ହାଥରସରେ ଚାଲିଥିଲା ସତସଙ୍ଗ। ପ୍ରବଚନ ଦେଉଥିଲେ ଭୋଲେ ବାବା। ତାଙ୍କୁ ଶୁଣିବାକୁ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ପୁରୁଷ, ମହିଳା, ଶିଶୁ ଓ ବୟସ୍କ। ଶ୍ରଦ୍ଧାଳୁଙ୍କ ଏତେ ଭିଡ଼ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ତେବେ ଜାଣିଛନ୍ତି କି, କିଏ ଏହି ଭୋଲେ ବାବା ? ନାରାୟଣ ସାକାର ହରି ଓରଫ୍ ସାକାର ବିଶ୍ବ ହରି ଓରଫ୍ ଭୋଲେ ବାବା ।
ସୂଚନା ଅନୁସାରେ, ଏହି ଆତ୍ମଘୋଷିତ ବାବା ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଦାବି କରନ୍ତି। ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ । ଧୀରେ ଧୀରେ ଲୋକପ୍ରିୟତା ସହିତ ଶ୍ରୋତା, ଶ୍ରଦ୍ଧାଳୁ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଥିବା କୁହାଯାଉଛି। ରୋଚକ କଥା ହେଉଛି, ଭୋଲେ ବାବାଙ୍କର ସୋସିଆଲ ମିଡିଆରେ କୌଣସି ଉପସ୍ଥିତି ନାହିଁ କି ପ୍ରଚାର ପ୍ରସାର ହୁଏ ନାହିଁ। ତାଙ୍କ ଘର ୟୁପିର ଏଟା ଅନ୍ତର୍ଗତ ପଟିଆଲି ତହସିଲର ବାହାଦୂର ଗାଁ।
Also Read
ଅଧିକ ପଢ଼ନ୍ତୁ: ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !
ସେପଟେ ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। ଉତ୍ତର ପ୍ରଦେଶ ମଇନପୁରୀ ଜିଲ୍ଲାର ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ପୋଲିସ ଛାନଭିନ୍ କରିଛି। ରାତି ତମାମ ପୋଲିସ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବାବାଙ୍କର କୌଣସି ପତ୍ତା ମିଳିନି। ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଯିଏ ବି ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ମନ୍ତ୍ରୀ କହିଛନ୍ତି। ଗତକାଲି ହାଥରସ ସତସଙ୍ଗସ୍ଥଳରେ ଦଳାଚକଟା ଘଟି ୧୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ହାଥରସ ଠାରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ହାଥରସ୍ ଫୁଲୁରୀ ଗାଁରେ ଏକ ସତସଂଗ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା।