• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସତସଙ୍ଗ ଯାଇ ବହୁଲୋକଙ୍କର ମୃତ୍ୟୁ ହୋଇଛି । ଗତକାଲି ହାଥରସରେ ଏକ ଧାର୍ମିକ ସଭାରେ ଯୋଗ ଦେବାକୁ ହଜାର ହଜାର ଲୋକଙ୍କର ସମାଗମ ହୋଇଥିଲା । କିନ୍ତୁ ପରେ ପରିସ୍ଥିତି ଏପରି ହୋଇଥିଲା ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଅସମର୍ଥ ହେଲା । ଫଳରେ ଲୋକଙ୍କ ଭିତରେ ଦଳାଚକଟା ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୧୨୧ ଛୁଇଁଥିବା ଜଣାପଡ଼ିଛି ।

ତେବେ ଏତେ ସଂଖ୍ୟକ ମୃତଦେହ ଦେଖି ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ଫଳରେ ଉକ୍ତ କନେଷ୍ଟବଳଙ୍କର ହାର୍ଟଆର୍ଟାକ୍ ହୋଇଥିଲା । ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଜୀବନ ଚାଲିଯାଇଥିଲା । କନେଷ୍ଟବଳଙ୍କ ନାଁ ରବି ଯାଦବ, ବୟସ ୩୦ ବର୍ଷ ।

ଅଧିକ ପଢ଼ନ୍ତୁ: ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୦୦ ରୁ ଅଧିକ ଲୋକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା । ତେବେ ପୋଲିସ ଅଧିକାରୀଙ୍କ କହିବାନୁସାରେ, କନେଷ୍ଟବଳ ଜଣକ ଶବ ପରିଚାଳନା ଦାୟିତ୍ୱରେ ଥିଲେ । ଏତେ ସଂଖ୍ୟକ ଶବ ଦେଖିବା ପରେ ତାଙ୍କୁ ଧକ୍କା ଲାଗିଥିଲା । ମୃତକଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା ଓ ଶିଶୁ ଥିଲେ ।

ଯେତେବେଳେ ସେ ମୃତଦେହ ପାଖକୁ ଗଲେ, ସେତେବେଳେ ସେ ହଠାତ୍ ତଳେ ପଡ଼ିଗଲେ । ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରିବା ସତ୍ତ୍ୱେ ତାଙ୍କର ଦେହାନ୍ତ ହୋଇଯାଇଥିଲା ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ଯାଦବଙ୍କ ସହ ଡ୍ୟୁଟିରେ ଥିବା ଅନ୍ୟ ଜଣେ କନଷ୍ଟେବଳ ଲଲିତ ଚୌଧୁରୀ କହିଛନ୍ତି ଯେ, ଏକାଧିକ ମୃତ ଶରୀର ଦେଖିବାରୁ ସେ ବୋଧହୁଏ ତୀବ୍ର ଆଘାତ ପାଇଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ହାଥରସ ଠାରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ହାଥରସ୍ ଫୁଲୁରୀ ଗାଁରେ ଏକ ସତସଙ୍ଗ ଆୟୋଜିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ । ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ । ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା।

ଅଧିକ ପଢ଼ନ୍ତୁ: ହାଥରସ୍‌ ଦଳଚକଟା ଘଟଣା: କିଏ ଏହି ‘ଭୋଲେ ବାବା’ ? ଆୟୋଜନ କରିଥିଲେ ‘ସତସଙ୍ଗ’...

OTV is now on Whatsapp

Join and get latest news update delivered to you via whatsapp

Join Now