ନକଲି ଲଢୁଆ ବିମାନ ପଠାଇ ପାକିସ୍ତାନକୁ ଭକୁଆ ବନେଇଥିଲା ଭାରତ । ଅପରେସନ୍ ସିନ୍ଦୂରର ସଫଳତାକୁ ସାରା ଦେଶ ଖୁସି ମନାଉଥିବା ବେଳେ, ଏଥିରେ ବ୍ୟବହୃତ ବହୁ ରୋଚକ ରଣନୀତିକୁ ବି ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଖବର ସରବରାହ ସଂସ୍ଥା ANIର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ଉପରେ ଅସଲି ଏୟାର୍ ଷ୍ଟ୍ରାଇକ୍ କରିବା ଆଗରୁ, ଆକାଶରେ ପ୍ରଥମେ ଏକ ନକଲି ଆକ୍ରମଣର ଭ୍ରମ ସୃଷ୍ଟି କରିଥିଲା ଭାରତ । ଯାହାକି ପାକିସ୍ତାନର ଏୟାର୍ ଡିଫେନ୍ସ ସିଷ୍ଟମ୍ କୁ ଧ୍ବଂସ କରିବାରେ ସହାୟକ ହୋଇଥିଲା । ଆଉ ତା ପରେ ତାଣ୍ଡବ ରଚିଥିଲା ପ୍ରାୟ ୧୫ ବ୍ରହ୍ମୋସ୍ ।
ଡୁପ୍ଲିକେଟ୍ ରାଫେଲକୁ ଖସାଇ ଖୁସି ହୋଇଥିଲା କି ପାକିସ୍ତାନ ? ଅପରେସନ୍ ସିନ୍ଦୂରରେ ପାକିସ୍ତାନ ବନିଥିଲା 'ମହା ଭକୁଆ' । ଚକମା ଦେଇଥିଲା ଭାରତ ପଠାଇଥିବା 'ଡମି' ଏୟାରକ୍ରାଫ୍ଟ । ଶତ୍ରୁଦେଶକୁ ମେ ମାସିଆ 'ଏପ୍ରିଲ୍ ଫୁଲ୍' ବନାଇଥିଲା ଭାରତ । ମେ ୯-୧୦ ରାତିରେ ଭାରତୀୟ ସେନାର ରଣନୀତି ଆଗରେ ପାକିସ୍ତାନ ଏମିତି ବୋକା ବନିଥିଲା ଯେ, ଏବେ ବି ସହଜରେ ହଜମ କରିପାରୁନି । ପାକିସ୍ତାନର ୧୧ ବାୟୁସେନା ଘାଟି ଉପରେ ଅସଲି ଏୟାର ଷ୍ଟ୍ରାଇକ୍ କରିବା ପୂର୍ବରୁ, ପ୍ରଥମେ ନକଲି ଆଟାକ୍ କରିଥିଲା ଭାରତ । ପାକିସ୍ତାନ କେଉଁଠି ନିଜର ରାଡାର୍ ଓ ଏୟାର ଡିଫେନ୍ସ ସିଷ୍ଟମ୍ ଲୁଚାଇ ରଖିଛି, ତାର ଠିକଣା ଜାଣିବାକୁ ପ୍ରଥମେ ଆକାଶରେ ସୃଷ୍ଟି କରାଯାଇଥିଲା ଜୋରଦାର ଆକ୍ରମଣର ଭ୍ରମ ।
ଅଧିକ ପଢ଼ନ୍ତୁ: ସତ ମାନିଲା ପାକିସ୍ତାନ, ଭାରତ ଦେଇଛି ଶକ୍ତ ପ୍ରହାର
ଶତ୍ରୁ ରାଡାରରେ ଅବିକଳ ଫାଇଟର୍ ଜେଟ୍ ଭଳି ଦିଶୁଥିବା ଅନମ୍ୟାନ୍ଡ ଟାର୍ଗେଟ୍ ଏୟାରକ୍ରାଫ୍ଟ ବା ପାଇଲଟ୍ ନଥିବା ନକଲି ଲଢ଼ୁଆ ବିମାନକୁ ପାକିସ୍ତାନ ଭିତରକୁ ଛଡ଼ାଯାଇଥିଲା । ରାତିର ଅନ୍ଧାରରେ ଆକାଶରେ କ୍ଷୀପ୍ର ଗତିରେ ମାଡ଼ିଆସୁଥିବା ଏହି ଡମି ଏୟାରକ୍ରାଫ୍ଟଗୁଡ଼ିକୁ ଅସଲି ଫାଇଟର୍ ଜେଟ୍ ଭାବି, ସକ୍ରିୟ ହୋଇ ଉଠିଥିଲା ପାକିସ୍ତାନର ଏୟାର ଡିଫେନ୍ସ ନେଟୱର୍କ। ପାକିସ୍ତାନ ବ୍ୟବହାର କରୁଥିବା ଚାଇନା ମେଡ୍ HQ-9 ମିଜାଇଲ୍ ସିଷ୍ଟମ୍ ଓ ରାଡାର୍ ଆଦି ଆକ୍ଟିଭେଟ୍ ହେବା ମାତ୍ରେ, ଏହାର ସଠିକ୍ ଲୋକେସନ୍ ଜାଣିପାରିଥିଲା ଭାରତ । ଆଉ ତତକ୍ଷଣାତ୍, ସେଠାକୁ ଆତ୍ମଘାତୀ ଡ୍ରୋନ୍ 'ହାରୋପ୍' ପଠାଇ ଆଖି ପିଛୁଳାକେ ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା ।
ଇସ୍ରାଏଲୀ ଡ୍ରୋନ୍ ହାରୋପର ସ୍ୱତନ୍ତ୍ରତା ହେଉଛି, ଏହା ଯୁଦ୍ଧ ଭୂମି ଉପରେ ଉଡ଼ିବୁଲିବ ଏବଂ ଶତ୍ରୁର ରାଡାର୍ ସିଗ୍ନାଲ୍ ଚିହ୍ନଟ ହେବା ମାତ୍ରେ ସେହି ସ୍ଥାନରେ ମାଡ଼ ହେବ । ଏହି ଉପାୟରେ ସେହି ରାତିକ ଭିତରେ ପାକିସ୍ତାନର HQ-9 ଏୟାର ଡିଫେନ୍ସ ମିଜାଇଲ୍ ସିଷ୍ଟମ୍, ରାଡାର୍ ସାଇଟ୍ ଏବଂ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର ଆଦିକୁ ଖୋଜି ଖୋଜି ଧ୍ୱଂସ କରିଥିଲା ଭାରତ । ଆଉ ତା' ପରେ ବାକି ଥିଲା ଅସଲି ତାଣ୍ଡବ ।
ଯେତେବେଳେ ଡିଆରଡିଓ ନିର୍ମିତ କୌଣସି ମିଜାଇଲର ଲକ୍ଷ୍ୟଭେଦୀ କ୍ଷମତା ପରୀକ୍ଷଣ କରାଯାଏ, ସେତେବେଳେ ଏକ ଟାର୍ଗେଟ୍ ଏୟାରକ୍ରାଫ୍ଟକୁ ପ୍ରଥମେ ଉଡ଼ାଇ ମଝି-ଆକାଶରେ ତା ଉପରେ ନିଶାନା ଲଗାଯାଏ । ହିଟ୍-ଅଭ୍ୟାସ, ଲକ୍ଷ୍ୟ ଡ୍ରୋନ୍, ବଂଶୀ ଜେଟ୍ ଆଦି ଏଥିପାଇଁ ବ୍ୟବହାର କରାଯାଏ । ଏସବୁ ରାଡାରରେ ସୁଖୋଇ-30, ମିଗ୍-29 ଓ ରାଫେଲ୍ ଭଳି ଦେଖାଯାଏ । ଏହି ପାଇଲଟ୍ ବିହୀନ ଡମି ବିମାନକୁ ଦେଖି, ପାକିସ୍ତାନ ଖାଲି ଚକମା ଖାଇନଥିଲା, ବରଂ ନିଜର ବଡ଼ କ୍ଷତି କରିବସିଥିଲା ।
ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ୍ ସ୍ବାହା ହେବା ପରେ, ଭାରତ ଆରମ୍ଭ କରିଥିଲା ଅସଲି ଖେଳ, ମାନେ- ଲଙ୍ଗରେଞ୍ଜ୍ ମିଜାଇଲ୍ ଆଟାକ୍। ରାଫେଲ୍ ସମେତ ଭାରତୀୟ ବାୟୁସେନାର ବିଭିନ୍ନ ଫାଇଟର୍ ଜେଟ୍ ପାକିସ୍ତାନର ୧୧ଟି ଏୟାରବେସକୁ ଦାଗିଥିଲେ ପ୍ରାୟ ୧୫ଟି ବ୍ରହ୍ମୋସ୍ ସହିତ ସ୍କାଲ୍ପ, ରାମ୍ପେଜ୍ ଓ କ୍ରିଷ୍ଟାଲ୍ ମେଜ୍ ଆଦି ମିଜାଇଲ୍ । କୌଣସି ଲଢ଼େଇରେ ଇଏ ବ୍ରହ୍ମୋସର ପ୍ରଥମ ପ୍ରୟୋଗ ହୋଇଥିବା ବେଳେ, ଏହାର ମାଡ଼ରେ ପାକିସ୍ତାନୀ ଏୟାରବେସରେ ଥିବା ବହୁ ସାମରିକ ଡ୍ରୋନ୍ ସହିତ ଉଡ଼ନ୍ତା ରାଡାର୍ ଭଳି କାର୍ଯ୍ୟ କରୁଥିବା ଆୱାକସ୍ ବିମାନ ମଧ୍ୟ ଧ୍ବଂସ ହୋଇଛି ।
ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର
ବ୍ୟୁରୋ ରିପୋର୍ଟ, ଓଟିଭି