Advertisment

India Pakistan Military Tension: ଜଳ-ସ୍ଥଳ-ଆକାଶ, ଜାଣନ୍ତୁ କେଉଁଠି କାହାର କେତେ ଦମ୍ ?

ଭାରତ ବର୍ତ୍ତମାନ ବିଶ୍ୱ ସାମରିକ ଶକ୍ତି ସୂଚକାଙ୍କ-୨୦୨୫ରେ ଚତୁର୍ଥ ସ୍ଥାନରେ ଥିବାବେଳେ ପାକିସ୍ତାନ ୧୨ ନମ୍ବରରେ ରହିଛି । ଭାରତରେ ୧.୪୬ ନିୟୁତ ସକ୍ରିୟ ସୈନ୍ୟ ଥିବାବେଳେ ୧.୧୫ ନିୟୁତ ରିଜର୍ଭ ସୈନ୍ୟ ଅଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଜଳ-ସ୍ଥଳ-ଆକାଶ, କାହାର ଦମ୍‌ କେତେ ?

ଜଳ-ସ୍ଥଳ-ଆକାଶ, କାହାର ଦମ୍‌ କେତେ ?

ଆଣ୍ଠେଇବ ପାକିସ୍ତାନ, ଭାରତ କରିବ ଆକ୍ରମଣ । ଜଳ-ସ୍ଥଳ-ଆକାଶ ସବୁଠି ଘେରିବ ଇଣ୍ଡିଆନ ଆର୍ମି । ଭାରତର ସାମରିକ ଶକ୍ତି ଆଗରେ ତୁଚ୍ଛ ଆତଙ୍କୀସ୍ତାନ । ଜାମ୍ମୁ-କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ଉପରେ ଯେକୌଣସି ମୁହୂର୍ତ୍ତରେ ଭାରତ କରିପାରେ ଆକ୍ରମଣ । ଏହି ପରିପ୍ରେକ୍ଷୀରେ ଦୁଇ ଦେଶର ସାମରିକ ଶକ୍ତି କେତେ? ଜଳ, ସ୍ଥଳ ଓ ଆକାଶରେ କାହାର କେତେ ଦମ୍ ଅଛି ଆସନ୍ତୁ ଜାଣିବା ।

Advertisment

ଭାରତ ବର୍ତ୍ତମାନ ବିଶ୍ୱ ସାମରିକ ଶକ୍ତି ସୂଚକାଙ୍କ-୨୦୨୫ରେ ଚତୁର୍ଥ ସ୍ଥାନରେ ଥିବାବେଳେ ପାକିସ୍ତାନ ୧୨ ନମ୍ବରରେ ରହିଛି । ଭାରତରେ ୧.୪୬ ନିୟୁତ ସକ୍ରିୟ ସୈନ୍ୟ ଥିବାବେଳେ ୧.୧୫ ନିୟୁତ ରିଜର୍ଭ ସୈନ୍ୟ ଅଛନ୍ତି । ତେବେ ପାକିସ୍ତାନରେ ୬ ଲକ୍ଷ ୫୪ ହଜାର ସକ୍ରିୟ ସୈନ୍ୟ ଥିବାବେଳେ ୫ ଲକ୍ଷ ଅର୍ଦ୍ଧ ସାମରିକ ସୈନ୍ୟ ଅଛନ୍ତି । ୨୦୨୬ ଆର୍ଥିକ ବର୍ଷ ପାଇଁ ଭାରତ ୬.୮୧ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ ରଖିଥିବାବେଳେ ପାକିସ୍ତାନ ୨.୨୮ ଲକ୍ଷ କୋଟି ଟଙ୍କାର ବଜେଟ୍‌ କରିଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଆର୍ମି ରଚିଥିଲା ପହଲଗାମ ହମ୍‌ଲା ଷଡଯନ୍ତ୍ର, NIA ହାତରେ ପ୍ରମାଣ

Advertisment

ପାକିସ୍ତାନ ତୁଳନାରେ ଭାରତର ସାମରିକ ଖର୍ଚ୍ଚ ୯.୫ ଗୁଣ ଅଧିକ ରହିଛି । ଭାରତର ସଶସ୍ତ୍ର ବାହିନୀରେ ଟି-୯୦ ଭୀଷ୍ମଠାରୁ ଆରମ୍ଭ କରି ଏହାର ସ୍ୱଦେଶୀ ଅର୍ଜୁନ ପର୍ଯ୍ୟନ୍ତ ୪,୨୦୦ରୁ ଅଧିକ ଟ୍ୟାଙ୍କ ରହିଛି । ପାକିସ୍ତାନ ନିକଟରେ ପ୍ରାୟ ୨,୬୨୭ ଟ୍ୟାଙ୍କ ରହିଛି । ପାକିସ୍ତାନ ତୁଳନାରେ ଭାରତ ନିକଟରେ ୩ ଗୁଣ ଅଧିକ ୧୪୮,୫୯୪ ସଶସ୍ତ୍ର ଯାନ ରହିଛି । ଏଥିସହ ଭାରତ ନିକଟରେ ୨,୨୨୯ ଯୁଦ୍ଧ ବିମାନ ରହିଛି । ଯେଉଁଥିରେ ରାଫେଲ, ସୁଖୋଇ ଓ ତେଜସ୍‌ ଭଳି ୫୧୩ ଲଢ଼ୁଆ ବିମାନ ରହିଛି । ତେବେ ପାକିସ୍ତାନ ନିକଟରେ ୩୨୮ ଲଢ଼ୁଆ ବିମାନ ସହ ୧,୩୯୯ ଯୁଦ୍ଧ ବିମାନ ରହିଛି । ଉଭୟ ପରିମାଣ ଏବଂ କ୍ଷମତା ଦୃଷ୍ଟିରୁ ପାକିସ୍ତାନ ଯଥେଷ୍ଟ ପଛରେ ପଡ଼ିଯାଇଛି। ଏଥିସହ ହେଲିକପ୍ଟର ଓ ଆକାଶ ମାର୍ଗରେ ଇନ୍ଧନ ଭରିବା କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି । ଭାରତ ନିକଟରେ ୮୯୯ ହେଲିକପ୍ଟର ଥିବାବେଳେ ପାକିସ୍ତାନ ନିକଟରେ ୩୭୩ ହେଲିକପ୍ଟର ରହିଛି । ପାକିସ୍ତାନର ୪ଟି ଆକାଶମାର୍ଗ ଟ୍ୟାଙ୍କର ଥିବାବେଳେ ଭାରତର ୬ଟି ରହିଛି ।

