• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦି ଅହମ୍ମଦାବାଦର ୟୁଏନ୍‌ ମେହେତା ହସ୍ପିଟାଲରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ । ବୁଧବାର ଦିନ ହୀରାବେନ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଦିନ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଆଜି ଭୋର ସମୟରେ ହୀରା ବେନଙ୍କ ମୃତ୍ୟୁ ଘଟିଛି ।

ଛଅ ସନ୍ତାନର ଜନନୀ ଥିଲେ ହୀରାବେନ ମୋଦି । ପୁଅ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଥିଲା ଖାସ୍‌ ସମ୍ପର୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ୟସ୍ତବହୁଳ କାମରୁ ସମୟ ବାହାରି କରି ଅନେକ ଥର ମା’ଙ୍କୁ ଭେଟିବା ପାଇଁ ଅହମ୍ମଦାବାଦ ଯାଉଥିଲେ । ଜୁନ୍ ୧୮ରେ ହୀରାବେନଙ୍କର ୧୦୦ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ପିଲାଦିନର ସମସ୍ତ ସ୍ମୃତିକୁ ମନେ ପକାଇ ଲୋକଙ୍କ ସହ ବାଣ୍ଟିଥିଲେ । ମା’ଙ୍କ ସହ ସରକାରୀ କିମ୍ବା ସାଧାରଣ କାର୍ଯ୍ୟକ୍ରମରେ କାହିଁକି ଯୋଗଦେଉନଥିଲେ ସେକଥା ଏକ ସାକ୍ଷାତକାରରେ କହିଥିଲେ ।

ଅଧିକ ପଢ଼ନ୍ତୁ: ପଞ୍ଚଭୂତରେ ଲୀନ ହେଲେ ମୋଦିଙ୍କ ମା’ : ଗାନ୍ଧିନଗର ଶ୍ମଶାନରେ ହେଲା ଶେଷକୃତ୍ୟ

ମୋଦି କହିଥିଲେ, ପ୍ରଥମ କଥା ହେଉଛି, ପ୍ରଧାନମନ୍ତ୍ରୀ ହେବା ପରେ ସେ ଯଦି ଘରୁ ବାହାରକୁ ଆସିଥାଆନ୍ତେ, ସ୍ୱାଭାବିକ ଭାବରେ ମା’ ଏବଂ ପରିବାର ସହିତ ରହିବାକୁ ଇଚ୍ଛା ହୋଇଥାଆନ୍ତା । ହେଲେ ଅତି ଅଳ୍ପ ବୟସରୁ ହିଁ ଘର ଛାଡ଼ି ଦେଇଥିବା କଥା ସେ କହିଥିଲେ । ସେଥିପାଇଁ ମୋହମାୟା ବନ୍ଧନରେ ପଡ଼ିନଥିବା ସେ କହିଥିଲେ।

ଦ୍ୱିତୀୟ କଥା ହେଲା, ମା’ଙ୍କୁ ନିଜ ସହିତ ରହିବା ପାଇଁ ଡାକିଥିଲି, ତାଙ୍କ ସହିତ ଅନେକ ଦିନ ବିତାଇଥିଲି ମଧ୍ୟ । କିନ୍ତୁ ସେ ହିଁ ମୋ ପାଖରେ ଅଧିକ ଦିନ ରହିବା ପାଇଁ ଚାହୁଁନଥିଲେ । ମୋ ପାଇଁ ବେକାରରେ ସମୟ ନଷ୍ଟ କରନି ବୋଲି କହୁଥିଲେ ।

ତୃତୀୟ କଥା ହେଉଛି, ମୁଁ କାର୍ଯ୍ୟବ୍ୟସ୍ତତା ହେତୁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦେଇ ପାରିନି । ସବୁବେଳେ କାମରେ ବ୍ୟସ୍ତ ରହିବାକୁ ପଡ଼ୁଥିଲା । କେତେବେଳେ କେମିତି ତାଙ୍କ ସହ ମିଶି ଖାଇ ପାରୁଥିଲି । ସମୟ ଦେଇ ପାରୁନଥିବାରୁ ମୋତେ  କଷ୍ଟ ଅନୁଭବ ହେଉଥିଲା । କାରଣ ମୁଁ ରାତି ୧୨ଟା ରେ ଆସିଲେ ବି ମା’ ମୋତେ ଅପେକ୍ଷା କରି ରହୁଥିଲେ ।

ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେଇ ମୋଦି କହିଥିଲେ, ଆପଣମାନେ ବି ଦେଖିଥିବେ ମା’ ମୋ ସହ କେବେ ସର୍ବସାଧାରଣ ସଭାରେ ଦେଖାଯାଆନ୍ତି ନାହିଁ । ଏବେ ସୁଦ୍ଧା ଦୁଇ ଥର ହିଁ ସେ ମୋ ସହ ସଭାରେ ଯୋଗ ଦେଇଥିଲେ ।

modi(ଫଟୋ କହେ କାହାଣୀ)

ପ୍ରଥମ ଥର:

ଶ୍ରୀନଗରର ଲାଲ ଚୌକ ନିକଟରେ ତ୍ରିରଙ୍ଗା ଉଡ଼ାଇ ଫେରିବା ପରେ ଅହମ୍ମଦାବାଦରେ ଆୟୋଜିତ ଏକ ନାଗରିକ ସମ୍ମାନ କାର୍ଯ୍ୟକ୍ରମରେ ମା’ ମୋତେ ମଞ୍ଚ ଉପରକୁ ଆସି ତିଳକ ଦେଇଥିଲେ । ମା ପାଇଁ ତାହା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା । କାରଣ ଏକତା ଯାତ୍ରା ସମୟରେ ଫଗୱାଡ଼ାରେ ଏକ ଆକ୍ରମଣ ହୋଇଥିଲା, ଯେଉଁଥିରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ମା ’ମୋ ପାଇଁ ବହୁତ ଚିନ୍ତିତ ଥିଲେ । ସେତେବେଳେ ମୋ ପାଖକୁ ଦୁଇ ଜଣଙ୍କର କଲ୍‌ ଆସିଥିଲା । ଅକ୍ଷରରାମ ମନ୍ଦିରର ସମ୍ମାନିତ ସ୍ୱାମୀଜୀ ଏବଂ ମା’ମୋତେ କଲ୍‌ କରି ଆସିଥିଲେ । ମୁ ଅକ୍ଷତ ଥିବା ଜାଣି ମା’ଙୋକୁ ଆଶ୍ୱାସନା ମିଳିଥିଲା ।

modi(ମା’ଙ୍କ ସହ ମୋଦିଙ୍କ ଫଟୋ)

ଦ୍ୱିତୀୟ ଥର:

ସେହିପରି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାପରେ ମା’ ମୋ ସହ ମଞ୍ଚ ଉପରକୁ ଆସିଥିଲେ । ୨୦ ବର୍ଷ ପୂର୍ବେ ସେହି ଶପଥ ଗ୍ରହଣ ସମାରୋହରେ ମା’ ମୋ ସହ ସାଧାରଣ ସଭାରେ ଉପସ୍ଥିତ ଥିଲେ । ଏହା ପର ଠାରୁ ସେ ଆଉ କେବେ ମୋ ସହ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ।