୁଛି ଚୀନ୍ । ଚୀନି ଭାଷାରେ ଜ୍ୟାଙ୍ଗନାନ୍ ନାଁରେ ନାମିତ ଏହି ଅଞ୍ଚଳ ଦକ୍ଷିଣ ତିବ୍ବତର ଅଂଶ ବୋଲି ଯୁକ୍ତି କରୁଛି ବେଜିଂ । ୨୦୧୭ରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନକୁ ନିଜ ଅନୁସାରେ ନାମିତ କରିଥିଲା । ସେପଟେ ୨୦୧୭ରେ ଡୋକଲାମ ଓ ୨୦୨୦ ଗଲୱାନ୍ ସଂଘର୍ଷକୁ ଦେଖିଲେ ଚୀନ୍ ସୀମାରେ ନିଜ ପତିଆରା ବଢାଇବାକୁ ଉଦ୍ୟମ ଜାରି ରଖିଥିବା ସ୍ପଷ୍ଟ ହେଉଛି ।