ଭାରତୀୟ ନୌସେନାରେ ବିମାନ ବାହକ, ବୁଡ଼ାଜାହାଜ ଓ ବିଧ୍ୱଂସକାରୀ ଜାହାଜ ପରି ୨୯୩ ଯୁଦ୍ଧ ଜାହାଜ ରହିଛି । ଏହି କ୍ଷେତ୍ରରେ ଭାରତ ବିଶ୍ବରେ ଷଷ୍ଠ ସ୍ଥାନରେ ରହିଛି । ଦୁଇ ବିମାନ ବାହାକ ଆଇଏନ୍‌ଏସ୍‌ ବିକ୍ରାନ୍ତ ଓ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ, ୧୩ ବିଧ୍ବଂସକାରୀ ଏବଂ ୧୮ ବୁଡ଼ାଜାହାଜ ରହିଛି । ପାକିସ୍ତାନ ନୌସେନାରେ କୌଣସି ବିମାନ ବାହକ କିମ୍ବା ବିଧ୍ୱଂସକ ବିନା ୧୨୧ଟି ଜାହାଜ ଓ ୮ଟି ବୁଡ଼ାଜାହାଜ ରହିଛି । ଉଭୟ ଦେଶ ପରମାଣୁ ଶକ୍ତିସମ୍ପନ୍ନ ଓ ପରମାଣୁ ଅସ୍ତ୍ର ବହନକାରୀ କ୍ଷେପଣାସ୍ତ୍ର ରଖିଛନ୍ତି । ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୫,୨୦୦ କିଲୋମିଟରରୁ ଅଧିକ ଥିବାବେଳେ ଅଗ୍ନି-୬ ବିକାଶ ସ୍ତରରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନର ସବୁଠାରୁ ଦୂରଗାମୀ କ୍ଷେପଣାସ୍ତ୍ର ଶାହିନ-୩ର ଲକ୍ଷ୍ୟଭେଦୀ କ୍ଷମତା ୨,୭୫୦ କିଲୋମିଟର ରହିଛି। ଚୀନ୍ ଏବଂ ବେଲାରୁସରୁ ବୈଷୟିକ ସହାୟତା ସହିତ ଏହାର ଲକ୍ଷ୍ୟଭେଦୀ କ୍ଷମତାକୁ ୩,୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରୟାସ ଚାଲିଛି।

ଭାରତ ଏହାର ସ୍ବଦେଶୀ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଉତ୍ପାଦନ ମଧ୍ୟ ବୃଦ୍ଧି କରିବା ସହ ବିଭିନ୍ନ ଦେଶକୁ ରପ୍ତାନି ମଧ୍ୟ କରୁଛି। ଭାରତ ରୁଷ୍‌ରୁ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କରୁଥିବାବେଳେ ଏହା ପଛକୁ ଫ୍ରାନ୍ସ, ଇସ୍ରାଇଲ୍‌, ଓ ଆମେରିକାରୁ ଆମଦାନୀ କରିଥାଏ। ଅନ୍ୟପକ୍ଷରେ ପାକିସ୍ତାନ ଚୀନ୍‌ରୁ ସର୍ବାଧିକ ସାମରିକ ଉପକରଣ ଆମଦାନୀ କରୁଥିବାବେଳ ଏହା ପଛକୁ ତୁର୍କୀ, ଫ୍ରାନ୍ସ ଏବଂ ରୁଷ୍‌ରୁ ଆମଦାନୀ କରିଥାଏ। ଉଭୟ ଦେଶ ସେମାନଙ୍କ ଘରୋଇ ପ୍ରତିରକ୍ଷା ଶିଳ୍ପ ବଢ଼ାଉଛନ୍ତି। ଉଭୟ ଦେଶ ବର୍ତ୍ତମାନ ଚରମ ଉତ୍ତେଜନା ପରିସ୍ଥିତିରେ ରହିଛନ୍ତି। ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଅଧିକ ପଢ଼ନ୍ତୁ: ପାକ୍‌ ବିରୋଧରେ ବଡ଼ ଡିଜିଟାଲ ଷ୍ଟ୍ରାଇକ୍‌, ଭାରତରେ ବ୍ଲକ୍‌ ହେଲା ଏହି କ୍ରିକେଟରଙ୍କ ଇନଷ୍ଟା ଆକାଉଣ୍ଟ

India Pakistan Military Investment Pahalgam Terrorist Attack
Advertisment
Advertisment