/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747542660.jpg)
India-Bangladesh trade
ପାକିସ୍ତାନ ପରେ ଏବେ ବାଂଲାଦେଶର ପାଳି । ବାଂଲାଦେଶରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ କଟକଣା ଲଗାଇଛି ଭାରତ । ଏହି ସାମଗ୍ରୀ ମଧ୍ୟରେ ରହିଛି ରେଡିମେଡ୍ ଗାର୍ମେଣ୍ଟସ, ପ୍ଲାଷ୍ଟିକ, ମେଲାମାଇନ, ଫର୍ଣ୍ଣିଚର, ଜୁସ୍, ମୃଦୁପାନୀୟ, ବେକେରୀ ସାମଗ୍ରୀ ଓ ପ୍ରୋସେସଡ ଫୁଡ୍ । ଏହି ସାମଗ୍ରୀଗୁଡ଼ିକ ବାଂଲାଦେଶରୁ ଭାରତକୁ ସ୍ଥଳ ବନ୍ଦର ଦେଇ ଆସିପାରିବ ନାହିଁ । ତ୍ରିପୁରା, ଆସାମ, ମେଘାଳୟ ଏବଂ ମିଜୋରାମର ସ୍ଥଳ ବନ୍ଦର ଦେଇ ଭାରତ ମଧ୍ୟକୁ ସାମଗ୍ରୀ ପ୍ରବେଶ କରି ପାରିବ ନାହିଁ । ଏ ନେଇ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ନିକଟରେ ବାଂଲାଦେଶ ସ୍ଥଳ ବନ୍ଦର ଯେପରିକି ଲ୍ୟାଣ୍ଡ କଷ୍ଟମସ୍ ଷ୍ଟେସନ୍ସ ଓ ଇଂଟିଗ୍ରେଟେଡ ଚେକ୍ ପୋଷ୍ଟ ଦେଇ ଭାରତରୁ ସୂତା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । କେବଳ ସମୁଦ୍ର ବନ୍ଦର ମାଧ୍ୟମରେ ହିଁ ସୂତା ରପ୍ତାନୀ ପାଇଁ ଅନୁମତି ଦେଇଥିଲା । ଯାହାଫଳରେ ଭାରତ ମଧ୍ୟ ଯେସାକୁ ତେସା ନୀତିରେ ଭାରତରେ ବାଂଲାଦେଶୀ ସାମଗ୍ରୀ ଆମଦାନୀ ପାଇଁ ସ୍ଥଳ ବନ୍ଦର ବନ୍ଦ କରିଛି । ଏବେଠାରୁ ବାଂଲାଦେଶରୁ ଅମଦାନୀ ହେଉଥିବା ରେଡିମେଡ୍ ଗାର୍ମେଣ୍ଟସ ସମୁଦ୍ର ବନ୍ଦର ଦେଇ ହିଁ ଆସିପାରିବ । କୋଲକାତା ବନ୍ଦର ଏବଂ ମୁମ୍ବାଇର ନବ ସେବା ବନ୍ଦରରେ କଡା ଯାଞ୍ଚ ପ୍ରକ୍ରିୟା ସହିତ ଭାରତ ମଧ୍ୟକୁ ଆସିପାରିବ । ଗତ ଏପ୍ରିଲ ୧୩ରେ ବାଂଲାଦେଶ ସ୍ଥଳ ବନ୍ଦର ଦେଇ ଭାରତୀୟ ସୂତା ରପ୍ତାନୀ ଉପରେ କଟକଣା ଜାରି କରିଥିବା ବେଳେ ୧୫ ତାରିଖରେ ପଶ୍ଚିମବଙ୍ଗର ହିଲି ଓ ବେନାପୋଲ ଦେଇ ଭାରତୀୟ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଥିଲା ।
ଅଧିକ ପଢନ୍ତୁ: ଭାରତ ତିଆରି କରୁଛି 5th Gen ଫାଇଟର୍ ଜେଟ୍, ରାଡାରରେ ପଡ଼ିବନି ଧରା
ଆକଳନ ଅନୁସାରେ, ବାଂଲାଦେଶ ଠାରୁ ୯୩ ପ୍ରତିଶତ ରେଡିମେଡ ସାମଗ୍ରୀ ଭାରତ ସ୍ଥଳ ବନ୍ଦର ଦେଇ ଆମଦାନୀ କରେ । ଏହି ଅର୍ଥନୈତିକ ଓ ବାଣିଜ୍ୟିକ କାରବାରକୁ ନେଇ ଉପୁଜିଥିବା ବାଧା ସମ୍ପର୍କରେ ଉତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗର ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ତେବେ ଏହି କଟକଣା ଦ୍ୱାରା ସ୍ଥାନୀୟ ମାନୁଫାକ୍ଚରିଙ୍ଗ ସେକ୍ଟରେ ଉତ୍ପାଦନ ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ, ୨୦୦୯ରୁ ୨୦୧୪ ମଧ୍ୟରେ ଶେଖ ହାସିନା ସରକାର ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ତ୍ରିପୁରା, ଆସାମ, ମେଘାଳୟ ଏବଂ ମିଜୋରାମରେ ସ୍ଥଳ ବନ୍ଦର ଯେପରିକି ଲ୍ୟାଣ୍ଡ କଷ୍ଟମସ୍ ଷ୍ଟେସନ୍ସ ଓ ଇଂଟିଗ୍ରେଟେଡ ଚେକ୍ ପୋଷ୍ଟ କରିଥିଲା ଭାରତ । ଗତ ନଭେମ୍ବର ୨୦୨୪ରେ ଭାରତ ଓ ବାଂଲାଦେଶର ଅନ୍ତରୀଣ ସରକାର ଏହି ସ୍ଥଳ ବନ୍ଦରକୁ ୨୪ ଘଂଟିଆ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା କରିଥିଲେ । କିନ୍ତୁ ନିକଟରେ ମହମ୍ମଦ ୟୁନୁସ୍ ଚୀନ ଗସ୍ତ କରି ଭାରତର ଉତ୍ତର ପୂର୍ବ ରାଜ୍ୟ ବିଷୟରେ ବିବାଦୀୟ ବୟାନ ଦେଇଥିଲେ ।
ୟୁନୁସ୍ କହିଥିଲେ ଯେ, ଏହି ରାଜ୍ୟ ଗୁଡିକ ଲ୍ୟାଣ୍ଡ-ଲକ୍ଡ(ଚାରିପଟୁ ସ୍ଥଳଭାଗ ଘେରି ରହିଥିବା ସ୍ଥାନ) ଅଞ୍ଚଳ । ବାଂଲାଦେଶ ଭାରତ ମହାସାଗରର ଏକମାତ୍ର ମାଲିକ । ତେଣୁ କାରବାର ପାଇଁ ଚାଇନା ବାଂଲାଦେଶର ପଥକୁ ବ୍ୟବହାର କରି ପାରିବ । ବାଂଲାଦେଶ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଭାରତ ବିରୋଧୀ ବୟାନ ଆସିବା ପରେ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି । ୟୁନୁସଙ୍କ ଏହି ବୟାନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଡା ନିନ୍ଦା କରିଥିଲେ । ଏହି କଟକଣା ଯୋଗୁ ବାଂଲାଦେଶର ଆର୍ଥିକ ଓ ବାଣିଜ୍ୟିକ ସ୍ଥିତି ବିଗିଡ଼ିଯିବ ବୋଲି ଆକଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)